ଭୁବନେଶ୍ୱର: ନଭେମ୍ବର ୩୦: ଆସନ୍ତା ଡିସେମ୍ବର ୪ରେ ଓଡ଼ିଶାରେ ବତ୍ୟାର ସମ୍ଭାବନା ରହିଛି ବୋଲି ଆଜି ଆଇଏମ୍ଡିର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ଶନିବାର ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟର ସ୍ଥଳଭାଗ ଛୁଇଁବ । ଏହା ପ୍ରଭାବରେ ୩ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯିବ ।
ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର, ପଶ୍ଚିମ ଗତିକରି ୨ ତାରିଖରରେ ଡିପ୍ରେସନ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯିବ । ଫଳରେ ରାଜ୍ୟରେ ଶୀତ ବଢ଼ିବ । ୩ ତାରିଖ ମଧ୍ୟରାତ୍ରରୁ ପବନର ବେଗ ଧୀରେ ଧୀରେ ବଢ଼ିଚାଲିବ । ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ପବନ ହୋଇପାରେ । ବାତ୍ୟାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିପାରେ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଧୀରେ ଧୀରେ ଏହା ଉତ୍ତର ଉପକୂଳରେ ବର୍ଷାର ପରିମାଣ ବଢ଼ିବ । ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ୫ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ଏହି ସମୟରେ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଆଉ ଯେଉଁ ସତ୍ସ୍ୟଜୀବୀ ସମୁଦ୍ରକୁ ଯାଇଛନ୍ତି, ସେମାନଙ୍କୁ ଡିସେମ୍ବର ୨ ତାରିଖ ସୁଦ୍ଧା ଫେରି ଆସିବାକୁ ସେ ପରାମର୍ଶ ଦିଆଯାଇଛି ।
Comments are closed.