ଦୀର୍ଘ ବର୍ଷର ଅପେକ୍ଷା ପରେ ୨୦୨୨ର ସବୁଠୁ ପାୱାରପ୍ୟାକ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର- ପାର୍ଟ ୧’ର ଟ୍ରେଲର୍କୁ ରିଲିଜ୍ କରାଯାଇଛି । ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଫିଲ୍ମରେ ବଲିଉଡ୍ର ନାମୀଦାମୀ କଳାକାର ଯଥା ରଣବୀର କପୁର, ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ, ମୌନୀ ରୟଙ୍କ ସମେତ ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ଦମଦାର ଅଭିନୟ ଏହି ଟ୍ରେଲରରେ ଦେଖିବାକୁ ମିଳିଛି । ଏହାବ୍ୟତୀତ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା ପ୍ରଶଂସକଙ୍କ ପାଇଁ ରହିଛି ଆଲିୟା-ରଣବୀରଙ୍କ ରୋମାଣ୍ଟିକ ସିନ୍ ଏବଂ ଶିହରଣ ସୃଷ୍ଟି କରିଥିବା ପାୱାରଫୁଲ୍ ଗ୍ରାଫିକ୍ସ । ଏହି ୨ ମିନିଟ୍ ୫୧ ସେକେଣ୍ଡର ଟ୍ରେଲରରେ ହିଁ ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ଭାବେ ଜଣାପଡ଼ିଯାଉଛି ।
ପ୍ରାୟ ୮ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଫିଲ୍ମଟି ପରିଶେଷରେ ୯ ସେପେଫମ୍ବର ୨୦୨୨ରେ ସାରା ଦେଶରେ ଫ୍ଲୋର ଉପରକୁ ଆସିବା ପାଇଁ ଏକଦମ୍ ପ୍ରସ୍ତୁତ । ଏପରିସ୍ଥିତିରେ ଏହାର ଟ୍ରେଲରକୁ ଦେଖି ଦର୍ଶକମାନେ କହିଛନ୍ତି ଯେ ଫିଲ୍ମ ପାଇଁ ଏତେ ଅପେକ୍ଷା କରିବା କିଛି ଭୁଲ ହୋଇନାହିଁ । କାରଣ ପ୍ରଥମରୁ ହିଁ ଟ୍ରେଲରଟି ସମସ୍ତଙ୍କ ମନକୁ ଛୁଇଁଛି । ଟ୍ରେଲରରେ ଶିବା ଚରିତ୍ରରେ ରଣବୀର କପୁରଙ୍କ ଜବରଦସ୍ତ ଏବଂ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ଏହାସହ ମୌନୀ ରୟ, ଅମିତାଭ ବଚ୍ଚନଙ୍କ ବଳିଷ୍ଠ ଅଭିନୟ କାହାଣୀକୁ ଆହୁରି ଦୃଢ କରୁଛି । ସେହିପରି ପ୍ରଥମ ଥର ପରଦାକୁ ଆସିଥିବା ରଣବୀର-ଆଲିୟାଙ୍କ ଯୋଡ଼ି ରୋମାଞ୍ଚିତ କରୁଛି ।
ଏହି ସୁପରନାଚୁରାଲ ସ୍କାଇ-ଫାଇ ଫିଲ୍ମରେ ନାଗାର୍ଜୁନଙ୍କ ଭୂମିକାକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ । ସୂଚନା ଅନୁଯାୟୀ ସେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି । ଏହାଛଡ଼ା ଚର୍ଚ୍ଚା ହେଉଛି ଯେ ବ୍ରହ୍ମାସ୍ତ୍ରରେ ଶାହାରୁଖ ଖାନ କେମିଓ ରୋଲ୍ରେ ନଜର ଆସିପାରନ୍ତି । ସେ ଜଣେ ବୈଜ୍ଞାନିକ ଚରିତ୍ରରେ ଫିଲ୍ମରେ ସ୍କ୍ରିନ ସେୟାର କରିବେ । ହେଲେ ଟ୍ରେଲରରେ ଏହାକୁ ପ୍ରଦର୍ଶିତ କରାଯାଇନାହିଁ । ବ୍ରହ୍ମାସ୍ତ୍ର ଟ୍ରେଲରକୁ ସୋସିଆଲ ମିଡିଆରେ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି । ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, ମଲୟାଲମ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)