ନାବାଳକର ହାତ ଆଙ୍ଗୁଠି କଟା ମାମଲାରେ ଅଭିଯୁକ୍ତକୁ ୬ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସିଜେଏମ୍‌ ହୃଷିକେଶ ଆଚାର୍ଯ୍ୟ ଜଣେ ନାବାଳକର ହାତ ଆଙ୍ଗୁଠି କଟା ମାମଲାର ବିଚାର କରି ଅଭିଯୁକ୍ତକୁ ୬ବର୍ଷ କାରାଦଣ୍ଡା ଦେଶ ରାୟ ଶୁଣାଇଛନ୍ତି । ଅନ୍ୟ ପକ୍ଷରେ ଅଭିଯୁକ୍ତର ମାଆ, ଭଉଣୀ ଓ ବଡ଼ମାଆକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଚନ୍ଦିଆଁମୁଣ୍ଡା ଗ୍ରାମର ଗୁଲଠୁ ବସ୍ତିଆ (୨୫) ।

ମାମଲାରୁ ପ୍ରକାଶ ଯେ, କଣ୍ଟାମାଳ ଥାନା ଚନ୍ଦନିଆଁମୁଣ୍ଡା ଗ୍ରାମର ଗୁଣମଣି କର୍ମୀଙ୍କୁ ଗତ ୫.୩,୨୦୧୯ରେ ଘରେ ଏକୁଟିଆ ଥିବା ବେଳେ ଉକ୍ତ ଗ୍ରାମର ଅଭିଯୁକ୍ତ ଗୁଲଠୁ ବସ୍ତିଆ ଶାରିରୀକ ସମ୍ପର୍କ ରଖିବା ଉଦ୍ଦେଶ୍ୟରେ ଜୋର ଜବରଦସ୍ତ ଟଣାଓଟରା କରିଥିଲା । ଏନେଇ ଗୁଣମଣି ପାଟି କରିବାରୁ ଅଭିଯୁକ୍ତ ଗୁଲଠୁ ଛାଡି ପଳାଇଥିଲା । ଏହି ଘଟଣାକୁ ନେଇ କିଛି ସମୟରେ ଅଭିଯୁକ୍ତର ମାଆ ନିର୍ବାଣୀ ବସ୍ତିଆ , ଭଉଣୀ ବବିତା ଓ ବଡ଼ମାଆ ସୌଦାମିନି ଝଗଡ଼ା କରିବା ସହ ଗୁଣମଣୀକୁ ପିଟାମରା କରିଥିଲେ । ମାଡ଼ଖାଇ ମଧ୍ୟ ଗୁଣମଣି ଚୁପ ରହିଯାଇଥିଲେ ।

ଘଟଣା ପରଦିନ ଅର୍ଥାତ ୬.୩.୧୯ ରେ ଗୁଣମଣିର ନାବାଳକ ପୁଅ ଚର୍ତୁଭୁଜ କର୍ମୀ (୧୩) ପାଠ ପଢିବାକୁ ସକାଳ ୯ ଟା ସମୟରେ ଦପଲା ଉଚ୍ଚବିଦ୍ୟାଳୟକୁ ଯାଉଥିବା ବେଳେ ଚନ୍ଦନିଆଁମୁଣ୍ଡା -ଦପଲା ରାସ୍ତାର ବନ୍ଧାମୁଣ୍ଡାଠାରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଜଗି ରହିଥିବା ଅଭିଯୁକ୍ତ ଗୁଲଠୁ ନାବାଳକ ଚର୍ତୁଭୁଜକୁ ବାଟରେ ଅଟକାଇ ଛାତି ଉପରେ ବସି କଟୁରୀ ଦ୍ୱାରା ଚର୍ତୁଭୁଜର ଦୁଇ ହାତ ପାପୁଲିର ସବୁ ଆଙ୍ଗୁଠି କାଟି ଚିଣ୍ଡାଇ ଦେଇ ପଲାଇଥିଲା ।

ଖବର ପାଇ ପରିବାର ଲୋକ ଗୁରୁତର ଥିବା ଚର୍ତୁଭୁଜକୁ ପ୍ରଥମେ କଣ୍ଟାମାଳ ମେଡିକାଲକୁ ନେଇଥିବା ବେଳେ ପରେ ବୁର୍ଲା ମେଡିକାଲକୁ ନେଇ ଚିକିସିା କରାଇଥିଲେ । ଏନେଇ ଗତ ୭.୩.୨୦୧୯ରେ ଗୁଣମଣି କଣ୍ଟମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କଣ୍ଟମାଳ ଥାନା ପକ୍ଷରୁ ଥାନା କେସ ନଂ ୪୪/୧୯ରେ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଏହି ମାମଲାରେ ଅଭିଯୁକ୍ତ ଗୁଲଠୁ ବସ୍ତିଆ ମାଆ ନିର୍ବାଣୀ , ଭଉଣୀ ବବିତା ଓ ବଡ଼ମାଆ ସୌଦାମିନିଙ୍କ ନାମରେ ମାମଲା ରୁଜୁ କରି ଅଭିଯୁକ୍ତ ଗୁଲଠୁକୁ ଗତ ୭.୩.୨୦୧୯ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ପରବର୍ତ୍ତୀ ସମୟରେ ମାମଲାଟି ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତରେ କେସ ନଂ ଏସଟି ୨୪/୧୯ ହୋଇ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୧୬ ଜଣ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଶୁକ୍ରବାର ଦିନ ପ୍ରମାଣ ଥିବା ନେଇ ଅଭିଯୁକ୍ତ ଗୁଲଠୁ ବସ୍ତିଆକୁ ୬ ବର୍ଷ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଜୋରିମୋନା ଆଦେଶ ଦେଇଛନ୍ତି । ପ୍ରମାଣ ଅଭାବରୁ ମାଆ ନିର୍ବାଣୀ ବସ୍ତିଆ , ଭଉଣୀ ବବିତା ଓ ବଡ଼ ମାଆ ସୌଦାମି୍‌ିନିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଦେବରଂଜନ ବିଶି ପରିଚାଳନା କରୁଥିଲେ ।

Comments are closed.