ସମୟର ପଦଚିହ୍ନ

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

ସମୟର ସାଥେ ତାଳ ଦେଇ
ବଞ୍ଚିବାର ସୁନେଲି ସପନ;
ଅତୁଟ ରହେନା,
ସମୟର ପଦଧ୍ୱନି ତଳେ
ଉଜୁଡ଼ି ଯିବାର ଆଶଙ୍କାରେ,ମନ
ତୁଟିଯାଏ,ଭାଜିଯାଏ;ଝୁରୁଥାଏ ପ୍ରାଣ।
ସପନର ଡୋରେ ବନ୍ଧା
କେତେ ଯେ ଯୋଜନା
କେତେ ଛବି, କେତେ ରଙ୍ଗ; ନୀଳ ରାଇଜର ଜହ୍ନ ସମ
ଜୋଚ୍ଛନାରେ ହଜିଥିବା ମଧୁର କଳ୍ପନା।
କ୍ଷଣିକ ଆନନ୍ଦ ପରି ମିଳାଇ ଯାଏ,
ସମୟର ଢେଉ ତାଳେ ତାଳେ
ହୃଦୟରେ ଅକଳିିତ ଶୂନ୍ୟତା ନେଇ
ବଞ୍ଚି ଶିଖିବାକୁ ହୁଏ; ସମୟର ପଦଚିହ୍ନ
ତଳେ,ଉଜୁଡ଼ା ମନର ସପନକୁ
ସାଇତିକରି,ଦରଭଙ୍ଗା ଛାତି ତଳେ
ସବୁ ସହି ବଞ୍ଚିବାକୁ ହୁଏ।
ଦୁଃଖ ସହ ସାଲିସ୍‍ କରି, ସମୟର
ବିକଟାଳ- ଭୟଙ୍କର ରୂପଛବି
ଦୂରେଇ ମନରୁ,ଚାଲିବାକୁ ହୁଏ।
କେବେ ସମୟର ଧ୍ୱନି
କାନେ କାନେ ଝଙ୍କାର ତୋଳେ
ଏଠି କେହି ବି ଆପଣାର ମନ ନେଇ
ବଞ୍ଚି ବି ପାରେନି, ବଞ୍ଚିବା ଜାଣେନି;
ସମୟର ଶିକୁଳିରେ ସବୁ କିଛି ବନ୍ଧା
ସମୟର ଖେଳ ଆଗରେ ହାରିବାକୁ ହୁଏ
ମନ ଏଠି ଗୁମୁରି ଗୁମୁରି ଝୁରି ହେଉଥାଏ।
କେତେ ଯେ ସପନ କା’ର ହଜିଛି,ଭାଙ୍ଗିଛ
ତା’ର ଇୟତ୍ତା ନାହିଁ,ପୁଣି ପାରିବା ପଣରେ,
ବୁଝିବା ଢଙ୍ଗରେ ଏଠି ବଞ୍ଚିବାକୁ ହୁଏ।
ସମୟର ପଦଚିହ୍ନରେ ଅଙ୍କିତ କେତେ ଛବି
ଆଖି ଝଲସାଇ ଦିଏ,
କେବେ କାହାକୁ ହସାଏ ପୁଣି କାହାକୁ କନ୍ଦାଏ
ଆଶାର ପ୍ରଦୀପ ଜାଳି ଆଗକୁ ଚଲାଏ।
ସମୟର ପଦଚିହ୍ନ ପ୍ରତି ମନେ ଥାଉ ଶ୍ରଦ୍ଧା
ଥାଉ ସ୍ନେହ-ପ୍ରୀତି, ଭକ୍ତି
କିଏ ବା ଜାଣିଛି କେତେବେଳେ କେଉଁ
ଘଟଣାକୁ ଦେବ କେଉଁ ରୂପ
ଭାଙ୍ଗି ଆମ ଅଦଉତି

Comments are closed.