ଝାରସୁଗୁଡ଼ା: ମେ ୦୫: ଆସନ୍ତା ୩୧ରେ ହେବ ବ୍ରଜରାଜନଗର ଉପନିର୍ବାଚନ । ଏଥିପାଇଁ ବିଜ୍ଞପ୍ତି ବି ପ୍ରକାଶ ପାଇଛି । ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟୀ ଏବେଠୁ ଲବି ଆରମ୍ଭ କରିଦେଲେଣି । ତେବେ ତିନି ପ୍ରମୁଖ ରାଜନୈତିକ ଦଳରେ ଏକାଧିକ ଆଶାୟୀ ପ୍ରାର୍ଥୀ ମନ ବଳାଇଛନ୍ତି । ହେଲେ ସଦ୍ୟ ପୌର ନିର୍ବାଚନରେ ବେଲପାହାଡ଼ ମୁ୍ୟନିସିପାଲଟି(ପୌର ପରିଷଦ)ରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହିତ ପୌରାଧ୍ୟକ୍ଷ ପଦ ହାତେଇଛି । ବ୍ୟାକଫୁଟରେ ଥିବା ବିଜେପି ବି ଏହି ଆସନ ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି । ହେଲେ ଶାସକ ଦଳ ବିଜେଡିର ଦିବଂଗନ୍ତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଟିକେଟ ପାଇବା ପାଇଁ ବେଶ ଆଶାବାଦୀ ।
ଝାରସୁଗୁଡ଼ା ଜିଲ୍ଲାରେ ରହିଛି ଦୁଇଟି ବିଧାନସଭା କ୍ଷେତ୍ର । ଗୋଟିଏ ହେଲା ଶିଳ୍ପ ନଗରୀ ଝାରସୁଗୁଡ଼ା ଓ ଅନ୍ୟଟି କୋଇଲା ନଗରୀ ବ୍ରଜରାଜନଗର । ଏହି ବ୍ରଜରାଜନଗର ବିଧାନସଭା କ୍ଷେତ୍ରକୁ ଅଞ୍ଚଳର ବିଶିଷ୍ଟ କମୁ୍ୟନିଷ୍ଟ ନେତା ପ୍ରସନ୍ନ କୁମାର ପଣ୍ଡା ୬ ଥର ନିର୍ବାଚିତ ହୋଇ ରେକର୍ଡ଼ କରିଥିଲେ । ବିଧାୟକ ଶ୍ରୀ ପଣ୍ଡାଙ୍କ ପରଲୋକ ପରେ ୧୯୯୮ରେ ବ୍ରଜରାଜନଗରରେ ପ୍ରଥମ କରି ଉପ ନିର୍ବାଚନ ହୋଇଥିଲା । ୨୦୨୧ ଡିସେମ୍ବର ୩୧ରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଚଳିତମାସ ୩୧ରେ ଦ୍ୱିତୀୟ ଥର ପାଇଁ ଉପନିର୍ବାଚନ ହେବ । ଏନେଇ ସରକାରଙ୍କ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।

ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡ଼ି ବହୁତ ଭଲ ଫଳାଫଳ କରିଥିବା ବେଳେ ପୌର ନିର୍ବାଚନରେ ୩ ପୌର ପରିଷଦରୁ ଝାରସୁଗୁଡ଼ା ଓ ବ୍ରଜରାଜନଗର ବିଜେଡ଼ି ଜିତିଥିବା ବେଳେ ବେଲପାହାଡ଼ ପୌର ପରିଷଦରୁ କଂଗ୍ରେସ ପ୍ରାର୍ଥି ଅଧ୍ୟକ୍ଷ ହୋଇଛନ୍ତି । ଫଳରେ କଂଗ୍ରେସ କିଛି ମାତ୍ରାରେ ଉତ୍ସାହିତ ହୋଇଛି । ଆସନ୍ତା ଉପ ନିର୍ବାଚନରେ ଜିତିବାର ଆଶା ରଖି ଅଣ୍ଟା ଭିଡ଼ିଛି । ବିଶେଷ କରି ଶାସକ ଦଳରେ ପ୍ରାର୍ଥି ନେଇ ଜୋରଦାର ଲବି ଚାଳିଥିବା ବେଳେ ରାଜନିତୀ ଭିନ୍ନ ମୋଡ଼ ନେଉଛି ।
ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ନିଜକୁ ପ୍ରମୁଖ ଦାବିଦାର କହୁଥିବା ବେଳେ ସମ୍ପୂର୍ଣ୍ଣ ଭାବରେ ଦଳର ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ ଦେବେ ବୋଲି ଆଶାବାଦୀ । ଅନ୍ୟ ପକ୍ଷରେ ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ନିଜ ଝିଅ ଦିପାଲୀ ଦାସଙ୍କ ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ଏପରିକି ଗତ ୪ ମାସ ମଧ୍ୟରେ ଦିପାଲୀ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ନିଜ ଟ୍ରଷ୍ଟ ମାଧ୍ୟମରେ ଆମ୍ବୁଲାନ୍ସ ପ୍ରଦାନ ସହ ସାମାଜିକ କାର୍ଯ୍ୟକ୍ରମ ମାନ କରୁଛନ୍ତି । ବାପା ତାଙ୍କ ପାଇଁ ଟିକେଟ କରାଇ ପାରିବେ ବୋଲି ବେଶ ଆଶାବାଦୀ ଅଛନ୍ତି ଦିପାଲୀ । ଏହି ଆସନରେ କିଛି ନବାଗତଙ୍କ ନାମ ମଧ୍ୟ ଉଠୁଛି ।
ବ୍ରଜରାଜନଗରର ସନ୍ତାନ ପ୍ରତୁ୍ୟଷ କୁମାର ପଣ୍ଡା ଏବେ ମୁମ୍ବାଇରେ ଏକ ବଡ଼ ସଂସ୍ଥାରେ କାର୍ଯ୍ୟରତ । ଶ୍ରୀ ପଣ୍ଡା ଗତ ୨ ବର୍ଷ ଧରି କରୋନା ସମୟରେ ବହୁ ଜନହିତକର କାମ କରିଛନ୍ତି । ନିଜ ବାପାଙ୍କ ନାମରେ ଥିବା ଟ୍ରଷ୍ଟ ମାଧ୍ୟମରେ ଗ୍ରାମାଞ୍ଚଳରେ କୋଭିଡ଼ କେୟାର କେନ୍ଦ୍ର, ଅମ୍ଳଜାନ ସିଲିଣ୍ଡର ଅମ୍ଳଜାନ କନସେନଟ୍ରେଟର, ମାସ୍କ, ସାନିଟାଇଜର ବଣ୍ଡନ କରି ନିଜ ସାମାଜିକ ଦାୟୀତ୍ୱ ପ୍ରଦାନ କରିଛନ୍ତି । ଏପରିକି ନିଜ ଅଞ୍ଚଳର ସେବାରେ ନିଜ ସମ୍ପତ୍ତିର ୫୦ ପ୍ରତିଶତ ଜନସେବାରେ ଉତ୍ସର୍ଗିକୃତ କରିବା ନେଇ ବହୁ ପୂର୍ବରୁ ଘୋଷଣା କରିଛନ୍ତି । ନିଜ କାର୍ଯ୍ୟଧାରା ପାଇଁ ସେ ଯୁବ ସାମଜରେ ବେଶ ଗ୍ରହଣୀୟ ।
ଅନ୍ୟ ପକ୍ଷରେ, ଲଖନପୁର ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ସନତ କୁମାର ସିଂଙ୍କୁ ଅଞ୍ଚଳବାସୀ ବିଧାୟକ ଭାବେ ଦେଖିବାକୁ ଚାହୁଁଛନ୍ତି । ଶ୍ରୀ ସିଂ ଏବେ ବିଜେଡ଼ିର ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି । ପ୍ରାର୍ଥିତ୍ୱ ନେଇ ବୁଧବାର ବିଚାର ବିମର୍ଷ ଓ ମାନସ ମନ୍ଥନ ଚାଳିଥିବା ବେଳେ ଏହି ବୈଠକରେ ବିଜେଡ଼ି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାଷ ସିଂ ସାମିଲ ଥିଲେ । ମନ୍ତ୍ରୀ ନବ ଦାସ କହିଛନ୍ତି ଯେ ଦଳର ଶୀର୍ଷ ନେତୃତ୍ୱ ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ତାକୁ ଆମେ ସମସ୍ତେ ଗ୍ରହଣ କରିବୁ ।
Comments are closed.