ଭୁବନେଶ୍ୱର:ଆଜି ଆମ ସମସ୍ତଙ୍କ ପାଇଁ ପ୍ରେରଣା ଓ ଆତ୍ମବିଶ୍ୱାସର ଦିନ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଦିନ । କାରଣ ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ । ସେ ହେଲେ ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସେ ଥଲେ ମୁଖ୍ୟ ବିନ୍ଧାଣି । ସେ ସାରା ଭାରତବର୍ଷରେ ସ୍ୱଦେଶୀ ଆନ୍ଦୋଳନର ତ୍ରାଣକର୍ତା ଥିଲେ । ସେ ସବୁ ଓଡ଼ିଆଙ୍କ ହୃଦୟରେ ସବୁବେଳେ ଚିରସ୍ମରଣୀୟ ବୋଲି ରାଜ୍ୟ କାର୍ଯ୍ୟାଳୟରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ମଧୁବାବୁଙ୍କ ଜୀବନ ସଂଘର୍ଷମୟ ଥିଲା । ବହୁ ବାଧାବିଘ୍ନ ପରେ ବି ଭାଷାଭିତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସେ ନିରନ୍ତର ପ୍ରୟାସ କରିଥିଲେ । ଇଂଗ୍ରେଜ ସରକାରଙ୍କ ଦମନଳୀଳା ସତ୍ୱେ ଓଡ଼ିଶାର କୋଣ ଅନୁକୋଣରେ ରହୁଥିବା ଓଡ଼ିଆଙ୍କୁ ଏକଜୁଟ୍ କରି ସେମାନଙ୍କ ସ୍ୱାଭିମାନକୁ ଜାଗ୍ରତ କରିଥିଲେ । ସମସ୍ତଙ୍କୁ ଯୋଡ଼ି ରଖିବାରେ ତାଙ୍କର ସାଙ୍ଗଠନିକ ଦକ୍ଷତା ଅତୁଳନୀୟ ଥିଲା । ପ୍ରତିକୂଳ ପରିସ୍ଥିତି ସତ୍ୱେ ମଧୁବାବୁ ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବାରେ ସଫଳ ହୋଇଥିଲେ । ସ୍ନାତକ, ସ୍ନାତକୋତର ଓ ବିଦେଶରୁ ଓକିଲାତି ଶିକ୍ଷା ଲାଭ କରିବାରେ ପ୍ରଥମ ଓଡ଼ିଆ ଥିଲେ ମଧୁବାବୁ । ସେ ଚାହିଁଥିଲେ, ସୁଖୀ ଓ ଆଡ଼ମ୍ବରପୂର୍ଣ୍ଣ ଜୀବନ ବିତାଇପାରିଥାନ୍ତେ । ମାତ୍ର ଓଡ଼ିଶାର ସାମଗ୍ରିକ ଉନ୍ନତି ପାଇଁ ସେ ନିଜକୁ ଉତ୍ସର୍ଗକୃତ କରିଦେଇଥିଲେ । ମଧୁବାବୁ ଓଡ଼ିଶାରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କରିଥିଲେ । ଓଡ଼ିଶାରେ ତାରକସି କାମକୁ ସାରା ଦେଶରେ ପରିଚିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ବହୁ କ୍ଷତି ସହିବା ପରେ ବି ଓଡ଼ିଆଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଜୋତା କାରଖାନା ତିଆରି କରିଥିଲେ । ଓଡ଼ିଶା ଗଠନ ପାଇଁ ତାଙ୍କର ସଂଘର୍ଷମୟ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । କେବଳ ଓଡ଼ିଶା ନୁହେଁ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଭଳି ରାଜ୍ୟର ଲୋକମାନେ ମଧ୍ୟ ଆଜି ମଧୁବାବୁଙ୍କୁ ମନେ ପକାଉଛନ୍ତି । ତାଙ୍କ ବିଷୟରେ ଯେତେ ଆଲୋଚନା କଲେ ବି କମ୍ ହେବ । ସେ ସବୁବେଳେ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ହୋଇରହିବେ । ତାଙ୍କ ନୀତି ଓ ଆଦର୍ଶରୁ ଆଗାମୀ ପିଢ଼ି ଅନେକ କିଛି ଶିକ୍ଷା ଲାଭ କରିପାରିବ । ମଧୁବାବୁଙ୍କ ସ୍ୱପର ଓଡ଼ିଶା ଗଠନ କରିବାକୁ ବିଜେପି ସରକାର ପ୍ରୟାସ ଜାରି ରଖିଛି । ଶିଳ୍ପ, କୃଷି, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଓଡ଼ିଶାକୁ ଏକ ନମ୍ବର କରି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ପଂଚାୟତିରାଜ ମନ୍ତ୍ରୀ ତଥା ବରିଷ୍ଠ ନେତା ରବି ନାରାୟଣ ନାୟକ କହିଥିଲେ, ଯେଉଁ ମହାପୁରଷମାନେ ଦେଶ ଓ ମାତୃକାର ସେବା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି ସେମାନଙ୍କୁ ସର୍ବଦା ମନେ ପକାଇବା ଦରକାର । ମଧୁବାବୁ ଆମ ସମସ୍ତଙ୍କ ପାଇଁ ସବୁବେଳେ ସ୍ମରଣୀୟ । ପିଲାମାନଙ୍କୁ ପାଠ ପଢ଼ା ପ୍ରତି ଆକୃଷ୍ଟ କରିବା ପାଇଁ “ମନ ଦେଇ ପାଠ ପଢ଼ିବି, କାଳିଆ ଘୋଡ଼ା ଚଢ଼ିବି, ମଧୁବାବୁ ସଙ୍ଗେ ସହ ଲଢ଼ିବି” ଏହି ଉକ୍ତିଟି ଓଡ଼ିଆଙ୍କ ଘରେ ଘରେ କୁହାଯାଏ । ମଧୁବାବୁଙ୍କ ଦ୍ୱାରା ଲିଖିତ କବିତା ଓଡ଼ିଆଙ୍କ ଜନମାନସରେ ଆନ୍ଦୋଳନ ସୃଷ୍ଟି କରିଥିଲା । ଆମେ ଓଡ଼ିଆ ବୋଲି ଲୋକଙ୍କ ମନରେ ଭାବନା ସୃଷ୍ଟି କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏବେ ରାଜ୍ୟରେ ବିଜେପିର ଡବଲଇଞ୍ଜିଲ ସରକାର ଚାଲିଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମୋହନ ଚରଣ ମାଝୀ ଏହି ଇଞ୍ଜିନର ପ୍ରଥମ ଡବା ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ଗୁରୁଦାୟିତ୍ୱ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ଗୁଣ୍ଡୁଚି ମୂଷା ପରି ପ୍ରୟାସ କରିବାକୁ ପଡ଼ିବ । ତାହାଲେ ବିକଶିତ ଓଡ଼ିଶା ଗଠନ କରିବାର ଆମେ ସଫଳ ହୋଇପାରିବା ବୋଲି ଶ୍ରୀ ନାୟକ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାଏ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ । ଭୁବନେଶ୍ୱର ଜିଲା ସଭାପତି ନିରଞ୍ଜନ ମିଶ୍ର ସଭା ସଂଚାଳନ କରିଥିବାବେଳେ ରାଜ୍ୟ ସାମାଜିକ ଗଣମାଧ୍ୟମ ସହ ସଂଯୋଜକ ମାନସି ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।