ଉତ୍ତର ବୋସନିଆନ: ପତ୍ନୀଙ୍କୁ ଖୁସି କରିବା ପାଇଁ ଜଣେ ବ୍ୟକ୍ତି ୩୬୦ ଡିଗ୍ରୀ ଘୁରୁଥିବା ଘର ନିର୍ମାଣ କରିଛନ୍ତି । ପତ୍ନୀ ଚାହୁଁଥିଲେ ଯେ, ତାଙ୍କ ଘରର ଝରକାରୁ ଭିନ୍ନ ଭିନ୍ନ ଦୃଶ୍ୟ ଦେଖାଯାଉ । ଏନେଇ ବାରମ୍ବାର ସ୍ତ୍ରୀର ଅଭିଯୋଗ ଶୁଣିବା ପରେ ଭୋଜିନ କୁସିକ ନାମକ ଜଣେ ବ୍ୟକ୍ତି ଘୁରୁଥିବା ଘର ନିର୍ମାଣ କରିଛନ୍ତି, ଯେଉଁଥିରୁ ତାଙ୍କ ପତ୍ନୀ ତାଙ୍କ ଇଚ୍ଛା ମୁତାବକ ଜଙ୍ଗଲ, ପାହାଡ଼, ନଦୀ ପରି ଦୃଶ୍ୟ ଦେଖିପାରିବେ । କୁସିକଙ୍କ ଏହି ନିଆରା ଘର ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଉତ୍ତର ବୋସନିଆନର ସରକ୍ୟାବ୍ ସହରରେ ରହୁଥିବା ୭୨ ବର୍ଷୀୟ ଭୋଜିନ କୁସିକ ଏହି ଘର ନିର୍ମାଣ କରିଛନ୍ତି । କୁସିକ ଦ୍ୱାରା ଡିଜାଇନ ହୋଇଥିବା ଘର ୭ ମିଟର ଅକ୍ଷ ପଥରେ ଦିଗ ପରିବର୍ତ୍ତନ କରିିଥାଏ । ଏହି ଘର ମନ୍ଥର ଗତିରେ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଚକ୍ର ସମ୍ପୂର୍ଣ୍ଣ କରିଥାଏ । ସେହିପରି ସବୁଠାରୁ ଅଧିକ ବେଗରେ ୨୨ ସେକେଣ୍ଡରେ ପୁରା ୩୬୦ ଡିଗ୍ରୀ ବୁଲିଥାଏ । କୁସିକଙ୍କ କହିବା ଅନୁଯାୟୀ ତାଙ୍କ ପତ୍ନୀଙ୍କ ନିର୍ଦ୍ଦେଶ କ୍ରମେ ଘରର ଲଗାତାର ନବୀକରଣ କରାଯାଉଥିଲା, ଯାହା ତାଙ୍କ ପାଇଁ ପ୍ରତିଥର ପରି ବିରକ୍ତିକର ଥିଲା । ହେଲେ ଦିନେ ଘର ନବୀକରଣରୁ ବର୍ତ୍ତିବା ପାଇଁ ଏପରି ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ ପତ୍ନୀଙ୍କୁ କହିଥିଲେ, ଯାହାକୁ ସେ ନିଜ ଇଚ୍ଛା ଅନୁଯାୟୀ ବୁଲାଇ ପାରିବେ । ସେ ସର୍ବିଆ-ଆମେରିକୀୟ ଆବିଷ୍କାରକ ନିକୋଲା ଟେସ୍ଲା ଏବଂ ମିହାଜଲୋ ପୁପିନଙ୍କଠାରୁ ପ୍ରେରିତ ହୋଇ ଏହି ଘର ନିର୍ମାଣ କରିଛନ୍ତି । ଏହି ଟେକ୍ନୋଲୋଜି ପାଇଁ କେବଳ ଇଚ୍ଛା ଏବଂ ଜ୍ଞାନ ଆବଶ୍ୟକ ବୋଲି କୁସିକ କହିଛନ୍ତି । ଏହି ପ୍ରୋଜେକଫକୁ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ୬ ବର୍ଷ ସମୟ ଲାଗିଥିଲା । ସେ କହିଛନ୍ତି ଏହି ଘର ସାମାନ୍ୟ ସ୍ଥିର ଘର ତୁଳନାରେ ଅଧିକ ଭୂକମ୍ପ ପ୍ରତିରୋଧୀ । ଏବେ କୁସିକଙ୍କ ଘର ଏକ ପର୍ଯ୍ୟଟନସ୍ଥଳୀ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି ।
Comments are closed.