ଭୁବନେଶ୍ୱର : ରାଜ୍ୟରେ ସୃଷ୍ଟି ହେଲା ୨,୫୦୦ ଗୃହରକ୍ଷୀ ପଦବୀ । ରାଜ୍ୟରେ ଏବେ ଗୃହରକ୍ଷୀ(ହୋମଗାର୍ଡ) ନିଯୁକ୍ତି ଚାଲିଥିବା ବେଳେ ଅତିରିକ୍ତ ୨,୫୦୦ ହୋମଗାର୍ଡ ପଦବୀ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଥିବାବେଳେ,ଅତିରିକ୍ତ ଆଉ ୨,୫୦୦ ନୂଆ ପଦବୀ ସୃଷ୍ଟି ହୋଇଛି I ଫଳରେ ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୨୦,୧୭୫ ହେଲା ।
ସୂଚନାନୁସାରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨,୦୦୦ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।
କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ରାଜ୍ୟ ସରକାର ପ୍ରାୟ ୧୨,୦୦୦ ଖାଲି ପୋଲିସ ପଦବୀ ପୂରଣ କରିବେ। ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ତାଙ୍କର ସାକ୍ଷାତ ପରେ ଏହି ଘୋଷଣା କରିଥିଲେ।