ପାରୋଲରେ ଜେଲ୍‌ରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁ ରାମ ରହିମ୍‌

ଗୁରୁଗ୍ରାମ:ମହିଳା ଅନୁଗତଙ୍କୁ ଦୁଷ୍କର୍ମ ଓ ଜଣେ ସାମ୍ବାଦିକଙ୍କୁ ହତ୍ୟା ସହ ଏକାଧିକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁ ରାମ ରହିମ୍‌ ୪୦ ଦିିନିଆ ପାରୋଲରେ(ସସର୍ତ୍ତ କାରାମୁକ୍ତି) ଜେଲରୁ ମୁକୁଳିଛନ୍ତି । ପାରୋଲରେ ମୁକୁଳିିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ଉତ୍ତରପ୍ରଦେଶର ବର୍ଣ୍ଣାୱାସ୍ଥିତ ଆଶ୍ରମରେ ପହଞ୍ଚିଛନ୍ତି । ସେ ବର୍ତ୍ତମାନ ହରିୟାଣା ରୋହତକର ସୁନରିଆ ଜେଲରେ ସଜ୍ଜା କାଟୁଛନ୍ତି ।
ହରିୟାଣାରେ ପଞ୍ଚାୟତ ନିର୍ବାଚନ ଓ ନଭେମ୍ବର ୩ରେ ହେବାକୁ ଥିବା ଆଦମପୁର ବିଧାନସଭା ଉପନିର୍ବାଚନ ପୂର୍ବରୁ ସେ ଜେଲରୁ ମୁକୁଳିଛନ୍ତି, ଯାହାକୁ ନେଇ ରାଜ୍ୟରେ ଏବେ ଚର୍ଚ୍ଚା ଚାଲିଛି । ତେବେ ଏହାପୂର୍ବରୁ ମଧ୍ୟ ଏକାଧିକ ବାର ପାରୋଲରେ ଆସିଛନ୍ତି ରାମ ରହିମ୍‌ ।

ଏନେଇ ହରିୟାଣା ଜେଲ୍‌ ମନ୍ତ୍ରୀ କହିଛନ୍ତି ଯେ, ପାରୋଲ ସମ୍ବନ୍ଧରେ ଜେଲର ନିଜସ୍ୱ ବ୍ୟବସ୍ଥା ଅଛି । ଯେତେବେଳେ ଜଣେ ବ୍ୟକ୍ତି ଜେଲରେ ଅଛନ୍ତି, ତାଙ୍କ ପରିବାର ସଦସ୍ୟ ପାରୋଲ ପାଇଁ ଆବେଦନ କରନ୍ତି, ଏହା ସେମାନଙ୍କର ଅଧିକାର । ଏ ସମ୍ପର୍କରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି ।

ସୂଚନା ଥାଉଯେ, ଆଶ୍ରମରେ ଦୁଇ ମହିଳା ଅନୁଗତଙ୍କୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି ଆତ୍ମଘୋଷିତ ବାବା ରାମ ରହିମ । ଏହାସହିତ ସେ ୧୬ ବର୍ଷ ତଳେ ଜଣେ ସାମ୍ବାଦିକଙ୍କୁ ହତ୍ୟା ଅଭିଯୋଗରେ ୨୦୧୯ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୨୦୦୨ରେ ଜଣେ ଡେରା ମ୍ୟାନେଜରଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

Har Ghar Tiranga