ବୌଦ୍ଧରେ ବଢ଼ୁଛି ସଡ଼କ ଦୁର୍ଘଟଣାଜନିତ ମୃତୁ୍ୟହାର: ତିନି ମାସରେ ୨୧ ଜଣଙ୍କ ମୃତୁ୍ୟ

ଜିଲ୍ଲାରେ ବଢୁଥିବା ଦୁର୍ଘଟଣା ମୃତୁ୍ୟକୁ ନେଇ ଜିଲ୍ଲାପାଳଙ୍କ ଉଦବେଗ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହାର ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଆବାସିକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣାଜନିତ ମୃତୁ୍ୟକୁ ନେଇ ଜିଲ୍ଲାପାଳ ଶ୍ରୀ ମିଶ୍ର ଉଦବେଗ ପ୍ରକାଶ କରିବା ସହିତ ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଜାତୀୟ ରାଜପଥରେ ଦୁର୍ଘଟଣାସ୍ଥଳଗୁଡିକୁ ଚିହ୍ନଟ କରାଯାଇ ଗାଡ଼ିଚାଳକମାନଙ୍କ ପାଇଁ ଉପଯୁକ୍ତ ସୂଚନା ଫଳକ ଲଗାଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ।

ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ୨୦୨୨ ବର୍ଷର ପ୍ରଥମ ତିନିମାସରେ ୨୧ ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ହୋଇସାରିଛି । ଜାନୁୟାରୀ ମାସରେ ୬ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଫେବୃୟାରୀ ମାସରେ ୭ ଜଣ ଓ ମାର୍ଚ୍ଚ ମାସରେ ୮ ଜଣଙ୍କ ମୃତୁ୍ୟ ହୋଇଥିବା ରେକର୍ଡ କରାଯାଇଛି । ତେବେ ଏଣିକି ଯେଉଁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସଡ଼କ ଦୁର୍ଘଟଣା ଘଟିବ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସତର୍କ କରାଇଦେଇଥିଲେ । ଜାତୀୟ ରାଜପଥ ନିର୍ମାଣ ହେବାପରେ ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ଭାବରେ ଲାଗୁ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତିି ।

ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ବର୍ଷର ପ୍ରଥମ ତିନିମାସରେ ମଦ୍ୟପାନ କରି ଗାଡି ଚାଳନା ପାଇଁ ୪ ଜଣ, ଦ୍ରୁତ ଗତି ପାଇଁ ୩୭୬ ଜଣ, ଅନୁମତି ଠାରୁ ଅଧିକମାତ୍ରାରେ ସାମଗ୍ରୀ ବୋଝେଇ ପାଇଁ ୫୫ ଜଣ, ମାଲ ପରିବହନ ଗାଡିରେ ଯାତ୍ରୀ ପରିବହନ ପାଇଁ ୧୫ଜଣ, ହେଲମେଟ ବ୍ୟବହାର ନକରିବା ଯୋଗୁଁ ୩୮୮ ଜଣ, ସିଟ ବେଲଟ୍‌ ନଲଗାଇବା ପାଇଁ ୧୭ ଜଣ ଓ ଗାଡ଼ିଚାଳନା ସମୟରେ ମୋବାଇଲ ବ୍ୟବହାର ପାଇଁ ୫୪ ଜଣ,ରେଡ ଲାଇଟ ଅତିକ୍ରମଣ ଯୋଗୁଁ ୫ ଜଣ ଏହିପରି ସମୁଦାୟ ୯୧୪ ଜଣ ଗାଡ଼ିଚାଳକଙ୍କ ଲାଇସେନସ ନିଳମ୍ବିତ କରାଯାଇଛିି । ଟ୍ରାଫିକ୍‌ ନିୟକ ଉଲଂଘନକାରୀଙ୍କୁ ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ଆଞ୍ଚଳିକ ପରିବହନ ବିଭାଗ ଓ ଜିଲ୍ଲା ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବୌଦ୍ଧ ସହରର ଏନଏସି ଛକଠାରେ ସ୍ଥାପିତ ନୂତନ ଟ୍ରାଫିକ ଛକରେ ଥିବା ଜବରଦଖଲ ହଟାଇବା ସହିତ ୫୦ ମିଟର ପର୍ଯ୍ୟନ୍ତ ନୋ ପାର୍କିଂ ଜୋନ ଭାବରେ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମହାନଦୀ ବ୍ରିଜ ଛକଠାରେ ବହୁ ସଂଖ୍ୟାରେ ଟ୍ରକ ରାସ୍ତା ଉପରେ ଛିଡା ହେବାଯୋଗୁଁ ସବୁବେଳେ ଦୁର୍ଘଟଣା ଆଶଙ୍କା ରହୁଥିବାରୁ ସେଗୁଡିକୁ ନିର୍ଦ୍ଧାରିତ ସ୍ଥାନରେ ରଖିବାକୁ ଜିଲ୍ଲାପାଳ ସଂଘର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।

ଅନ୍ୟପକ୍ଷରେ, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପର୍ଯ୍ୟନ୍ତ ପହଞ୍ଚାଇବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକା ପୁରସ୍କାର ରାଶି ପ୍ରଦାନ ପାଇଁ ସରକାର ଘୋଷଣା କରିଥିବାବେଳେ ଏହାର ପ୍ରଚାର ପ୍ରସାର ସହିତ ଉପଯୁକ୍ତ ଲୋକଙ୍କୁ ଚିହ୍ନଟ କରାଯାଇ ପ୍ରଦାନ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତିି, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁ, ଜୁନିୟର ଏମଭିଆଇ ପ୍ରମୋଦ କୁମାର ସିଂହ, ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା, ଅଭୟ କୁମାର ଦାଶ, ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରନ ପଣ୍ଡା, ବୌଦ୍ଧ ଯୁବ ରେଡକ୍ରସ ର ସଂପାଦକ ଅଧ୍ୟପକ ପ୍ରବୀର କୁମାର ଦାସ, ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଶିବ ପ୍ରସାଦ ମିଶ୍ର, ଘରୋଇ ବସ ମାଲିକ ସଂଘ ସଂପାଦକ ରାଜକିଶୋର ପଟ୍ଟନାୟକ, ସଡ଼କ ସୁରକ୍ଷା କମିଟି ସଦସ୍ୟ ଶଶାଙ୍କ ଶେଖର ମିଶ୍ରଙ୍କ ସମେତ ଜାତୀୟ ରାଜପଥ ଓ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.