ଭୁବନେଶ୍ୱର : ମା’ କୋଳକୁ ଫେରିଲା ଶୁଭମ । ମଙ୍ଗଳବାର ସକାଳୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । କମିଶନରେଟ ପୋଲିସର ଅକ୍ଲାନ୍ତ ଉଦ୍ୟମ ଫଳରେ ବାଲେଶ୍ୱରରୁ ଉଦ୍ଧାର ହୋଇଛି ଅପହୃତ ଶିଶୁପୁତ୍ର । ଘଟଣାକୁ ୪୮ ଘଣ୍ଟା ନପୂରୁଣୁ ବାଲେଶ୍ବରରୁ ୨ ବର୍ଷର ଶିଶୁ ପୁତ୍ର ଶୁଭମକୁ ଉଦ୍ଧାର କରି ଅପହରଣକାରୀକୁ ଗିରଫ କରିଛି କମିଶନରେଟ ପୋଲିସ । ଗତ ଶନିବାର ଦିନ ବିଳମ୍ବିତ ରାତିରେ ଭୁବନେଶ୍ୱର ରାମମନ୍ଦିର ସାମ୍ନାରୁ ଜଣେ ଦୃଷ୍ଟିବାଧିତ ମା’କୋଳରୁ ଶିଶୁଟିକୁ ଫୁସୁଲେଇ ଉଠାଇ ନେଇଥିଲା ଅପହର୍ତ୍ତା । ଘଟଣାର ସିସିଟିଭି ଚିତ୍ର ସାମ୍ନାକୁ ଆସିଥିଲା । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ସଫଳତା ପାଇଛି ପୋଲିସ । ଶିଶୁପୁତ୍ରକୁ ଖନ୍ତାପଡା ଥାନା ବୋଇତା ଗାଁରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
ଘଟନାନୁସାରେ, ରାଜଧାନୀର ଖାରବେଳ ନଗର ଥାନା ରାମ ମନ୍ଦିର ସାମ୍ନାରେ ଜଣେ ଦୃଷ୍ଟିବାଧିତ ମା’ ଜୟନ୍ତୀ ମଲ୍ଲିକ ନିଜ ୬ ବର୍ଷର ଝିଅ ଏବଂ ଦେଢ ବର୍ଷର ଶିଶୁପୁତ୍ରକୁ ନେଇ ଆଶ୍ରୟ ନେଇଥିଲେ । ସେ ଦୀର୍ଘ ୫ ବର୍ଷ ଧରି ରାମମନ୍ଦିର ସମ୍ମୁଖ ଫୁଟପାଥରେ ଭିକ୍ଷାବୃତ୍ତି କରି ଆସୁଛନ୍ତି । ଶନିବାର ଅପରାହ୍ନରେ ବର୍ଷା ହେବାରୁ ସେ ଆଉ ଘରକୁ ଫେରିପାରନଥିଲେ । ୨ଛୁଆଙ୍କୁ ଧରି ରାମମନ୍ଦିର ସମ୍ମୁଖ ଫୁଟପାଥରେ ଶୋଇପଡିଥିଲେ । ତେବେ ବିଳମ୍ବିତ ରାତିରେ ଜଣେ ଅଜଣା ଲୋକ ଆସି ଶିଶୁପୁତ୍ର ସହ ଖେଳାଖେଳି କରି କିଛି ଜୁସ ଏବଂ ବିସ୍କୁଟ ଆଣି ଖାଇବାକୁ ଦେଇଥିଲେ । ଏହାପରେ ପିଲାଟି ସହିତ ମୋବାଇଲରେ ଖେଳୁଥିଲେ ଏହି ସମୟରେ ଜୟନ୍ତୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଶିଶୁପୁତ୍ରକୁ କୌଶଳ କରି ନେଇ ପଳାଇଥିଲେ । ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏଭଳି ଘଟଣା ।
ଜୟନ୍ତୀ ମଲ୍ଲିକ ଶିଶୁ ଚୋରି ହୋଇଯାଇଥିବା ଜାଣି ଖାରବେଳେନଗର ଥାନାରେ ଦ୍ୱାରସ୍ଥ ହୋଇଥିଲେ । ରାମ ମନ୍ଦିର ସାମ୍ନାରେ ଶୋଇଥିବା ବେଳେ ଯେତେବେଳେ ନିଦ ଭାଙ୍ଗିଲା ଶିଶୁପୁତ୍ରଟିକୁ ସେ ପାଇନଥିଲେ । ଶିଶୁପୁତ୍ର ନିଖୋଜ ଥିବା ନେଇ ସେ ଥାନାରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅସହାୟ ମହିଳାଙ୍କ ପୁତ୍ରକୁ ଖୋଜିବାକୁ ଛାନଭିନ ଆରମ୍ଭ କରିଥିଲା । ଅପହରଣ ୫୦ ଘଣ୍ଟା ପରେ ପ୍ରାୟ ୮ଟି ସିସିଟିଭି ଯାଞ୍ଚ ପରେ ଦୁର୍ବୃତ୍ତ ଶିଶୁକୁ ଟ୍ରେନରେ ନେଇ ଯାଉଥିବାର ପକ୍କା ଖବର ପୋଲିସ ପାଖରେ ପହଞ୍ଚିଥିଲା । ଏହାପରେ ଶିଶୁ ପୁତ୍ରକୁ ଉଦ୍ଧାର ପାଇଁ କମିଶନରେଟ୍ ପୋଲିସ ର ୩ଟି ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଶେଷରେ ଖନ୍ତାପଡା ବୋଇତା ଗାଁରେ ଚଢାଉ କରି ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ଅନ୍ୟପଟେ ଶିଶୁପୁତ୍ରର ମା’ ଜୟନ୍ତୀ ମଲ୍ଲିକ କହିଛନ୍ତି ମୋ ପୁଅ ମିଳିବା ଖବର ପାଇଲା ପରେ ମୋତେ ଖୁସି ଲାଗୁଛି। ମୋ ଛୁଆକୁ କିଏ ନେଇଥିଲା ମୁଁ ଜାଣିନି। ମୋ ଛୁଆକୁ ନେଲା ବେଳେ ତା’ ମନରେ ପାପ ଆସିଲା ନାହିଁ, ଆଶଙ୍କା ଆସିଲା ନାହିଁ। ମୋ ପୁଅ ଫେରି ଆସିବ ବୋଲି ମୁଁ ଆଶା କରିନଥିଲି। ରାମ ମୋ ଛୁଆ ଫେରାଇ ଦେଇଛନ୍ତି।