ଏବେ ସେନାରେ କେବଳ ୪ ବର୍ଷ ପାଇଁ ମିଳିବ ନିଯୁକ୍ତି

ଦିଲ୍ଲୀ: ଦୀର୍ଘ ୨୫୦ ବର୍ଷ ଧରି ଭାରତୀୟ ସେନାରେ ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ସବୁଦିନ ପାଇଁ ବଦଳିବାକୁ ଯାଉଛି । ଏବେ ସେନାରେ ଜାତି, ଧର୍ମ ଓ ଆଞ୍ଚଳିକତା ହିସାବରେ ମିଳୁଥିବା ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବଦଳିବାକୁ ଯାଇଛି । ଆଶା କରାଯାଉଛି କି, ସରକାର ଚଳିତ ସପ୍ତାହରେ ଏନେଇ ଘୋଷଣା କରିପାରନ୍ତି । ସରକାର ଏହି ପ୍ରକ୍ରିୟାରେ ନିଯୁକ୍ତିକୁ ‘ଅଗ୍ନିପଥ’ ବୋଲି ନାମକରଣ କରାଯାଇଛି ।

ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ନୂଆ ଯୋଜନାର ଆରମ୍ଭ ଚଳିତ ସପ୍ତାହରୁ ହୋଇପାରେ । ଏହି କ୍ରମରେ ଏବେ ସେନାରେ ଯୁବକମାନଙ୍କୁ କେବଳ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ଏହି ସୈନିକମାନଙ୍କୁ ଅଗ୍ନିବୀର ବୋଲି କୁହାଯିବ । ଏହି ପ୍ରକ୍ରିୟାରେ ନିଯୁକ୍ତି ପାଇଥିବା ସୈନିକଙ୍କୁ ୯ ମାସ ସ୍ଥାନରେ କେବଳ ୬ ମାସ ଟ୍ରେନିଂ ଦିଆଯିବ । ଏହାପରେ ସେମାନେ ସେନାରେ କେବଳ ୩.୬ ବର୍ଷ ଚାକିରି କରିବେ । ଅର୍ଥାତ ନିଯୁକ୍ତି ଠାରୁ ଅବସର ପର୍ଯ୍ୟନ୍ତ କେବଳ ୪ ବର୍ଷର ସମୟ ସୀମା ରହିବ ।

ନିଯୁକ୍ତି ପରେ ଏହି ସୈନିକମାନଙ୍କୁ ମାସିକ ପାଖାପାଖି ୩୦ ହଜାର ଟଙ୍କା ବେତନ ମିଳିବ । ଚାକିରି ବେଳେ ସେମାନଙ୍କ ଦରମାରୁ ପ୍ରତିମାସ ସରକାର କିଛି କାଟିବେ ଓ ଯେତିକି କାଟିବେ ତା ସହିତ ସେତିକି ଯୋଡି ସେମାନଙ୍କୁ ଅବସର ବେଳେ ପ୍ରଦାନ କରାଯିବ । ଆନୁମାନିକ ଜଣେ ସେନା କର୍ମଚାରୀ ୪ ବର୍ଷ ଚାକିରି କରି ଅବସର ନେବା ବେଳେ ତାଙ୍କୁ ୧୦-୧୧ ଲକ୍ଷ ଟଙ୍କା ମିଳିପାରେ ।
ସେନା ବିଶେଷଜ୍ଞଙ୍କ ମତରେ ସରକାରଙ୍କ ଏଭଳି ଯୋଜନା ଦ୍ୱାରା ସେନାରେ ଯୁବକଙ୍କ ସଂଖ୍ୟା ବିଢିବ । ପ୍ରତିବର୍ଷ ସର୍ବାଧିକ ପରିମାଣର ସୈନିକ ଅବସର ନେବେ ଓ ନୂଆ ଯୁବକଙ୍କୁ ଚାକିରି ମିଳିବ । ଏବେ ଭାରତୀୟ ସେନାରେ ପାଖାପାଖି ୧୩ ଲକ୍ଷ କର୍ମଚାରୀ ରହିଛନ୍ତି ।

Comments are closed.