ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶୋକବ୍ୟକ୍ତ

0

ଭୁବନେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ବାର୍ତ୍ତାରେ କହିଛନ୍ତି , ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ନିଜର ସମବେଦନା ପ୍ରକାଶ କରିବା ସହିତ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସ୍ବର୍ଗତ ଡ଼କ୍ଟର ପ୍ରଧାନ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଡ଼କ୍ଟର ପ୍ରଧାନ ତାଙ୍କର ଅତୁଳନୀୟ ସାଂଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ହୋଇ ରହିବେ। ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ମନ୍ତ୍ରୀମଣ୍ଡଳ ରେ ଜଣେ ମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ ବିଭାଗ ଦାୟିତ୍ୱ ରେ କାର୍ଯ୍ୟ କରି ତାଙ୍କ ପ୍ରଶାସନିକ ଦକ୍ଷତା ର ମଧ୍ୟ ପରିଚୟ ଦେଇ ଯାଇଛନ୍ତି। ଡ଼କ୍ଟର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ଓ ଲୋକପ୍ରିୟ ରାଜନେତା ଙ୍କୁ ହରାଇଲା ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ନବୀନ।

Leave A Reply

Your email address will not be published.