ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ

କଟକ: ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟ ରାୟକୁ ବିରୋଧ କରି ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଅପିଲ୍‌ ଦାୟର ହୋଇଥିଲା । ଆଜି ଏହି ଅପିଲ୍‌କୁ ବିଚାର କରି ହାଇକୋର୍ଟ ମହମ୍ମଦ ମୋକିମଙ୍କୁ ଜାମିନ୍‌ ଦେବା ସହିତ ଭିଜିଲାନ୍‌ସ ଆଦଲତଙ୍କ ଜରିମାନା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛି । ଏଥିସହ ୧ ଲକ୍ଷଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ମୋକିମ୍‌ଙ୍କ ସମେତ ଆଇଏଏସ୍‌ ବିନୋଦ କୁମାର, ପିୟୁଷ ମହାନ୍ତି ଓ ସ୍ୱସ୍ତିରଂଜନ ମହାପାତ୍ରଙ୍କୁ ଭୁବନେଶ୍ୱର ଭିଜିଲାନ୍‌ସ କୋର୍ଟରୁ ଜାମିନ୍‌ ମିଳି ସାରିଛି ।

ହାଇକୋର୍ଟ ଦାୟର ଅପିଲକୁ ବିଚାର ପାଇଁ ହାଇକୋର୍ଟ ନିମ୍ନ ଅଦାଲତରୁ ରେକର୍ଡ ତଲବ କରିଛନ୍ତି । ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ଭିଜିଲାନ୍‌ସ କୋର୍ଟ ମହମ୍ମଦ ମୋକିମ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍‌ ସହ ଜରିମାନାରେ ଦଣ୍ଡିତ କରିଥିଲେ । ଭିଜିଲାନ୍‌ସ କୋର୍ଟର ଏହି ଦଣ୍ଡକୁ ଖାରଜ (ସସପେନସନ୍‌) ପାଇଁ ଅନୁରୋଧ କରିମୋକିମ୍‌ ମାମଲା ରୁଜୁ କରିଥିଲେ ।

ଅନ୍ୟପକ୍ଷରେ, ନିମ୍ନ ଅଦାଲତଙ୍କ ଜେଲଦଣ୍ଡ ଉପରେ ରୋକ ପାଇଁ ମୋକିମ କରିଥିବା ଆବେଦନ ବିରୋଧରେ ଭିଜିଲାନ୍‌ସ ବିଭାଗ ଲିଖିତ ମତାମତ ରଖିଛି । ଏହାର କପି ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆଗାମୀ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ମୋକିମଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏହି ମାମଲା ପରିଚାଳନା କରୁଛନ୍ତି ।

ସୂଚନା ଥାଉଯେ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚ୍‌ଡିସି) ଋଣ ହଡ଼ପ ମାମଲାର ଶୁଣାଣି କରି ଭିଜିଲାନ୍‌ସ କୋର୍ଟ ପୂର୍ବତନ ଆଇଏଏସ୍‌ ତଥା ଓଆର୍‌ଏଚ୍‌ଡିସିର ତତ୍କାଳୀନ ଏମ୍‌ଡି ବିନୋଦ କୁମାର, କମ୍ପାନି ସେକ୍ରେଟାରି ସ୍ୱସ୍ତିରଂଜନ ମହାପାତ୍ର, କଟକ-ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌ ଓ ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

Comments are closed.