ଫି’ ବଢ଼ାଉଛନ୍ତି ଜନ୍‌

ମୁମ୍ବାଇ: ଜନ୍‌ ଆବ୍ରାହମ୍‌ ବଲିଉଡ୍‌ର ଜଣାଶୁଣା ଏବଂ ପ୍ରତିଭାଶାଳୀ ଅଭିନେତା । ସେ ଗୋଟେ ପରେ ଗୋଟେ ଦମଦାର ଆକ୍ସନ ଫିଲ୍ମ କରିବାରେ ଲାଗିଛନ୍ତି ଏବଂ ଦର୍ଶକମାନେ ମଧ୍ୟ ତାଙ୍କର ଆକ୍ସନ ଅବତାରକୁ ବେଶ୍‌ ପସନ୍ଦ କରୁଛନ୍ତି । ଗତ ବର୍ଷ ତାଙ୍କର ତିନୋଟି ଫିଲ୍ମ ମୁକ୍ତିଲାଭ କରିଥିଲା । ସମସ୍ତ ଫିଲ୍ମ ମଧ୍ୟ ହିଟ୍‌ । ଆଗକୁ ମଧ୍ୟ ଜନ୍‌ଙ୍କ ତିନୋଟି ବଡ଼ ଫିଲ୍ମ ଲାଇନ୍‌ରେ ରହିଛି । ଏହା ବ୍ୟତୀତ ଖବର ଆସିଛି ଯେ ଅଭିନେତା ଏବେ ଧୀରେଧୀରେ ତାଙ୍କର ପାରିଶ୍ରମିକ ବଢ଼ାଉଛନ୍ତି ।

‘ସତ୍ୟମେବ ଜୟତେ’ ଏବଂ ‘ବାଟଲା ହାଉସ୍‌’ ପରେ ଜନ୍‌ ଆବ୍ରାହମ ତାଙ୍କ ଫିକୁ ବୃଦ୍ଧି କରିଛନ୍ତି । ସେପଟେ ଜନ୍‌ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଏକ ଭିଲେନ୍‌ ରିଟର୍ଣ୍ଣସ୍‌’ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଏହି ଫିଲ୍ମର ସୁଟିଂ କିଛି ସମୟ ପୂର୍ବେ ଶେଷ ହୋଇଛି । ଆଉ ଏବେ ମିଡିଆ ସୂତ୍ରରୁ ଜଣାପଡ଼ିଛି ଯେ ଜନ୍‌ ଏହି ଫିଲ୍ମ ପାଇଁ ନିର୍ମାତାଙ୍କଠୁ ଅଧିକ ପାଉଣା ଦାବି କରିଛନ୍ତି । ରୋଚକ କଥା ହେଉଛି ଯେ ନିର୍ମାତା ମଧ୍ୟ ଜନଙ୍କ ଡିମାଣ୍ଡକୁ ମାନିଯାଇଛନ୍ତି । ରିପୋର୍ଟ ଅନୁଯାଯୀ ଜନ୍‌ ୨୧ କୋଟିରେ ଫିଲ୍ମ ସାଇନ୍‌ କରିଛନ୍ତି । ଗତ ୩ ବର୍ଷରେ ଜନ୍‌ଙ୍କ ଫିସ୍‌ ୭ କୋଟିରୁ ୨୧କୋଟି ହୋଇଛି । ୩ ବର୍ଷରେ ତାଙ୍କ ଫିସ୍‌ ତିନିଗୁଣା ବଢ଼ିଛି ।

ଫିଲ୍ମ ଏକ୍‌ ଭିଲେନ୍‌ ରିଟର୍ଣ୍ଣସ୍‌ରେ ଜନ୍‌ ଆବ୍ରାହାମଙ୍କ ବ୍ୟତୀତ ରିତେଶ ଦେଶମୁଖ, ଅର୍ଜୁନ କପୁର, ଦିଶା ପାଟନୀ ଏବଂ ତାରା ସୁତରିଆ ଲିଡ୍‌ ରୋଲ୍‌ରେ ଅଛନ୍ତି । ଫିଲ୍ମକୁ ମୋହିତ ସୁରୀ ନିର୍ଦ୍ଦେଶନା ଦେଉଛନ୍ତି । ସୂଚନା ଅନୁଯାୟୀ ଏହି ଫିଲ୍ମ ଚଳିତ ବର୍ଷ ଜୁଲାଇରେ ବଡ଼ ପରଦାରେ ରିଲିଜ୍‌ କରାଯିବ । ସେପଟେ ଜନ୍‌ ଆବ୍ରାହାମଙ୍କ ଆଉ ଏକ ନୂଆ ଫିଲ୍ମ ଆଟାକ୍‌ର ରିଲିଜ୍‌ ତାରିଖକୁ କରୋନା କାରଣରୁ ଘୁଞ୍ଚାଯାଇଛି । ୨୮ ଜାନୁଆରୀ ବଦଳରେ ୨୫ ଫେବୃଆରୀରେ ରିଲିଜ୍‌ କରିବା ପାଇଁ ଆଟାକ୍‌ ମେକର୍ସ ଯୋଜନା କରୁଛନ୍ତି । ଏହି ଫିଲ୍ମରେ ଜନ୍‌ଙ୍କ ସହ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ଏବଂ ରକୁଲ ପ୍ରୀତ ସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ମଧ୍ୟ ଏକ ଆକ୍ସନ ଥ୍ରୀଲର ଫିଲ୍ମ । ଶେଷ ଥର ପାଇଁ ଜନ୍‌ଙ୍କୁ ସତ୍ୟମେବ ଜୟତେ-୨ରେ ନଜର ଆସିଥିଲେ, ଯାହା ନଭେମ୍ବର ୨୦୨୧ରେ ରିଲିଜ୍‌ ହୋଇଥିଲା ।

Har Ghar Tiranga