ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପକୁ କ୍ୟାବିନେଟ୍‌ ମଞ୍ଜୁରି

ଦିଲ୍ଲୀ : ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୨ ଭାରତରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ୧୧ରୁ ୩୦ ଅକେଫାବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ । ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମଥର ପାଇଁ ଭାରତରେ ଆୟୋଜନ କରାଯାଉଛି । ଏହା ହେବ ଭାରତରେ ଆୟୋଜିତ ଫିଫାର ସର୍ବପ୍ରଥମ ମହିଳା ବିଶ୍ୱ ପ୍ରତିଯୋଗିତା । ଏଥିପୂର୍ବରୁ ୧୭ ବର୍ଷରୁ କମ ପୁରୁଷ ଫିଫା ବିଶ୍ୱକପ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା । ଏହି ପରମ୍ପରାକୁ ଆଗେଇ ନେଇ ମହିଳା ଫୁଟବଲର ସମ୍ମାନଜନକ ପ୍ରତିଯୋଗିତା ବିଶ୍ୱକପ ଆୟୋଜନ ପାଇଁ ଦେଶ ପ୍ରସ୍ତୁତ ହେଉଛି । ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରି ଏହି ସମ୍ମାନଜନକ ଟ୍ରଫି ପାଇଁ ପରସ୍ପର ସହ ମୁକାବିଲା କରିବେ ।

ଖେଳପଡ଼ିଆ ରକ୍ଷଣାବେକ୍ଷଣ, ଷ୍ଟାଡିୟମ କ୍ଷମତା ବିକାଶ, ବିଦ୍ୟୁତ ସଂଯୋଗ ଓ କେବଲିଂ, ଷ୍ଟାଡିୟମ ଏବଂ ପ୍ରଶିକ୍ଷଣ କ୍ଷେତ୍ରର ବିକାଶ ଆଦି ପାଇଁ ସର୍ବଭାରତୀୟ ପୁଟବଲ ମହାସଂଘ (ଏଆଇଏଫଏଫ)କୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଜାତୀୟ କ୍ରୀଡ଼ା ସଂଘମାନଙ୍କୁ ସହାୟତା ଯୋଜନା ପାଇଁ ଆବଣ୍ଟିତ ବଜେଟରୁ ଏହି ଅର୍ଥ ବରାଦ କରାଯାଇଛି ।

୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ ହେଉଛି ୧୭ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଫୁଟବଲ ପ୍ରତିଯୋଗିତା, ଯାହାକି ଫିଫା ଦ୍ୱାରା ଆୟୋଜିତ ହୋଇଥାଏ । ଏହି ପ୍ରତିଯୋଗିତାର ଆୟୋଜନ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପାରମ୍ପରିକ ଭାବେ ପ୍ରତି ଯୁଗ୍ମ ସଂଖ୍ୟା ବିଶିଷ୍ଟ ବର୍ଷରେ ଏହା ଆୟୋଜିତ ହୋଇଥାଏ ।

ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ୧୩ ନଭେମ୍ବର ଠାରୁ ୧ ଡିସେମ୍ବର, ୨୦୧୮ ପର୍ଯ୍ୟନ୍ତ ଉରୁଗୁଏ ଠାରେ ଅନୁଷ୍ଠିତ ହୋଇଥିଲାଛ ଏହି ସଂସ୍କରଣରେ ସ୍ପେନ ଚାମ୍ପିଅନ ହୋଇଥିଲା । ଭାରତରେ ଆୟୋଜିତ ହେଉଥିବା ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱ କପରେ ଭାରତ ସମେତ ମୋଟ ୧୬ଟି ଦଳ ଭାଗ ନେବେ ।

ଏଆଇଏଫଏଫ ତିନୋଟି ସ୍ଥାନରେ ପ୍ରତିଯୋଗିତାର ମ୍ୟାଚ ଗୁଡ଼ିକ ଆୟୋଜନ କରିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଏହି ସ୍ଥାନଗୁଡ଼ିକ ହେଲା- ଭୁବନେଶ୍ୱର, ନଭୀ ମୁମ୍ବାଇ ଏବଂ ଗୋଆ ।

Comments are closed.