ଧନତେରସ୍‌

କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶ ତିଥିରେ ପଡିଥାଏ ଧନତେରସ୍‌ । ଯାହାକୁ ଧନ,ସ୍ୱର୍ଣ୍ଣ ଅଳଙ୍କାର, ଶୁଭ ମାଙ୍ଗଳିକ କର୍ମର ଆଗମନକୁ ବୁଝାଇଥାଏ । ତେବେ ଏହି ‘ଧନତେରସ୍‌’ ଶବ୍ଦ ସହିତ ଏକ ବିଶେଷ ପ୍ରଥା ମଧ୍ୟ ଯୋଡ଼ି ହୋଇ ରହିଛି । ପ୍ରଥା ଅନୁସାରେ ଏହି ଦିନକୁ ଶ୍ରୀଧନ୍ୱନ୍ତରୀଙ୍କର ଆର୍ବିଭାବ ଦିବସ ଭାବେ ମଧ୍ୟ ବିବେଚିତ କରାଯାଇଥାଏ । ଏହି ଧନ୍ୱନ୍ତରୀଙ୍କୁ ଆରୋଗ୍ୟଦାତା ଭଗବାନ ରୂପେ ଶାସ୍ତ୍ର, ପୁରାଣ, ବେଦରେ ବର୍ଣ୍ଣନା କରାଯାଇଛି । ଏହି ‘ଧନ୍ୱନ୍ତରୀ’ ଶବ୍ଦରୁ କାଳକ୍ରମେ ଧନତେରସ୍‌ର ସୃଷ୍ଟି ହୋଇଛି ବୋଲି ବର୍ଣ୍ଣନା ରହିଛି । ସନାତନ ଧର୍ମର ଏକ ପ୍ରମୁଖ ପର୍ବ ହେଉଛି ଧନତେରସ୍‌ । ଧନତେରସ୍‌ ଦିନ ଅଧିକାଂଶ ଲୋକ ସୁନା-ରୁପାର ଅଳଙ୍କାର କିଣିଥାନ୍ତି ।

Dhanteras The Festival of Wealth

ବିଶ୍ୱାସ ରହିଛି କି ଏହିଦିନ ସମୁଦ୍ର ମନ୍ଥନ ଅବସରରେ ଅମୃତ କଳସ ନେଇ ଭଗବାନ ବିଷ୍ଣୁ ହିଁ ଧନ୍ୱନ୍ତରୀ ରୂପେ ପ୍ରକଟ ହୋଇଥିଲେ । ଏଥିପାଇଁ ଏହି ଦିନକୁ ଧନତେରସ୍‌ ରୂପେ ପାଳନ କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଧନ୍ୱନ୍ତରୀ ପ୍ରକଟ ହେବାର ଦୁଇ ଦିନ ପରେ ମା’ଲକ୍ଷ୍ମୀ ପ୍ରକଟ ହୋଇଥିଲେ । ସେଥିପାଇଁ ଦୀପାବଳୀର ଦୁଇ ଦିନ ପୂର୍ବରୁ ଧନତେରସ୍‌ ପାଳନ କରାଯାଏ । ଏହିଦିନ ସ୍ୱ୍ୱାସ୍ଥ୍ୟ ରକ୍ଷା ପାଇଁ ଧନ୍ୱନ୍ତରୀଙ୍କ ଉପାସନା କରାଯାଏ । ସେହିପରି ଏହି ଦିନକୁ କୁବେରଙ୍କ ଦିନ ମଧ୍ୟ କୁହାଯାଏ ଏବଂ ଧନ ବୃଦ୍ଧି ପାଇଁ କୁବେରଙ୍କ ପୂଜା କରାଯାଏ । ପୃଥିବୀ ପୃଷ୍ଠରୁ ଜରାବ୍ୟାଧି ରୋଗ ନାଶ କରି ଆରୋଗ୍ୟ ମନ୍ତ୍ର ପ୍ରଦାନ କରିଥିବା ଭଗବାନ ଶ୍ରୀଧନ୍ୱନ୍ତରୀଙ୍କର ସ୍କନ୍ଦପୁରାଣ, ମତ୍ସ୍ୟ ପୁରାଣ ଆଦିରେ ବର୍ଣ୍ଣନା ମିଳେ । ସଂହିତା ଗ୍ରନ୍ଥ ଅନୁସାରେ ଏହି ଧନ୍ୱନ୍ତରୀ ମଧ୍ୟ କାଶୀରାଜ ଭାବେ ପରିଚିତ, ଯିଏକି ଶଲ୍ୟଶାସ୍ତ୍ର ସହିତ ସମସ୍ତ ଆୟୁର୍ବେଦ ପ୍ରଚାର କରାଇଥିଲେ । ମନୁଷ୍ୟମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ନିମନ୍ତେ ବିଭିନ୍ନ ବୃକ୍ଷଲତା ସହିତ ସ୍ୱର୍ଣ୍ଣାଦି ଧାତୁମାନଙ୍କ ମଧ୍ୟ ଔଷଧୀୟ ପ୍ରୟୋଗ ଆଭୂଷଣ ସହିତ ସେବନର ବିଧି ଆୟୁର୍ବେଦରେ ବର୍ଣ୍ଣିତ । ତେଣୁ ଏହି ଦିବସରେ ସ୍ୱର୍ଣ୍ଣ ଆଦି ଧାତୁ କ୍ରୟ କରିବାର ପ୍ରଥା ସାମାଜିକ, ଆର୍ଥିକ, ମାନସିକ ଓ ଦେବୀଭାବ ସଂପନ୍ନ ସହିତ କଲ୍ୟାଣକାରୀ, ଆୟୁବର୍ଦ୍ଧକ, ମନର ପ୍ରସନ୍ନତା, ଶରୀର ସୌନ୍ଦର୍ଯ୍ୟ ଓ ଓଜ ବୃଦ୍ଧି ବା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାର ବିଶ୍ୱାସ ଶାସ୍ତ୍ରାଦି ପ୍ରମାଣନୁସାରେ ପ୍ରଚଳିତ ।

Dhanteras The Festival of Wealth

ଧନତେରସ୍‌ ପର୍ବ ଧନ ଓ ଆରୋଗ୍ୟ ସହ ଜଡ଼ିତ । ଧନ ପାଇଁ ଏହି ଦିନ କୁବେରଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଆରୋଗ୍ୟ ପାଇଁ ଧନ୍ୱ୍ୱନ୍ତରୀଙ୍କ ପୂଜା କରାଯାଏ । ଏହିଦିନ ମୂଲ୍ୟବାନ ଧାତୁ , ନୂଆ ବାସନ, ଆଭୂଷଣ, କିଣିବାର ନିୟମ ରହିଛି । ସେହିଭଳି ଧନତେରସ୍‌ ପୂର୍ବରୁ ଘରର ସମସ୍ତ ଜିନିଷ ସଫା କରିବାର ନିୟମ ରହିଛି । ଘରର ମୁଖ୍ୟଦ୍ୱାର ଓ ମୁଖ୍ୟ କକ୍ଷର ସମ୍ମୁଖରେ ଅନାବଶ୍ୟକ ଜିନିଷ ଆଦୌ ରଖାଯାଏ ନାହିଁ । କୁହାଯାଏ ଘରର ମୁଖ୍ୟଦ୍ୱାର ଦ୍ୱାରା ମା’ଲକ୍ଷ୍ମୀ ଘରେ ପ୍ରବେଶ କରିଥାଆନ୍ତି । ତେଣୁ ଏହି ସ୍ଥାନ ସର୍ବଦା ପରିଷ୍କାର ରଖାଯାଏ । ସେହିଭଳି ଏହି ଦିନ ଅନ୍ୟ କେତେକ କଥାକୁ ନେଇ ବିଶ୍ୱାସ ମଧ୍ୟ ରହିଛି, ଯାହାକୁ ଲୋକମାନେ ପାଳନ କରିଥାଆନ୍ତି । ଏହିଦିନ କାଚ ଜିନିଷ କିଣାଯାଏ ନାହିଁ । ଏହିଦିନ ଅନ୍ୟ କାହାକୁ କରଜ ମଧ୍ୟ ଦିଆଯାଇ ନଥାଏ । ଘରେ କୁଙ୍କୁମ, ହଳଦି ଆଦିରେ ସ୍ୱ୍ୱସ୍ତିକ, ଓଁ ଆଦି ଅଙ୍କାଯାଏ, ଯାହା ଘରେ ସକାରାତ୍ମକ ମନୋଭାବ ଆଣିଥାଏ । ଏହି ଦିନଟିକୁ ଦୀପାବଳି ଭଳି ଖୁବଶ୍ରଦ୍ଧାର ସହ ପାଳନ କରାଯାଇଥାଏ ।

ସୂର୍ଯ୍ୟ ପରାଗ
Dhanteras The Festival of Wealth

ତେବେ ଚଳିତ ଥର ଦୀପାବଳି ପାଳନରେ ରହିଛି କିଛି ସ୍ୱତନ୍ତ୍ରତା । ଏହି ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଦୀପାବଳିର ପୂର୍ବଦିନ ସମସ୍ତ ରୀତିନୀତି ପାଳନ କରାଯିବ । ତେବେ ସୂର୍ଯ୍ୟ ପରାଗରେ ବିଭିନ୍ନ ନୀତି ନିୟମ ପାଳନ କରାଯାଇଥାଏ ଯାହା ଏହି ଦିନକୁ ସ୍ୱତନ୍ତ୍ର କରିଥାଏ । ସୂର୍ଯ୍ୟ ପରାଗ ଲାଗୁଥିବା ସମୟରେ କେତେକ ନିୟମ ପାଳନ କରାଯାଇଥାଏ । ପରାଗ ଲାଗୁ ଥିବା ସମୟରେ ପାକ ତ୍ୟାଗର ବିଧି ରହିଛି, ଏହି ସମୟରେ ଖାଦ୍ୟ ଗ୍ରହଣରେ ନିଷେଧ ରହିଥାଏ । ସେହିଭଳି କୌଣସି ପୂଜା ବିଧି, ମାଙ୍ଗଳିକ କାର୍ଯ୍ୟର ମଧ୍ୟ ନିଷେଧ ରହିଛି । ପରାଗ ଛାଡିବା ପରେ ସ୍ନାନ କରିବା ସହ ଘରକୁ ଶୁଦ୍ଧି କରିବାର ନିୟମ ରହିଛି । ଏହାପରେ ଖାଦ୍ୟ ପ୍ରସ୍ତୁତି ସହ ଠାକୁର ପୂଜା କିମ୍ବା ଅନ୍ୟ କୌଣସି ଶୁଭ କାର୍ଯ୍ୟର କରାଯାଇପାରିବ । ତେବେ ପରାଗ କହିଲେ ଏହା ଏକ ମହାଜାଗତିକ ଦୃଶ୍ୟ, ଯେଉଁଥିରେ ସୂର୍ଯ୍ୟ ଓ ପୃଥିବୀର କକ୍ଷ ପଥ ମଝିରେ ଚନ୍ଦ୍ର ଆସିଥାଏ । ହେଲେ ପୌରାଣିକ ବ୍ୟାଖାନ ଏଥିରୁ ଭିନ୍ନ । ପୌରାଣିକ ବର୍ଣ୍ଣନା ଅନୁସାରେ ସ୍ୱର୍ଗରେ ଅମୃତ ବଣ୍ଟନ ସମୟରେ ରାହୁ ଛଦ୍ମ ବେଶରେ ଆସି ଅମୃତ ଖାଇଥିଲେ । ତେବେ ଏନେଇ ଚନ୍ଦ୍ର ଓ ସୂର୍ଯ୍ୟ ବିଷ୍ଣୁଙ୍କୁ ସୂଚିତ କରିଥିଲେ । ଯାହାର ପରିଣାମ ସ୍ୱରୂପ ବିଷ୍ଣୁ ନିଜର ଚକ୍ର ସାହାଯ୍ୟରେ ରାହୁକୁ କାଟି ଦି ଖଣ୍ଡ କରିଦେଇଥିଲେ । ଅନ୍ୟ ଖଣ୍ଡଟି କେତୁ ନାମରେ ପରିଚିତ । ତେଣୁ ସେମାନେ ରାଗ ରଖି ପ୍ରତିବର୍ଷ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଗ୍ରାସ କରିଥାଆନ୍ତି, ଯାହାକୁ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ବୋଲି ବିବେଚନା କରାଯାଇଥାଏ ।

Har Ghar Tiranga