ବିଲଙ୍କା ରାମାୟଣ

ଭାରତୀୟ ସାଂସ୍କୃତିକ ଜୀବନରେ ପୁରାଣ ପାଠ ଓ ପୁରାଣ ଚର୍ଚ୍ଚା ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିବା ଜଣାଯାଏ । ଭାରତର ସର୍ବତ୍ର ବେଦ, ବେଦାନ୍ତ, ଧର୍ମଶାସ୍ତ୍ର ତଥା ଗୀତା ସବୁ ପୁରାଣ ସମାନ ବୋଲି ବିବେଚିତ ହୁଏ । ପୁରାଣ ପ୍ରଚାର ହିନ୍ଦୁ ପାଇଁ ହିନ୍ଦୁର ଧର୍ମ ରୂପେ ସ୍ୱୀକୃତିପ୍ରାପ୍ତ ହୋଇଛି । ବୌଦ୍ଧ, ଜୈନ, ଶିଖ ସଂପ୍ରଦାୟର ଲୋକେ ମଧ୍ୟ ସ୍ୱଧର୍ମର ପ୍ରଚାର ପାଇଁ ପୁରାଣ ସାହିତ୍ୟର ଆଶ୍ରୟ ନେଇଛନ୍ତି । ପୌରାଣିକ ଧର୍ମ ସମାଜର ଧର୍ମରେ ପରିଣତ ହୋଇଛି ।

ବିଲଙ୍କା ରାମାୟଣ କବି ସାରଳା ଦାସଙ୍କର ପ୍ରଥମ ପୁରାଣ । ପୁରାଣର ପଞ୍ଚ ମୌଳିକ ଲକ୍ଷଣ ଏ ପୁରାଣରେ ଅଂଶୀକୃତ ହୋଇନାହିଁ । ମାତ୍ର ବୈଦିକ ପରମ୍ପରା ଠାରୁ ଏହା ବିଚ୍ଛିନ୍ନ ନୁହେଁ ବୋଲି
ପୁରାଣକାରମାନେ କହିଛନ୍ତି । ବେଦଶାସ୍ତ୍ର ନିନ୍ଦା କଲେ ମୃତୁ୍ୟ ନିକଟବର୍ତ୍ତୀ ହୁଏ ବୋଲି ମତ ଦେଇଛନ୍ତି । ସେହିପରି ବିଷ୍ଣୁ ନିନ୍ଦା କଲେ ମଧ୍ୟ ଅନୁରୂପ ଦଶା ଭୋଗ କରିବାକୁ ହୁଏ ବୋଲି କହିଛନ୍ତି । ବିଷ୍ଣୁ ଓ ବେଦର ସମର୍ଥନ କରି ବୈଦିକ ପରମ୍ପରା ଓ ବୈଷ୍ଣବ ଧର୍ମ ଦେବତାକୁ ଗୌରବାନ୍ୱିତ କରିଛନ୍ତି । କିନ୍ତୁ ବିଲଙ୍କା ରାମାୟଣ ଏକ ଶାକ୍ତ ରାମାୟଣ । ବିଲଙ୍କାର ସହସ୍ର ଶିର ରାବଣ ସୀତାଙ୍କର ଉଲଗ୍ନ ତନୁ ଦର୍ଶନ କରି ବିନିଷ୍ଟ ହୋଇଥିଲା । ସୀତା ଯୁଦ୍ଧ ଯାତ୍ରା କରିବା ପୂର୍ବରୁ ମଙ୍ଗଳାଙ୍କୁ ସ୍ତୁତି କରି ଶକ୍ତି ଭିକ୍ଷା କରିଛନ୍ତି ଓ ମଙ୍ଗଳା ତାହାଙ୍କୁ ଶକ୍ତି ଦେଇଛନ୍ତି । ସମଗ୍ର ପୁରାଣରେ ଶକ୍ତିଙ୍କର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରାଯାଇଛି । ରାମଚନ୍ଦ୍ର ମହାମାୟାଙ୍କଠାରେ ଶରଣ ଭିକ୍ଷା କରିଛନ୍ତି । ପୁରାଣର ବହୁସ୍ଥଳରେ ଶକ୍ତିଙ୍କ ବନ୍ଦନା କରାଯାଇଛି ।

ଗ୍ରନ୍ଥ‘ର ପ୍ରାରମ୍ଭରେ ଶିବ, ପାର୍ବତୀ ଶ୍ରୀହରିଙ୍କର ବନ୍ଦନା କରି କବି ସାରଳାଙ୍କ କୃପା ଭିକ୍ଷା କରିଛନ୍ତି । ଅତଏବ ଶୈବ ବୈଷ୍ଣବ ଦେବତାଙ୍କର ଗୌରବ ବର୍ଦ୍ଧନ କରିବା ସଙ୍ଗେ ସଙ୍ଗେ କବି ସ୍ୱ ସଂପ୍ରଦାୟର ଦେବତା ଶକ୍ତିଙ୍କର ମହତ୍ତ୍ୱ୍ୱ ଓ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି । ବିଲଙ୍କା ରାମାୟଣରେ କାଶୀ ବାରଣାସୀ ତୀର୍ଥର ସୂଚନା ଦିଆଯାଇଛି । ବିବିଧ ଜାତିର ତପସ୍ୟା, ହୋମର ବର୍ଣ୍ଣନା ଦିଆଯାଇଛି । ମନ୍ତ୍ର ଓ ଜପ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି କେତେକ ପୁରାଣକାର କହିଛନ୍ତି ବହୁ ଯୁଦ୍ଧ ଓ ଯୁଦ୍ଧଯାତ୍ରା ପ୍ରସଙ୍ଗରେ ଏହି କ୍ଷୁଦ୍ର ପୁରାଣଟିର କଳେବର ଭରିଯାଇଛି ।
ବିଲଙ୍କା ରାମାୟଣର ଏହି ସଂକ୍ଷିପ୍ତ ଅନୁଶୀଳନରୁ ଲକ୍ଷ୍ୟ କରାଯାଏ ଯେ ପଞ୍ଚ ଲକ୍ଷଣ ଏଥିରେ ଉପେକ୍ଷିତ ।

ବୈଦିକ ପରମ୍ପରାକୁ ସ୍ୱୀକାର କରାଯାଇଛି । ବୈଷ୍ଣବ ଓ ଶାକ୍ତ ସଂପ୍ରଦାୟର ମହତ୍ତ୍ୱ ପ୍ରକଟନ କରାଯାଇଛି । ଏ ପୁରାଣ ପାଠକଲେ ପୁତ୍ର ଓ ଚତୁଃବର୍ଗ ପ୍ରାପ୍ତ ହୁଏ ବୋଲି ପୁରାଣକାର କହିଛନ୍ତି । ପୁରାଣର ମୌଳିକ ପଞ୍ଚଲକ୍ଷଣ ତ୍ୟାଗ କରି ଏହି ପୁରାଣଟି ଲେଖାଯାଇଛି । ମୋଟାମୋଟି ଭାବେ ଚଣ୍ଡୀପୁରାଣ ପରି ବିଲଙ୍କା ରାମାୟଣ ସଂସ୍କୃତ ପୁରାଣର ସଂପୂର୍ଣ୍ଣ ଅନୁସରଣ କରିନାହିଁ ।

Har Ghar Tiranga