ଭୁବନେଶ୍ୱର: ଡିସେମ୍ବର ୧୧: ବାତ୍ୟା ଜୱାଦରେ କୃଷକଙ୍କ ଅମଳକ୍ଷମ ଶସ୍ୟ ସବୁ ନଷ୍ଟ ହୋଇଯାଇଛି । ଆଉ କେତେକ ଚାଷୀଙ୍କ ଚାରା ସବୁ ପଚି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହିପରି ପରିସ୍ଥିତିରେ ଚାଷୀ କିଭଳି ବ୍ୟାଙ୍କ ଋଣ ପରିଶୋଧ କରିବେ ସେ ନେଇ ଚିନ୍ତା ବଢ଼ିଛି । ଚାଷୀଙ୍କ ଏହି ସମସ୍ୟାକୁ ନଜରେ ରଖି କେନ୍ଦ୍ରର ଏକ ଟିମ୍ ଆଜି ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି । ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଏହି ଟିମ୍ ଛଅ ଭାଗରେ ବିଭକ୍ତ ହୋଇଛନ୍ତି । ତେବେ ସେମାନେ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ । ଏହି ସମୟ ମଧ୍ୟରେ ସେହି ଛଅ ଜଣିଆ ଟିମ୍ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାମାନଙ୍କରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ । ଏହାପରେ ସେହି ରିପୋର୍ଟକୁ କେନ୍ଦ୍ରକୁ ଦେବେ ବୋଲି ସୂଚନା ମିଳିଛି ।
ଜୱାଦ ପ୍ରଭାବରେ ଉପକୂଳ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ଯୋଗୁଁ ଫସଲ ସବୁ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାଷୀ ଓ ଚାଷୀ ପରିବାର ଚିନ୍ତାରେ ରହିଛନ୍ତି । ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଶହ ଶହ ଏକର ଜମିରେ ପନିପରିବା, ଫସଲ ନଷ୍ଟ ହୋଇଛି ।
ଲଗାଣ ବର୍ଷା ଯୋଗୁଁ ବିଲରେ ପାଣି ଜମି ରହି ପରିବା ଓ ଅନ୍ୟାନ୍ୟ ଶସ୍ୟ ସବୁ ପଚିଯାଇଛି । ସେହିପରି ବାସୁଦେବପୁର ବ୍ଲକରେ ଚଳିତ ବର୍ଷ ୩୨ ହଜାର ୨୩୯ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ୯୦ ଭାଗ ଧାନ ଅମଳ ଉପଯୋଗୀ ହୋଇଯାଇଥିଲା । କିନ୍ତୁ ଜୱାଦ ସବୁ ଉଜାଡ଼ି ଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
Comments are closed.