ହିନ୍ଦୁ ଧର୍ମର ନିୟମ ଅନୁସାରେ କୃଷ୍ଣଙ୍କର ଜନ୍ମ ମଧ୍ୟରାତ୍ରିରେ ପାଳନ କରାଯାଇଥାଏ । ଯାହା କୃଷ୍ଣାଷ୍ଟମୀ, ସାତମ୍ ଆଠମ୍, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ, ଶ୍ରୀ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀ ନାମରେ ମଧ୍ୟ ଜଣାଶୁଣା । ହେଲେ ବୃଦାବନରେ ଏଭଳି ଦୁଇଟି ସ୍ଥାନ ରହିଛି, ଯେଉଁଠାରେ ଦିନରେ ପାଳନ ହୋଇଥାଏ କୃଷ୍ଣଜନ୍ମ । ତେବେ ଏହି ପରମ୍ପରା ଆଜି କାଲିର ନୁହେଁ ଏହା ପାଖାପାଖି ୪୭୫ ବର୍ଷର ।
ବୃନ୍ଦାବନର ଥିବା ରାଧାଦାମଦୋର ମନ୍ଦିର ଏବଂ ରାଧାରମଣ ମନ୍ଦିରରେ ଜନ୍ମାଷ୍ଟମୀର ମୂଳ ବିଧି କୃଷ୍ଣଜନ୍ମ ବିଧିକୁ ଦିନରେ ପାଳନ କରାଯାଇଥାଏ । ଏହାପଛରେ ଥିବା ଲୋକ କଥା ଅନୁସାରେ ରାତିରେ ଭଗବାନ ଶ୍ରୀକୃଷ୍ଣଙ୍କ ନିଦରେ ବାଧା ନଦେଇ ଦିନରେ ଏହି ପର୍ବକୁ ପାଳନ କରାଯାଇଥାଏ । ସେହିଭଳି ଅନ୍ୟ ଏକ ଲୋକବାଣୀ ଅନୁସାରେ ପ୍ରାୟ ୪୭୫ ବର୍ଷ ପୂର୍ବେ ଏଠାରେ ଦିନରେ ଶ୍ରୀକୃଷ୍ଣ ଦର୍ଶନ ଦେଇଥିଲେ ତେଣୁ ସେବେଠାରୁ ଏଠାରେ ଦିନରେ ଜନ୍ମାଷ୍ଟମୀ ପାଳନ କରାଯାଇଥାଏ । ତେବେ ଏହି ନିଆରା ଜନ୍ମାଷ୍ଟମୀ ଦେଖିବାକୁ ସ୍ଥାନୀୟ ଲୋକଠାରୁ ଆରମ୍ଭ କରି ଦେଶୀ, ବିଦେଶୀ ପର୍ଯ୍ୟଟଙ୍କର ଭିଡ ଜମିଥାଏ ।
ଘରେ କରନ୍ତୁ
ଆଜିକାଲି କେବଳ ମନ୍ଦିର ନୁହେଁ ଘରେ ମଧ୍ୟ ସାଧାରଣ ଲୋକ ଖୁବ ଧୁମଧାମରେ ଜନ୍ମାଷ୍ଟମୀ ପାଳନ କରୁଛନ୍ତି । ତେବେ ଘରେ କିଛି ଦିଗରେ ଧ୍ୟାନଦେଲେ ଆପଣ ମଧ୍ୟ ଖୁବ ସୁନ୍ଦର ଭାବେ ଜନ୍ମାଷ୍ଟମୀ ପାଳନ କରିପାରିବେ ।
ଚୟନ କରନ୍ତୁ ସଠିକ୍ ମୂର୍ତ୍ତି
ଜନ୍ମାଷ୍ଟମୀ ପାଳନର ମୂଳ ବିଧି ହେଲା କୃଷ୍ଣଙ୍କର ପୂଜା । ଏଥିରେ କୃଷ୍ଣଙ୍କର ମୂର୍ତ୍ତି ବିଶେଷ ଭୂମିକା ଗ୍ରହଣ କରିଥାଏ । କାରଣ ଝାଙ୍କିର ପ୍ରମୁଖ ଆକର୍ଷଣ ମୂର୍ତ୍ତି ହୋଇଥାଏ । ତେଣୁ ମୂର୍ତ୍ତି ଚୟନ ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ । କିଭଳି ଏକ ଆକର୍ଷଣୀୟ ମୂର୍ତ୍ତି ପୂଜାରେ ବସିବ ସେଥିପାଇଁ ଯତ୍ନବାନ ହୁଅନ୍ତୁ । ମୂର୍ତ୍ତିରେ ଆପଣ ମାର୍ବଲ, ବ୍ରୋଞ୍ଚ ଆଦି ଚୟନ କରିପାରିବେ । ଏହା ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ, ଯାହା ଆପଣଙ୍କ ଝାଙ୍କିର ଶୋଭା ବଢାଇବ । ସେହିଭଳି ବେଶି ଆକର୍ଷଣୀୟ କରିବା ପାଇଁ କିଛି ଥିମ ରଖିପାରିବେ । ଯାହା ଅନୁଯାୟୀ ଆପଣ ପୋଷାକ ସହିତ ଡେକୋରେସନ ମଧ୍ୟ କରିପାରିବେ ।
ଫୁଲର ବ୍ୟବହାର
ଫୁଲ ସର୍ବଦା ଯେ କୌଣସି ସାଜସଜ୍ଜାକୁ ପ୍ରାକୃତିକ ଉପାୟରେ ବେଶ୍ ସୁନ୍ଦର କରିଥାଏ । ତେଣୁ ଆର୍ଟିଫିସିଆଲ ଡେକୋରେସନ ଅପେକ୍ଷା ଫୁଲରେ ସଜାଇଲେ ଏହା ବେଶି ସୁନ୍ଦର ଦେଖାଯାଇଥାଏ । ଆପଣ ଫୁଲରେ ବିଭିନ୍ନ କଲରର କମ୍ବିନେସନ କରି ଚୟନ କରିପାରିବେ, ଯାହା ଆପଣଙ୍କ ଝାଙ୍କିକୁ ପାକୃତି ଲୁକ ଦେବା ସହ କଲରଫୁଲ ମଧ୍ୟ କରିବ ।
ଆଲୋକକୁ ଦିଅନ୍ତୁ ବିଶେଷ ଧ୍ୟାନ
ଝାଙ୍କି ସଜାଇବାରେ ଆଲୋକର ଭୂମିକା ବେଶ୍ ଗୁରୁତ୍ୱ ପୂର୍ଣ୍ଣ । ତେଣୁ ଫୁଲ ସହିତ କମ୍ବିନେସନ କରି ଆଲୋକ ବାଛନ୍ତୁ । ଏହା ଝାଙ୍କିକୁ ବେଶ୍ ସୁନ୍ଦର କରିବା ସହିତ ରାତିରେ ଝାଙ୍କି ବେଶ୍ ଆକର୍ଷଣୀୟ ଲାଗିଥାଏ ।
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ହିନ୍ଦୁ ମାନଙ୍କର ଏକ ପବିତ୍ର ପର୍ବ । ଏହି ପର୍ବକୁ ଗୋକୁଳାଷ୍ଟମୀ ଭାବରେ ମଧ୍ୟ ପାଳନ କରାଯାଏ । ଭଗବାନ ବିଷ୍ଣୁଙ୍କ ଦଶାବତାର ମଧ୍ୟରୁ ଅଷ୍ଟମ ଓ ଚବିଶ ଅବତାର ମଧ୍ୟରୁ ୨୨ ଅବତାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅତ୍ୟନ୍ତ ଆନନ୍ଦଉଲ୍ଲାସ ମଧ୍ୟରେ ପାଳନ କରାଯାଏ । ଏହି ଉତ୍ସବ କୃଷ୍ଣ ପକ୍ଷ ଅଷ୍ଟମ ଦିନ ଭାଦ୍ରପଦରେ ପାଳନ କରାଯାଏ । ଭାଗବତ ପୁରାଣ ଅନୁସାରେ କୃଷ୍ଣଙ୍କ ଜୀବନର ନୃତ୍ୟ ନାଟକ ପରମ୍ପରା, ଜନ୍ମ ସମୟରେ ମଧ୍ୟରାତ୍ରୀରେ ଭଜନ ଗାୟନ, ଉପବାସ, ରାତ୍ରୀ ଉଜାଗର ଓ ଏହାର ପର ଦିନ ନନ୍ଦ ଉତ୍ସବ ଇତ୍ୟାଦି ଆୟୋଜନ କରାଯାଏ ।
ଏହି ଉତ୍ସବର ଆୟୋଜନ ମଥୁରା ଓ ବୃନ୍ଦାବନରେ ଅଧିକ ଭବ୍ୟ ହୋଇଥାଏ । ଗୌଡୀୟ ବୈଷ୍ଣବ ପରମ୍ପରାରେ ଶ୍ରୀକୃଷ୍ଣଙ୍କୁ ଭଗବାନଙ୍କ ସର୍ବୋଚ୍ଚ ବ୍ୟକ୍ତିତ୍ୱ ମନେ କରାଯାଏ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ମଥୁରାରେ ହୋଇଥିଲା ଯେଉଁଠି କଂସର ଅରାଜକତା ସବୁ ସୀମା ଟପି ଯାଇଥିଲା । କଂସର ଅତ୍ୟାଚାରରୁ ଧରାକୁ ମୁକ୍ତ କରିବା ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବରେ ଶ୍ରୀକୃଷ୍ଣ ବସୁଦେବ ଓ ଦେବକୀଙ୍କ କୋଳରେ ଜନ୍ମ ନେଇଥିଲେ ।
କାଶୀରେ ଗଙ୍ଗା ପାଲଟିଯାଏ କାଳନ୍ଦୀ
ଆଧ୍ୟାତ୍ମିକ ସହର କାଶୀରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ଜଡିତ ଅଭିନବ ପରମ୍ପରା ଦେଖିବାକୁ ମିଳିଥାଏ । ଏହି ପରମ୍ପରାର ନାମ ନାଗନଥେୟା । ଜନ୍ମାଷ୍ଟମୀରେ ଏହାର ଆୟୋଜନ ସମସ୍ତଙ୍କ ସାମ୍ନାରେ ଦ୍ୱାପର ଯୁଗକୁ ଜୀବନ୍ତ କରିଦିଏ । ଯଦିଓ ଦ୍ୱାପର ଯୁଗୀୟ କଥାରେ କାଶୀ ସହ ଶ୍ରୀକୃଷ୍ଣଙ୍କ କୌଣସି ପ୍ରତ୍ୟକ୍ଷ ସମ୍ବନ୍ଧ ନାହିଁ କିନ୍ତୁ ଦ୍ୱାପର ଯୁଗରେ ବି ଏହି ସହର ମହତ୍ତ୍ୱପୂର୍ଣ୍ଣ ରହିଆସିଛି । ଭୀଷ୍ମଙ୍କ ଦ୍ୱାରା କାଶୀ ନରେଶଙ୍କ କନ୍ୟା ହରଣ ପରି କାହାଣୀ ଦ୍ୱାପର ସହ କାଶୀକୁ ଯୋଡିଥାଏ । ଏହି ମାନ୍ୟତା ଏଠାରେ ପ୍ରତିବର୍ଷ ନାଗନଥେୟା ଆୟୋଜିତ ହୋଇଥାଏ । ଏହି ପରମ୍ପରା ତୁଳସୀ ଦାସଙ୍କ ଦ୍ୱାରା ଆୟୋଜିତ ହୋଇଥିବାର ମାନ୍ୟତା ରହିଛି । କାଳୀ ନାଗର ଫଣା ଉପରେ ଶ୍ରୀକୃଷ୍ଣଙ୍କ ନୃତ୍ୟର ନାଟ୍ୟ ରୂପାନ୍ତର ଗତ ପ୍ରାୟ ୪୫୦ ବର୍ଷ ଧରି ତୁଳସୀ ଘାଟରେ ଆୟୋଜିତ ହୋଇ ଆସୁଛି । ଏହି ଉତ୍ସବ ସେଠାରେ ଲକ୍ଷା ମେଳା ନାମରେ ଆୟୋଜିତ ହୋଇଥାଏ । ଲୀଳା କ୍ରମରେ କନ୍ଦୁକ କ୍ରୀଡା ସମୟରେ ଶ୍ରୀକୃଷ୍ଣ ବାଲ୍ୟସଖାଙ୍କ ବଲ୍କୁ କାଳିନ୍ଦୀ ନଦୀ ପାଲଟିଥିବା ଗଙ୍ଗାରେ ଫିଙ୍ଗି ଦିଅନ୍ତି ଓ ଏହାକୁ ନଦୀରୁ କାଢିବା ପାଇଁ ପରମ୍ପରା ଅନୁସାରେ ସନ୍ଧ୍ୟା ୪ଘ ୪୦ ମିନିଟ୍ ସମୟରେ ଶ୍ରୀକୃଷ୍ଣଙ୍କ ପ୍ରତିରୂପ ବାଳକ କଦମ୍ବ ଗଛ ଉପରେ ଚଢି ନଦୀକୁ ଲମ୍ଫ ଦେଇଥାନ୍ତି । ଏହାର କିଛି ସମୟ ପରେ କାଳୀୟ ନାଗ (କୃତ୍ରିମ) ଫଣା ମେଲାଇ ବାହାରକୁ ଆସିଥାଏ ଓ ଶ୍ରୀକୃଷ୍ଣ ତାର ଫଣା ଉପରେ ଚଢି ଚଉଦିଗକୁ ଘୁରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।
ଶ୍ରୀକୃଷ୍ଣଙ୍କ ଷଷ୍ଠୀ ପୂଜା
ମଥୁରାରେ ଜନ୍ମ ନେବା ପରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପିତା ବାସୁଦେବ ଗୋକୁଳ ନେଇ ଆସିଥିଲେ । ଏହାପରେ ବ୍ରଜରେ ଗୋକୁଳର ମହତ୍ତ୍ୱ ଅଧିକ ବଢିଗଲା ଯେଉଁଠି ଶ୍ରୀକୃଷ୍ଣ ବାଲ୍ୟ ଲୀଳାଖେଳା କରିଥିଲେ । ଏହାକୁ ବୈକୁଣ୍ଠ ଠାରୁ ମଧ୍ୟ କୌଣସି ଗୁଣରେ କମ୍ ବୋଲି ମନେ କରାଯାଏ ନାହିଁ । ଏଠି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପୂର୍ବରୁ ଷଷ୍ଠୀ ପୂଜା କରାଯାଏ । ଧାର୍ମିକ ମାନ୍ୟତା ରହିଛି ଯେ, ମାତା ଯଶୋଦା ରାକ୍ଷସମାନଙ୍କ ଭୟରେ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଷଷ୍ଠୀ ପୂଜା କରି ନ ଥିଲେ । ଶ୍ରୀକୃଷ୍ଣଙ୍କୁ ୧ ବର୍ଷ ହେବା ପରେ ଏଠାରେ ଜନ୍ମୋତ୍ସବ ପାଳନର ଏକ ଦିନ ପୂର୍ବରୁ ଯଶୋଦା ଷଷ୍ଠୀ ପୂଜା କରିଥିଲେ । ନନ୍ଦ ଭବନ ନନ୍ଦକୀଳା ମନ୍ଦିରରେ ଜନ୍ମୋତ୍ସବର ଏକଦିନ ପୂର୍ବରୁ ଶ୍ରୀକୃଷ୍ଣଙ୍କ ଷଷ୍ଠୀପୂଜା କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଷଷ୍ଠୀ ପୂଜା କରିବା ଦ୍ୱାରା ଅପୁତ୍ରିକ ମହିଳାଙ୍କୁ ପୁତ୍ର ପ୍ରାପ୍ତି ହୋଇଥାଏ ।
Comments are closed.