ସବୁ ବର୍ଗର ଲୋକଙ୍କ ପାଇଁ ପସରା ମେଲାଇ ଦେଇଥାଏ କଟକ ସହର । ଅନ୍ୟ ସହର ପରି ତାରତମ୍ୟ ନଥାଏ, ଥାଏ ତ କେବଳ ଭାଇଚାରା । ସହର ଭିତରକୁ ପଶିଆସିଲେ ମିଳିଥାଏ କଟକିଆର ପରିଚୟ । ଆଉ ଏସବୁକୁ ବାନ୍ଧି ଧରିଥାଏ କଟକର ଷ୍ଟ୍ରିଟ୍ଫୁଡ୍ ।
ସହରୀୟ ଢାଞ୍ଚାର ଏନ୍ତୁଡ଼ିଶାଳ କଟକ । ଏଠାରେ ୫୨ ବଜାର ୫୩ ଗଳି । ସମ୍ଭାବନାରେ ଭରା ହଜାରେ ବର୍ଷର ଏହି ସହରକୁ ଯିଏ ଆସିଛି କେବେ ଖାଲି ହାତରେ ଫେରିନାହିଁ । ଏହାର ଐତିହ୍ୟ ଯେତିକି ପ୍ରଶସ୍ତ, ଭାଇଚାରା ତାଠାରୁ ଆହୁରି ମଜଭୂତ । ସ୍ୱାସ୍ଥ୍ୟ ପାଇଁ ସହର ମୁଖଶାଳାରେ ଛିଡ଼ା ହୋଇଛି ରାଜ୍ୟର ସର୍ବ ପୁରାତନ ଏବଂ ସବୁଠୁ ବଡ଼ ହସ୍ପିଟାଲ । ସେପରି କ୍ରୀଡ଼ା ପାଇଁ ସହରର ଛାତି ଉପରେ ରହିଛି ରାଜ୍ୟର ଏକମାତ୍ର କ୍ରିକେଟ ଷ୍ଟାଡିଅମ ବାରବାଟୀ ।
କେବଳ କ୍ରୀଡ଼ା କି ସ୍ୱାସ୍ଥ୍ୟ ନୁହେଁ ଶିକ୍ଷା ପାଇଁ ବୋର୍ଡ ଅଫିସ ଏବଂ ମନୋରଞ୍ଜନ ପାଇଁ ରାଜ୍ୟରେ କଟକ ସହରର ରହିଛି ସ୍ୱତନ୍ତ୍ର ପରିଚୟ । ରାଜ୍ୟ ପ୍ରାୟତଃ ଅଧିକାଂଶ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଜନ୍ମ ଦେଇ ସାରା ରାଜ୍ୟକୁ ମନୋରଞ୍ଜନର ଖୋରାକ ଯୋଗାଇ ଆସିଛି ଏହି ସହର । ରାତି ପାହିଲେ ସାରା ରାଜ୍ୟ ଏପରିକି ରାଜ୍ୟ ବାହାରରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥାଏ ସହରକୁ । ସବୁ ବର୍ଗର ଲୋକଙ୍କ ପାଇଁ ପସରା ମେଲାଇ ଦେଇଥାଏ କଟକ ସହର । ଅନ୍ୟ ସହର ପରି ତାରତମ୍ୟ ନଥାଏ, ଥାଏ ତ କେବଳ ଭାଇଚାରା । ସହର ଭିତରକୁ ପଶିଆସିଲେ ମିଳିଥାଏ କଟକିଆର ପରିଚୟ । ଆଉ ଏସବୁକୁ ବାନ୍ଧି ଧରିଥାଏ କଟକର ଷ୍ଟ୍ରିଟ୍ଫୁଡ୍ ।
ବିଶେଷ କରି ରାସ୍ତା କଡ଼ରେ କଟକର ପ୍ରସିଦ୍ଧ ଦହିବରା ଖାଇବାର ମଜା କିଛି ଅଲଗା । ଖାସ୍ ସେଥିପାଇଁ ତ କଟକ ଆସିଲେ ଏହାକୁ ହାତଛଡ଼ା କରି ନଥାନ୍ତି କେହି । ସେ ସେଲିବ୍ରିଟ ହୁଅ;ୁ ଅବା ସାଧାରଣ ଲୋକ ସମସ୍ତେ ରାସ୍ତା କଡ଼ର କୋଳାହଳ ଏବଂ ରିକ୍ସା ବାଲାର ଡାକ ଭିତରେ ଷ୍ଟ୍ରିଟ୍ଫୁଡ୍ର ସ୍ୱାଦକୁ ଉପଭୋଗ କରିବାକୁ ପସନ୍ଦ କରନ୍ତି । କେବଳ ଦହିବରା ନୁହେଁ ବିରିଆନୀ, ବରା ଘୁଗୁନି, ମଟନ୍ ଚପ୍, ଚାଟ୍, ମିଠା, ପିଠା ଓ ସରବତ । ଯିଏ ବି ଖାଇଛି ସେ ହାତ ଚାଟି ରହିଛି ।
ଦହିବରା କଟକିଆଙ୍କ ପସନ୍ଦ । ଏହି ଦହିବରା ଖାଇବା ପାଇଁ ଲୋକେ କାହିଁ ଦୂରରୁ ଧାଇ ଆସିଥାନ୍ତି କଟକ ସହରକୁ । ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଖୁବ୍ ଚାହିଦା ରହିଛି । ୨୦୧୮ ମସିହାରେ ହକି ବିଶ୍ୱକପ ସମୟରେ କଟକୁ ଆସି ବଲିଉଡର ଭାଇଜାନ ସଲମାନ ଖାନ ବି କଟକର ଦହିବରା ଏବଂ ଭାଇଚାରାକୁ ପ୍ରଶଂସାରେ ପୋତି ପକାଇଥିଲେ । ଏହାପରେ କରୋନା କାଳରେ ଦିଲ୍ଲୀ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ୧୧ତମ ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ କଟକର ଦହିବରାକୁ ମିଳିଲା ଜାତୀୟ ମାନ୍ୟତା । ଦେଶର ୨୯ଟି ରାଜ୍ୟରୁ ପ୍ରାୟ ୨୫୦ରୁ ଅଧିକ ଷ୍ଟ୍ରିଟ୍ ଫୁଡ୍ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଦୀପ୍ତ କୁମାର ସାହୁଙ୍କ ଦହିବରା ଶ୍ରେଷ୍ଠ ଷ୍ଟ୍ରିଟଫୁଡ୍ ପରିଚୟ ଲାଭ କରିଥିଲା । ଠିକ୍ ଭାଗମାପରେ ସେ ତିଆରିଥିବା ଆଳୁଦମ୍ ଓ ଚଟଣୀର ସ୍ୱାଦ ଯିଏ ପାଇଛି, ତାର ମଜା ସିଏ ଜାଣିଛି ।
ଏମିତିକି କଟକିଆ କୁହନ୍ତି ଯେତେ ଘରେ ଖାଇଲେ ବି ବାହାରେ ଦୁଇଟା ବରା ଆଳୁଚପ୍ ନଖାଇଲେ ପେଟ ପୁରେନି । ଏହାକୁ ଦେଖିଲେ ଲାଗେ କଟକିଆଙ୍କ ଖାଇବାର କେତେ ସଉକ । ଏହି ମହଙ୍ଗା ଯୁଗରେ ଯେଉଁଠି ବରା, ଆଳୁଚପ୍ ଗୋଟା ୧୦ଟଙ୍କା ଛୁଇଁଲାଣି, କିନ୍ତୁ କଟକରେ ଏବେ ବି ଟଙ୍କିକିଆ ଏବଂ ଦୁଇ ଟଙ୍କିଆ ମିଳୁଛି । ଆମିଷ ଲୋକ ସବୁବେଳେ ମଟନ ପୋକୋଡ଼ା କି ଚିକେନ୍ ପୋକୋଡ଼ା ଟିକେ ଖୋଜନ୍ତି । ଖାସ୍ କରି ଏମାନଙ୍କୁପାଇଁ ଅଛି ପ୍ରଫେସରାପଡ଼ାର ୪୦ ବର୍ଷ ପୁରୁଣା ମଟନ୍ ଚପ୍ ଦୋକାନ । ସେହିପରି ଚାଟ୍ ପାଇଁ ପ୍ରସିଦ୍ଧ ଦୋଳମୁଣ୍ଡାଇ ଛକ ଏବଂ ନନ୍ଦି ସାହିର ମାଉସୀ ଚକୁଳି-ତରକାରୀକୁ କିଏ ବା ଭୁଲିପାରିବ । କେବଳ ସକାଳ କି ସନ୍ଧ୍ୟାରେ ଆପଣ ଜଳଖିଆ ବା ଷ୍ଟ୍ରିଟ ଫୁଡ୍ ପାଇବେ ନାହିଁ, ବରଂ ମଧ୍ୟରାତ୍ରୀରେ ବି ଏହି ଷ୍ଟ୍ରିଟ୍ ଫୁଡ୍ର ମଜା ନେଇପାରିବେ । କେବଳ ସେତିକି ନୁହେଁ ସବୁଠି ଲସି ମିଳୁଥିବା ବେଳେ କଟକରେ ମିଳେ ସରବତ ।
ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ କୁଣିଆକୁ ପ୍ରଥମେ ପରଷା ଯାଉଥିବା ସରବତ ହିଁ କଟକର ଗଳିକନ୍ଦିରେ ପାଇବେ । ଆଉ ମିଠା, ପିଠାର ସ୍ୱାଦ ତ ନିଆରା । ଏବେ ବି ମିଶିରିରେ ଭିଜା ପାରମ୍ପରିକ ପିଠା ଖାଇବାକୁ ପାଇବେ । ସେହିପରି ସହର ଗଳିକନ୍ଦିରେ ୩୦-୪୦ ବର୍ଷ ପୁରୁଣା ସ୍ୱାଦିଷ୍ଟ ବିରିଆନୀ ଷ୍ଟ୍ରିଟଫୁଡ୍ ତାଲିକାକୁ ଆହୁରି ବର୍ଦ୍ଧିତ କରିଥାଏ । ବାଲିଯାତ୍ରା, ଦଶହରା ଓ କାଳୀପୂଜାରେ ତ ଷ୍ଟ୍ରିଟଫୁଡ୍ର ଆସର ଜମିଯାଏ । କୁହନ୍ତି ଏହି ପର୍ବପର୍ବାଣୀରେ କେହି ବାହାରୁ ନଖାଇ ଘରକୁ ଫେରନ୍ତି ନାହିଁ । କଟକ ଯେତିକି ପୁରୁଣା, ତା ଖାଇବାର ଶୈଳୀ ସେତିକି ପୁରୁଣା । ସମସ୍ତଙ୍କୁ ଭାଇଚାରାର ବନ୍ଧନରେ ବାନ୍ଧି ରଖେ କଟକିଆଙ୍କ ନିଆରା ଖାଇବା ଠାଣି ।
Comments are closed.