୨୦ କୋଟି ଦେଇ ବିଧାୟକଙ୍କୁ ଦଳରୁ ଅଲଗା କରିବାକୁ ଚେଷ୍ଟା କରୁଛି ବିଜେପି: ଆପ୍‌ର ଜାତୀୟ ମୁଖପାତ୍ର

ଦିଲ୍ଲୀ: ଆମ୍‌ ଆଦମୀ ଦଳର କେତେକ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ବଡ଼ ଅଫର ଦିଆଯାଉଛି । ଯଦି ଅଫର୍‌ ଗ୍ରହଣ ନ କରିବ ତେବେ ସିବିଆଇ ଏବଂ ଇଡି ମାମଲା ରୁଜୁ ନେଇ ଧମକ ମଧ୍ୟ ମିଳୁଛି ବୋଲି ଏହିପରି ଗୁରୁତର ଅଭିଯୋଗ ଆଣିଛନ୍ତି ଆପ୍‌ ଦଳର ମୁଖପାତ୍ର ।

ସୂଚନା ଅନୁସାରେ, ଦଳ ଛାଡ଼ିବା ପାଇଁ ଦଳର ପ୍ରତ୍ୟେକ ବିଧାୟକଙ୍କୁ ୨୦ କୋଟି ଟଙ୍କାର ଅଫର୍‌ ଦିଆଯାଉଛି । ସହଯୋଗ ନକଲେ ସେମାନଙ୍କ ବିରୋଧରେ ସିବିଆଇ ଏବଂ ଇଡି ମାମଲା ରୁଜୁ ନେଇ ଧମକ ମିଳିଛି ।

ଦଳୀୟ ବିଧାୟକ ଦିଲ୍ଲୀପ ପାଣ୍ଡେ କହିଛନ୍ତି, ୪୦ ବିଧାୟକଙ୍କୁ ଆପ୍‌ରୁ ଅଲଗା କରିବାକୁ ବିଜେପି ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି ଏପରିକି ଅଧିକାଂଶ ବିଧାୟକଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଇଛି । ପ୍ରତି ବିଧାୟକଙ୍କୁ ୨୦ କୋଟି ବଦଳରେ ଦଳ ଛାଡିବାକୁ ଅଫର ଦିଆଯାଇଛି । ଆଉ ଏହି ହିସାବରେ ୪୦ ବିଧାୟକଙ୍କ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିସବୁ ଟଙ୍କା କେଉଁଠୁ ଆସୁଛି ବୋଲି ସିବିଆଇ ଏହାର ଯାଞ୍ଚ କରିବା ଉଚିତ ବୋଲି ଦିଲ୍ଲୀପ କହିଛନ୍ତି ।

ଅନ୍ୟପକ୍ଷରେ, ଏହିପରି ଗୁରୁତର ଅଭିଯୋଗ କେତେକ ବିଧାୟକ ଓ ଦଳର ମୁଖପାତ୍ର ଆଣିବା ପରେ ଦଳ ମୁଖିଆ ଅରବିନ୍ଦ କ୍ରେଜିୱାଲ ବିଧାୟକମାନଙ୍କର ଏକ ବୈଠକ ଡକାଇଛନ୍ତି । ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ଆପ୍‌ ବିଧାୟକ ଦଳର ବୈଠକ ବସିବ । ଏନେଇ ସମସ୍ତ ବିଧାୟକଙ୍କୁ ନୋଟିସ କରାଯାଇଛି । କିନ୍ତୁ ବୈଠକ ପୂର୍ବରୁ କେତେକ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବର୍ତ୍ତମାନ ଏହି ବୈଠକରେ କେତେଜଣ ବିଧାୟକ ଉପସ୍ଥିତ ରହୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Comments are closed.