ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ବହୁଳ ଭାବେ ବସବାସ କରିଆସୁଥିବା କୁଟିଆ କନ୍ଧ ଓ ଝରନିଆ କନ୍ଧ ଯେଉଁମାନଙ୍କୁ କି ସଂପ୍ରତ୍ତି ପିଭିଟିଜି (ପାର୍ଟିକୁଲାର ଭେଲେରାବୁଲ୍ ଟ୍ରାଇବାଲ୍ ଗୃପ) ଭାବେ ଚିହ୍ନିତ କରାଯାଉଅଛି । ସେମାନଙ୍କ ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟସେବା, ମାନସିକ ବିକାଶ ବ୍ୟବସ୍ଥା ପାଇଁ ଏହି ସଂସ୍ଥା ପକ୍ଷରୁ ଲାଞ୍ଜିଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ୬ ଟି ଶିକ୍ଷା କେନ୍ଦ୍ର ବା ଲର୍ଣ୍ଣିଂ ସେଣ୍ଟର କଳାହାଣ୍ଡି ଜିଲ୍ଲାର ଅନ୍ୟତମ ସେ୍ୱଚ୍ଛାସେବୀ ସଂଗଠନ ଦାପ୍ତା ସଂସ୍ଥା ପକ୍ଷରୁ ଖୋଲାଯାଇ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାବ କରାଯାଉଥିବା ବେଳେ ତ୍ରିଲୋଚନପୁର ଗ୍ରାମପଞ୍ଚୟତର ଫୁଲଡୁମେର ଗ୍ରାମରେ ଏହାର ସପ୍ତମ ଶିକ୍ଷାକେନ୍ଦ୍ର ଉଦ୍ଘାଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର ମିଶ୍ର ଉପସ୍ଥିତ ରହି ଉକ୍ତ ଗ୍ରାମର ଜଣେ ବୟସ୍କା ବୃଦ୍ଧାଙ୍କ ସହ ଫିଟାକାଟି ବିଦ୍ୟାଳୟକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ଇଂ ହେମରମ୍, ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତର ନିର୍ବାହି ଅଧିକାରୀ ଶ୍ରୀ ମହାନ୍ତି, କଳାହାଣ୍ଡି କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଶ୍ରୀ ଭୁୟାଁ ଓ ସହଯୋଗୀ ଶ୍ରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ଦାପ୍ତା ସଂସ୍ଥାର ସଂପାଦକ ରାଜୁ ଶର୍ମା ପରିଚାଳନା କରିଥିଲେ ।
ଏହି ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଶିବିରରେ ଡ. ନିହାରୀକା ପଣ୍ଡା, ସ୍ୱସ୍ତିକା ପ୍ରଧାନ, ପ୍ରତୀକ୍ଷା ସାମନ୍ତରାୟଙ୍କ ସହ ଏଲ୍ଟି ଯୁଧିଷ୍ଠିର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଫୁଲଡୁମେର, କୁନାକାଡୁ, ତଲବେରୀ, ଖେମୁଣ୍ଡିପଦର ଓ ଲଡାଙ୍ଗ ଗ୍ରାମର ପ୍ରାୟ ୬୨ ଜଣରୁ ଉର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗୀ ଚିହ୍ନଟ ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଶେଷରେ ଦାପ୍ତା ସଂସ୍ଥାର ବିଶ୍ୱନାଥ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ଦାପ୍ତା ସଂସ୍ଥା ପକ୍ଷରୁ ଲାଞ୍ଜିଗଡ ବ୍ଲକ ଭଟାଙ୍ଗପଦର ଗ୍ରାମ ପଞ୍ଚାୟତର ଜନର୍ଲା, ଲାଞ୍ଜି ପଞ୍ଚାୟତର ଡାହାଣୀପଦର ଓ କୁଲାନାଲ, ବନ୍ଧପାରି ପଞ୍ଚାୟତର କର୍କାମସ୍କା, ବେନଗାଁ ପଞ୍ଚାୟତର କାର୍ଲିଯୋଡି ଓ ସୋରପଦର ଠାରେ ମୋଟ ୬ ଟି ଶିକ୍ଷାକେନ୍ଦ୍ରରେ ଶତାଧିକ ୬ ବର୍ଷରୁ ୯ ବର୍ଷର ଶିଶୁ ପାଠ ପଢୁଥିବାର ଦେଖିବାକୁ ମିଳିଛି । ସେଠାରେ ଦାପ୍ତା ସଂସ୍ଥା ପକ୍ଷରୁ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ସହ ବହିପତ୍ର, ପୋଷାକ ଓ ଅନ୍ୟାନ୍ୟ ଖେଳ ସାମଗ୍ରୀ ଯୋଗାଇଦେବା ସହ ସେମାନଙ୍କ ପାଇଁ ଜଣେ ଶିକ୍ଷକ ଓ ମଧ୍ୟାହ୍ନ ଭୋଜନ ପାଇଁ ଜଣେ ଆୟା ମଧ୍ୟ ରହିଛନ୍ତି । ଏହିସବୁ ବିଦ୍ୟାଳୟକୁ ଉକ୍ତ ଗ୍ରାମବାସୀମାନେ ଆମ ଗାଁ ସ୍କୁଲ ନ କହି ସେମାନଙ୍କ କୁଇ ଭାଷାରେ ‘ମାନାୟୁ ଶିକ୍ଷା ଅଜ’ ବୋଲି କହୁଛନ୍ତି । ଗ୍ରାମର ଯେଉଁ ପିଲାମାନେ କୌଣସି କାରଣରୁ ବିଦ୍ୟାଳୟକୁ ନଯାଇ ଘରେ ରହିଯାଇଛନ୍ତି । ସେମାନଙ୍କୁ ପାଠସହ ଆବଶ୍ୟକ ଶିକ୍ଷା ଦେବା ପରେ ସରକାରୀ ବିଦ୍ୟାଳୟରେ ଭର୍ତ୍ତି କରିବାର ବ୍ୟବସ୍ଥା ଦାପ୍ତା ପକ୍ଷରୁ କରାଯାଇଛି ।
Comments are closed.