ଆଲୋକର ପର୍ବ ଦୀପାବଳି ଧରାକୁ ସାଙ୍ଗରେ ନେଇ ଆସେ ଆନନ୍ଦ ଉଲ୍ଲାସ ସହ ହସ ଖୁସି । ସମସ୍ତେ ଘରେଘରେ ଦୀପଜାଳି ସ୍ୱାଗତ କରନ୍ତି ଏହି ପର୍ବକୁ । ତେବେ ଦେଶବିଦେଶର ପୂରପଲ୍ଲୀରେ ପାଳନ ହେଉଥିବା ଏହି ପର୍ବକୁ ନେଇ ରହିଛି ଭିନ୍ନଭିନ୍ନ ପୌରାଣିକ ବ୍ୟାଖାନ ସହ ପରମ୍ପରା । ବିଭିନ୍ନ ସ୍ଥାନରେ ଅଲଗାଅଲଗା ଢଙ୍ଗରେ ପାଳନ ହୋଇଥାଏ ଏହି ଆଲୋକର ପର୍ବ । ଭିନ୍ନ ହେଲେ ମଧ୍ୟ ଏହି ପର୍ବ ପାଳନରେ ସମସ୍ତଙ୍କୁ ମିଳିଥାଏ ଅଶେଷ ଖୁସି ଓ ଆନନ୍ଦ ।
ଦୀପାବଳୀ ପାଳନ ପଛରେ ରହିଛି ଅନେକ କିମ୍ବଦନ୍ତୀ । ବିଭିନ୍ନ ପୌରାଣିକ କଥାର ଆଧାରରେ ପାଳନ ହୋଇଥାଏ ଏହି ପର୍ବ । ତେବେ ସବୁଠାରୁ ଅଧିକ ପ୍ରଚଳିତ କଥା ହେଲା ରାମଙ୍କର ସ୍ୱଦେଶ ପ୍ରତ୍ୟାବର୍ତ୍ତନ । ଏହି ଦିନ ରାବଣକୁ ବଦ୍ଧ କରିବା ସହ ୧୪ ବର୍ଷର ବନବାସ କାଟି ନିଜ ରାଜ୍ୟ ଅଯୋଧ୍ୟାକୁ ଫେରିଥିଲେ ପ୍ରଭୁ ଶ୍ରୀରାମ । ସାଥୀରେ ଥିଲେ ସୀତା ଓ ଭ୍ରାତା ଲକ୍ଷଣ । ରାମଙ୍କର ପ୍ରତ୍ୟାବର୍ତ୍ତନରେ ପୁରା ଅଯୋଧ୍ୟା ଭରି ଯାଇଥିଲା ହସଖୁସିରେ । ସମସ୍ତେ ଘରେଘରେ ଦୀପଜାଳି ସ୍ୱାଗତ କରିଥିଲେ ନିଜର ରାଜା ରାଣୀଙ୍କୁ । ସାରା ରାଜ୍ୟ ପାଲଟିଥିଲା ଜ୍ୱଳନ୍ତ ଦୀପର ରାଜ୍ୟ । ଅସତ୍ୟ ଓ ଅଧର୍ମ ଉପରେ ଶ୍ରୀରାମଙ୍କର ବିଜୟକୁ ଏହିଭଳି ଆନନ୍ଦ ଉଲ୍ଲାସର ସହ ପାଳିଥିଲେ ରାଜ୍ୟବାସୀ । ସେହିଦିନ ଠାରୁ ଦୀପାବଳିକୁ ଘରେଘରେ ଦୀପଜାଳି, ରଙ୍ଗୋଲି ପ୍ରସ୍ତୁତ କରି ପାଳନ କରିବାର ପ୍ରଥା ରହିଛି । ଏହି ଦିନ ଲୋକଙ୍କ ଘର ବନ୍ଧୁ ପରିଜନରେ ଭରପୂର ହୋଇ ରହିଥାଏ । ସମସ୍ତେ ମିଳିମିଶି ପାଳନ କରନ୍ତି ଏହି ପର୍ବକୁ । ପିଠାପଣା, ବିଭିନ୍ନ ଲାଇଟ୍, ରଙ୍ଗୋଲି,ଦୀପ, ମିଠା ଆଦିରେ ସମସ୍ତଙ୍କ ଘର ଉତ୍ସବ ମୁଖର ହୋଇଉଠେ । ଏହି ଆଲୋକର ପର୍ବକୁ ସମସ୍ତେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପାଳନ କରନ୍ତି ।
ପ୍ରତିବର୍ଷ କାର୍ତ୍ତିକ ମାସ ଅମାବାସ୍ୟ ତିଥିରେ ପାଳନ ହୋଇଥାଏ ଦୀପାବଳି । ପ୍ରାୟ ପାଞ୍ଚଦିନ ଧରି ଏହି ପର୍ବ ପାଳନ ହୋଇଥାଏ, ଯାହାର ଆରମ୍ଭ ହୋଇଥାଏ ଅମାବାସ୍ୟାର ଦୁଇଦିନ ପୂର୍ବରୁ । ଏହି ପର୍ବରେ ଲକ୍ଷ୍ମୀପୂଜାର ମଧ୍ୟ ବିଧି ରହିଛି । ତେବେ ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇଥାଏ ରଙ୍ଗୋଲି । ରଙ୍ଗୋଲିରେ ବିଭିନ୍ନ ଡିଜାଇନ ଦେଖିବାକୁ ମିଳୁଥିବାବେଳେ ମୁଖ୍ୟତ ଫୁଲ ଓ ଗୋଲ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ । ଏହି ପର୍ବକୁ କେବଳ ଯେ ହିନ୍ଦୁମାନେ ପାଳନ କରନ୍ତି ତାହା ନୁହେଁ ଏହାକୁ ବିଭିନ୍ନ ଧର୍ମ ଯେପରି ଜୈନ, ଶିଖ ମାନେ ମଧ୍ୟ ଖୁବ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି । ଏହି ଦିନ ଅନେକ ଲୋକ ଯେଉଁମାନେ ବିଦେଶରେ ରହିବା ସହ କାମ କରୁଛନ୍ତି ସେମାନେ ଘରକୁ ଫେରିବାର ପରମ୍ପରା ଅନେକ ପୁରୁଣା ଦିନରୁ ରହିଆସିଛି ।
ଦୀପାବଳିରେ ସବୁଠାରୁ ପ୍ରମୁଖ ଆକର୍ଷଣ ଥାଏ ଏହାର ଖାଦ୍ୟ । ଏହି ଦିନ ସମସ୍ତେ ଭଲଭଲ ମନ ପସନ୍ଦର ଖାଇବା ଖାଇ ଏହାକୁ ଉପଭୋଗ କରନ୍ତି । ସମସ୍ତଙ୍କ ଘରେ ଏହି ଦିନ ଭଲ ଖାଦ୍ୟର ବେଶ ଲମ୍ବା ତାଲିକା ଥାଏ । ଯେଉଁଥିରେ ଭିନ୍ନଭିନ୍ନ ଖାଦ୍ୟ ଯେପରି ସୁଜି ହଲୱା, ପନିର ଟିMା, ପିଆଜ ପକଡି, ଚାଉଳ ଖିରି, ଦହି ବୁନ୍ଦି ଭଳି ଅନେକ ଖାଦ୍ୟ ସାମିଲ ଥାଏ । ସବୁଆଡେ ନିଆରା ସ୍ୱାଦର ଭିନ୍ନଭିନ୍ନ ଷ୍ଟଲ ଦେଖିବାକୁ ମିଳିଥାଏ । ଲୋକମାନେ ଏଠାରେ ନିଜର ପରିବାର ସହିତ ମଜା ନେଇଥାଆନ୍ତି । ସେହିଭଳି ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ମିଠା ଉପହାରରେ ମଧ୍ୟ ଦିଆଯାଇଥାଏ, ଯାହା ବେଶ୍ ଆକର୍ଷଣୀୟ ହୋଇଥାଏ । ମିଠା ସହ ଦୀପାବଳିରେ ଡ୍ରାଏଫ୍ରୁଟସ ଦେବାର ପରମ୍ପରା ମଧ୍ୟ ଅନେକ ଦିନରୁ ଚାଲି ଆସିଛି ।
କାଳୀପୂଜା
ଦୀପାବଳି ତିଥିରେ ଆରମ୍ଭହୋଇଥାଏ ମା’ କାଳୀଙ୍କ ଶ୍ୟାମାକାଳୀ ପୂଜା । ପଶ୍ଚିମବଙ୍ଗ, ମିଥିଲା, ତ୍ରିପୁରା,ବିହାର,ଝାରଖଣ୍ଡ, ଓଡ଼ିଶା ଓ ଆସାମରେ ଏହି ପୂଜା ଖୁବ ଧୁମଧାମରେ ପାଳନ ହୋଇଥାଏ । ଏହି ସମସ୍ତ ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ କାଳୀ ପୂଜା ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି । ତେବେ କାଳୀ ପୂଜା ପଛରେ ହିନ୍ଦୁ ପୌରାଣିକ ବ୍ୟାଖାନ ଅନୁସାରେ କାହାଣୀ ରହିଛି । ଏହି ବର୍ଣ୍ଣନା ଅନୁସାରେ ରାକ୍ଷସ ରକ୍ତବୀଜକୁ ମାରିବାପାଇଁ ଦୁର୍ଗା କାଳୀ ରୂପ ଧାରଣ କରିଥିଲେ । ସେ ରକ୍ତବୀଜକୁ ମାରିବା ପରେ ତାର ରକ୍ତ ପାନ କରୁଥିଲେ, କାରଣ ବରଦାନ ଅନୁସାରେ ରକ୍ତବୀଜର ରକ୍ତ ଯେଉଁଠି ପଡିବ ସେଠାରୁ ଅନ୍ୟ ଏକ ରକ୍ତବୀଜର ସୃଷ୍ଟି ହେବ । ତେଣୁ ସେ ଏହି ଘଟଣାକୁ ରୋକିବାକୁ ରକ୍ତବୀଜର ରକ୍ତକୁ ପାନ କରିଥିଲେ । ତେବେ କାଳୀଙ୍କର ଏହି ଉଗ୍ର ରୂପକୁ ଶାନ୍ତ କରିବା ପାଇଁ ଶିବଙ୍କୁ କାଳୀଙ୍କ ରାସ୍ତାରେ ଶୋଇବାକୁ ହୋଇଥିଲା । ଯେତେବେଳେ କାଳୀ ଭୁଲରେ ଶିବଙ୍କ ଉପରେ ପାଦ ରଖିଦେଇଥିଲେ, ସେହି ସମୟରେ ତାଙ୍କ କ୍ରୋଧ ଶାନ୍ତ ହୋଇଥିଲା । ଏହାପରେ ତାଙ୍କ କ୍ରୋଧରୁ ଦୁନିଆ ମୁକ୍ତି ପାଇଥିଲା । କାଳୀପୂଜା ପରମ୍ପରା କାହିଁ କେଉଁ ଅନାଦି କାଳରୁ ଚାଲି ଆସିଛି । ଏହା ବେଶ୍ ପୂରାତନ ପରମ୍ପରା ।
ତଥ୍ୟ ଅନୁସାରେ ୧୬ଶହ ଶତାବ୍ଦୀ ପୂର୍ବରୁ ଏହି ପୂଜାକୁ କେହି ଜାଣିନଥିଲେ । ଋଷି କୃଷ୍ମନନ୍ଦ ଆଗମବାଗୀଷୁ ପ୍ରଥମେ ଏହି କାଳୀ ପୂଜାକୁ ଆରମ୍ଭ କରିଥିବା ସୂଚନା ରହିଛି । ତେବେ କୋଲକାତାରେ ୧୮ଶହ ଶତାବ୍ଦୀରେ କାଳୀ ପୂଜାର ପ୍ରଚାର ପ୍ରସାର ଖୁବ ଜୋରସୋରରେ ଚାଲିଥିଲା । ଯାହା ସମୟ ଅନୁସାରେ ଅଧିକ ପ୍ରସିଦ୍ଧି ଲାଭ କରିଥିଲା । ୧୯ଶହ ଶତାବ୍ଦୀରେ କାଳୀଙ୍କର ଭକ୍ତ ସନ୍ଥ ରାମକୃଷ୍ଣ କୋଲକାତାରେ ବେଶ୍ ପରିଚିତି ଲାଭ କରିଥିଲେ । ଯିଏ କାଳୀଙ୍କର ଜଣେ ଦୃଢ ଉପାସକ ଥିଲେ । ସାରା ଦେଶରେ ତାଙ୍କର କାଳୀଙ୍କ ପାଇଁ ଥିବା ଶ୍ରଦ୍ଧା ଲୋକଙ୍କ ମଧ୍ୟରେ ପରିଚିତି ଲାଭ କରିଥିଲା ।
ଯେଉଁମାନେ ମା’ କାଳୀଙ୍କର ଭକ୍ତ ସେମାନେ କାଳୀ ପୂଜା ସମୟରେ ଘରେ ମା’ଙ୍କର ମୂର୍ତ୍ତି ବସାଇ ପୂଜା କରିଥାଆନ୍ତି । ସେହିଭଳି ବିଭିନ୍ନ ସ୍ଥାନରେ ମା’ଙ୍କର ମୂର୍ତ୍ତିକୁ ପଣ୍ଡାଲରେ ରଖି ପୂଜା କରାଯାଇଥାଏ । ତେବେ ମା’ଙ୍କୁ ସର୍ବଦା ରାତି ସମୟରେ ପୂଜା କରାଯାଇଥାଏ । ଯେଉଁଠି ମା’ଙ୍କର ହିନ୍ଦୁ ରୀତିନୀତି ଅନୁସାରେ ଉପାସନା କରାଯାଇଥାଏ । ମା’ଙ୍କ ପାଖରେ ଚାଳରୁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଖିରି ପ୍ରସାଦ ରୂପେ ଲାଗି କରାଯାଇଥାଏ । କୋଲକାତାର ଏହି ସବୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ । ଏଠାରେ କାଳୀପୂଜାରେ ବିଭିନ୍ନ ମେଳା, ଯାନି ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ପିତୃପୁରୁଷଙ୍କୁ ଶ୍ରାଦ୍ଧ
ବିଭିନ୍ନ ସ୍ଥାନରେ ଅଲଗାଅଲଗା ଢଙ୍ଗରେ ପାଳନ ହୋଇଥାଏ ଆଲୋକର ଉତ୍ସବ ଦୀପାବଳି । କାର୍ତ୍ତିକ ମାସ ଅମାବାସ୍ୟାରେ ପଡିଥାଏ ଦୀପାବଳି ଆଉ କାଳୀପୂଜା । ନିଶାର୍ଦ୍ଧରେ ଆରମ୍ଭ ହୁଏ ଦେବୀ ମାତା କାଳୀଙ୍କର ପୂଜା । କାଳୀ ପୂଜା ଏକ ତାନ୍ତ୍ରିକ ପୂଜା । ପ୍ରାୟ ୧୨୦୦ ବର୍ଷ ପୂର୍ବେ ଓଡ଼ିଶାରେ ଅଷ୍ଟମ ନବମ ଶତାବ୍ଦୀ ବେଳକୁ ଚାମୁଣ୍ଡା ଦେବୀଙ୍କ ପୂଜା ଆରମ୍ଭ ହୋଇଥିଲା । ଏବେ ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାଳୀପୂଜା ଅନୁଷ୍ଠିତ ହେଉଛି । ତେବେ ଏହା ପୂର୍ବରୁ ଓଡ଼ିଶାରେ ଦୀପାବଳିରେ ବଡ଼ବଡିଆ ଡାକିବାର ପରମ୍ପରା ରହିଛି । ଏହି ନିଆରା ପରମ୍ପରା ଜଗନ୍ନାଥ ସଂସ୍କୃତିରୁ ଆନିତ । ଏହି ଦିନ ସମସ୍ତେ କାଉଁରିଆ କାଠି ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଅର୍ପଣ କରିଥାନ୍ତି । ଏହି ପରମ୍ପରାର ଅର୍ଥ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରାଯାଏ । କେତେ ଲୋକ ଏହି ନୀତି ଘରେ କରିଥାନ୍ତି । ଏହାସହ ଅସଂଖ୍ୟ ଭକ୍ତ ସେଦିନ ଜଗନ୍ନାଥ ମନ୍ଦିରର ବାଇଶି ପାହାଚରେ ମଧ୍ୟ ପିଣ୍ଡଦାନ କରି କାଉଁରିଆ କାଠି ଜାଳିଥାଆନ୍ତି । ଏହି ଦିନ ପରିବାରର ସମସ୍ତେ ଏକାଠି ହୋଇ କାଉଁରିଆ ଜାଳିବାର ପ୍ରଥା ରହିଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)