ଓଡ଼ିଶାରେ ଆରମ୍ଭ ହେବ ୫ଜି ଓ ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବା

ଭୁବନେଶ୍ୱର: ଓଡ଼ିଶାରେ ୫ଜି ସେବା ଓ ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବା ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ରେଳ ତଥା ଇଲେକେଫ୍ରାନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଓଡ଼ିଶା ନିର୍ମାଣ କନକ୍ଲେଭ୍‌-୨୨ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକଥା କହିଛନ୍ତି ।

ସେ କହିଛନ୍ତି, ବିଶ୍ୱରେ କୋଣ ଅନୁକୋଣରେ କାମ କରୁଥିବା ଓଡ଼ିଆମାନେ ନିଜ କାର୍ଯ୍ୟରେ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି । ଆଲୁମିନିୟମ ଓ ଷ୍ଟିଲ କ୍ୟାପିଟାଲ ହୋଇପାରିବ ଓଡ଼ିଶା ଶକ୍ତି ଉତ୍ପାଦନରେ ଓଡ଼ିଶା ଯଥେଷ୍ଟ ଆଗରେ । ଦକ୍ଷ ମାନବ ସମ୍ବଳ ଓଡ଼ିଶାକୁ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଏକ ନମ୍ବର କରିପାରିବ ।

ଓଡ଼ିଶା ନିର୍ମାଣରେ ଟେକ୍ନୋଲୋଜିର ଭୂମିକାକୁ ମତ ରଖି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରାକୃତିକ ସମ୍ପଦ ଓ ବିସ୍ତୀର୍ଣ୍ଣ ବେଳାଭୂମି ସହ ଓଡ଼ିଆ ଲୋକ ହିଁ ଓଡ଼ିଶାର ଶକ୍ତି । ୨୦୧୪ ପୂର୍ବରୁ ରେଲେୱର ବିକାଶ ପାଇଁ ଓଡ଼ିଶାକୁ ଆସୁଥିଲା ବାର୍ଷିକ ୮୩୮ କୋଟି ଟଙ୍କା । ମୋଦୀ ସରକାରରେ ଏହି ଅନୁଦାନ ୪ ଗୁଣାରୁ ଅଧିକ ବଢିଛି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କା ରେଲେୱ ଅନୁଦାନ ମିଳିଛି ।

ଓଡ଼ିଶା ପାଇଁ ୫୫, ୨୧୯ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୩୧ ମାର୍ଚ୍ଚ ପରେ ଏବେ ସୁଦ୍ଧା ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । କଂଗ୍ରେସ ସମୟରେ ବର୍ଷକୁ ୨୫ରୁ ୨୬ କିଲୋମିଟର ରେଳ ଲାଇନ ସମ୍ପୂର୍ଣ୍ଣ ହେଉଥିଲା । ଗତବର୍ଷ ଓଡ଼ିଶାରେ ୧୮୦ କିଲୋମିଟରର ନୂଆ ରେଳ ଲାଇନ ନିର୍ମାଣ ହୋଇଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫୫୦ କିଲୋମିଟରର ନୂଆ ରେଳ ଲାଇନ କାର୍ଯ୍ୟ ଓଡ଼ିଶାରେ ଶେଷ ହେବ ।

Comments are closed.