ଏପ୍ରିଲ ୨ ରେ ବଡ଼ଗଡ଼ ସ୍କୁଲରେ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆସନ୍ତା ଏପ୍ରିଲ ୨ ତାରିଖରେ ରାଜ୍ୟ ତମାମ ଖଡି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ କରି ନାମ ଲେଖାଉଥିବା କୁନି କୁନି ପିଲାଙ୍କୁ ସେହି ଦିନ ଖଡି ଛୁଆଁଇବେ ଗୁରୁ । ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଏପ୍ରିଲ ୨ ତାରିଖରେ ବଡ଼ଗଡ଼ ସ୍କୁଲକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଦିନ ସକାଳ ୧୦ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ପହଞ୍ଚି ପିଲାମାନଙ୍କୁ ଖଡି ଛୁଆଁଇ ସେମାନଙ୍କର ଶିକ୍ଷାରମ୍ଭ କରାଇବେ । ଏଥିପାଇଁ ବଡ଼ଗଡ଼ ସ୍କୁଲ ପରିସରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଗୁରୁବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟ ପହଞ୍ଚି ପ୍ରସ୍ତୁତିର ତଦାରଖ କରିଛନ୍ତି । ଏକାମ୍ର ବିଧାୟକ ବାବୁ ସିଂଙ୍କ ପ୍ରତିନିଧି ସଂଗ୍ରାମ ମାର୍ଥା ଉପସ୍ଥିତ ଥିଲେ । ସ୍କୁଲକୁ ସୁସଜ୍ଜିତ କରାଯିବ । କୁନି କୁନି ପିଲାମାନଙ୍କୁ ତଳକ ଲଗାଇ ଫୁଲ ପକାଇ ସ୍ୱାଗତ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କର କମଳରେ ପିଲାମାନଙ୍କୁ ଯାଦୁ ପେଡି ବଣ୍ଟନ କରାଯିବ । ଅଭିଭାବକ ମାନଙ୍କୁ ନେଇ ଏକ ହ୍ୱାଟ୍ସଆପ୍‌ ଗ୍ରୁପ ତିଆରି କରାଯିବ ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆଜି ଛତ୍ରପୁର ପୁତି ଗୋପାଳପୁର ବଡ଼ ସାହି ସ୍ଥିତ କୁନି କୁନି ପିଲାଙ୍କ ଘରକୁ ଯାଇ ବିଦ୍ୟାଳୟରେ ଶିଶୁ ବାଟିକାରେ ନାମ ଲେଖାଇବାକୁ ନିମନ୍ତ୍ରଣ ପତ୍ର ପରିବାର ବର୍ଗଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରୁ ଆସିଥିବା ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ସହ ପରିବାର ସହ ଆଲୋଚନା କରିଥିଲେ ଜିଲ୍ଲାପାଳ । ଆସନ୍ତା ୨ରେ ବିଦ୍ୟାଳୟରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେଠାରେ ନାମ ଲେଖେଇଵାକୁ ଜିଲ୍ଲାପାଳ ପରିବାରଙ୍କୁ ଅନୁରୋଧ କରିଥିଲେ ।

ସୂଚନାନୁସାରେ,ସେପ୍ଟେମ୍ବର ୧ ସୁଦ୍ଧା ଯେଉଁ ପିଲାମାନଙ୍କର ବୟସ ୫ ବର୍ଷରୁ ଉର୍ଧ୍ଵ ହୋଇଥିବ ସେହି ପିଲାମାନେ ଶିଶୁ ବଟିକା ଏବଂ ୬ ବର୍ଷରୁ ଅଧି ହୋଇଥିବ ପିଲାମାନେ ପ୍ରଥମ ଶ୍ରେଣୀରେ ନାଁ ଲେଖାଇ ପାରିବେ । ଏଥିପାଇଁ ଆସନ୍ତା ୨ ରୁ ୫ ତାରିଖ ପ୍ରଯ୍ୟନ୍ତ ତିନି ଦିନ ବିଦ୍ୟାଳୟରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

 

 

Leave A Reply

Your email address will not be published.