ଅନେକ ଦେଶୀ ସାମଗ୍ରୀ ଏଭଳି ଥାଏ ଯାହାର କ୍ରେଜ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ରହିଥାଏ । ସେହିଭଳି ଏକ ଦେଶୀ ଚପଲ ରହିଛି ଯାହାର ଚାହିଦା ବିଦେଶରେ ମଧ୍ୟ ଅଧିକ ରହିଛି । କୋହ୍ଲାପୁରର ଏହି ଚପଲଟି ବର୍ତ୍ତମାନ ବିଦେଶରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଛି । ତିନିଜଣ ସାଙ୍ଗ ମିଶି ଆରମ୍ଭ କରିଛନ୍ତି ଏହି ନୂଆ ଷ୍ଟାର୍ଟଅପ୍ ।
ଏହା ଆରମ୍ଭ ପଛରେ ରହିଛି ଏକ ନିଆରା କାରଣ । ଏହି ତିନି ସାଙ୍ଗ ଏକ ଆନ୍ତର୍ଜାତୀୟ ସ୍ତରୀୟ ଏନ୍ଜିଓରେ ଇଣ୍ଟର୍ନସିପ୍ କରିବାକୁ ଯିବା ସମୟରେ ଏହି ଆଇଡିଆ ସେମାନଙ୍କ ମୁଣ୍ଡକୁ ଆସିଥିଲା । ସେଥିମଧ୍ୟରୁ ଜଣେ ସାଙ୍ଗ ଗୋଟିଏ କୋହ୍ଲାପୁରୀ ଚପଲ ପିନ୍ଧି ସେଠାକୁ ଯାଇଥିଲେ । ଚପଲଟି ସେଠାରେ ଥିବା ବିଦେଶୀଙ୍କୁ ବେଶ୍ ପସନ୍ଦ ଆସିଥିଲା । ଘଟଣାଟି ସେମାନଙ୍କୁ ଦେଶୀ ଚପଲକୁ ବ୍ୟବସାୟରେ ପରିଣତ କରିବାକୁ ଉତ୍ସାହିତ କରିଥିଲା । ସେଠାରେ ଇଣ୍ଟର୍ନସିପ୍ ସମାପ୍ତ କରି ଫେରିବା ପରେ ତିନି ସାଙ୍ଗ ମିଶି ଏହି ଉଦ୍ୟୋଗ ଆରମ୍ଭ କରିଥିଲେ ।
ବ୍ରାଣ୍ଡର ନାଁ ରହିଛି ‘ଦେଶୀ ହ୍ୟାଙ୍ଗ ଓଭର’ । ମାତ୍ର ୫ହଜାରରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ବର୍ତ୍ତମାନ ବର୍ଷକୁ ୨.୫ କୋଟି ଟଙ୍କାର ଆୟ ଦେଉଛି । ଏହି ଦେଶୀ ଚପଲର ଚାହିଦା ଆମେରିକା, ସିଙ୍ଗାପୁର, ମଲେସିଆ ଆଦିରେ ବେଶ୍ ଅଧିକା ରହିଛି । ସେମାନଙ୍କ ଅଧିନରେ ଅନେକ କାରିଗର କାମ କରୁଛନ୍ତି । ଏହି କାରିଗର ଅନେକ ସମୟରେ ମାର୍କେଟିଂ ଅଭାବରୁ ପରିଶ୍ରମର ଫଳ ପାଇ ପାରି ନଥାନ୍ତି ।
ସେହିଭଳି କିଛି କାରିଗରଙ୍କୁ ନେଇ ସେ ତାଙ୍କର ଉଦ୍ୟୋଗ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ସାଙ୍ଗଙ୍କ ଉଦ୍ୟମ କାରଣରୁ କାରିଗର ସେମାନଙ୍କ ପରିଶ୍ରମର ଉଚିତ୍ ମୂଲ୍ୟ ପାଇପାରୁଛନ୍ତି । ସେମାନଙ୍କ ପାଖରେ ୯୦ରୁ ଅଧିକ କାରିଗର କାର୍ଯ୍ୟ କରୁଛନ୍ତି । ମାସିକ ଏମାନଙ୍କର ପାରିଶ୍ରମିକ ୧୨ହଜାର ପାଖାପାଖି ରହିଛି । ଏହି ଉଦ୍ୟୋଗର ୫୦ ପ୍ରତିଶତ ମହିଳା କର୍ମଚାରୀ । ଉଦ୍ୟୋଗର ଉଦ୍ଦେଶ୍ୟ ଦେଶୀ ସାମଗ୍ରୀକୁ ବିଶ୍ୱ ଦରବାରରେ ପରିଚିତ କରାଇବା ସହିତ କାରିଗରଙ୍କୁ ସାହାଯ୍ୟ କରିବା ।
Comments are closed.