ବଲାଙ୍ଗୀର : ପ୍ରବାଦ ପୁରୁଷଙ୍କୁ ଅସମ୍ମାନ । ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲା ଦୁର୍ବୃତ୍ତ। ବଲାଙ୍ଗୀର ପାଟଣାଗଡ଼ରେ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତ ଜାଳି ଦେଇଥିବା ଜଣାପଡିଛି । ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିବା ବେଳେ ଏବେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ପ୍ରତିମୂର୍ତ୍ତିକୁ ଜାଳି ଦେଇଛି । ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜଳୁଥିବା ଖବର ପାଇବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଶ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ବିବାଦୀୟ ସ୍ଥାନ ପର୍ଶୁରାମ ଛକରେ ମୂର୍ତ୍ତି ସ୍ଥାପନ ନେଇ ପୂର୍ବରୁ ବିରୋଧ ହୋଇ ଆସୁଥିଲା । ପ୍ରଶାସନର ନିର୍ଦ୍ଦେଶରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜରି ଗୁଡାହୋଇ ରଖାଯାଇଥିଲା । ହେଲେ ଏବେ କେହି ଦୁର୍ବୃତ୍ତ ସକାଳୁ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ଦେଖିବାକୁ ମିଳିଥିଲା । କିଏ ଓ କାହିଁକି ନିଆଁ ଲଗାଇଲା କାରଣ ଅସ୍ପଷ୍ଟ ରହିଛି ।
ସେପଟେ ବିଜୁ ପ୍ରତିମୂର୍ତ୍ତି ଜଳିଯିବା ପରେ ପାଟଣାଗଡ ଏନ୍ଏସି ପକ୍ଷରୁ ତୁରନ୍ତ ଜାଳି ଦେଇଥିବା ପ୍ରତିମୂର୍ତ୍ତିକୁ ସଫେଇ କରାଯାଉଛି । ତେବେ ଘଟଣାରେ କାହାର ସମ୍ପୃକ୍ତି ରହିଛି । କିଏ ଓ କାହିଁକି ନିଆଁ ଲଗାଇଲା ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଆଧାରରେ ଦୁର୍ବୃତ୍ତକୁ ଧରିବାପାଇଁ ପ୍ରୟାସ ଜାରି ରଖିଛି ପାଟଣାଗଡ଼ ପୋଲିସ ।
ଅପରପକ୍ଷରେ ପାଟଣାଗଡ଼଼ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ବୁଦ୍ଧୀଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି।