ଭବାନୀପାଟଣା : ଭାରତ ସ୍ୱାଧୀନତା ପରେ କଳାହାଣ୍ଡି ଜିଲ୍ଲାରେ ରାଜତନ୍ତ୍ରର ଅବସାନ ଘଟିଥିଲା । ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାନ ଦେଇ ନିଜର ଜନ ପ୍ରତିନିଧି ବାଛିବା ଲୋକଙ୍କର ମୌଳିକ ଅଧିକାର ହେଲା । ଏହି ଆଧାରରେ କଳାହାଣ୍ଡି ରାଜ୍ୟ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ପରିଣତ ହେଲା । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅନୁଯାୟୀ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଗଣତନ୍ତ୍ରର ମହାପର୍ବ ଆଧାରରେ ସ୍ୱାଧୀନ ଭାବେ ମତଦାନକୁ ପ୍ରାଧାନ୍ୟ ଦିଆଗଲା । ଏହି ଆଧାରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରକୁ ପୌରାଞ୍ଚଳ ଘୋଷଣା କରାଯାଇ ୧୯୫୧ ମସିହାରେ ପ୍ରଥମ ପୌରପରିଷଦ ନିର୍ବାଚନ ହୋଇଥିଲା ।
ଭାନୀପାଟଣା ପୌରପରିଷଦରେ ୧୯୭୯ ମସିହାରେ ପ୍ରତ୍ୟକ୍ଷ ନିର୍ବାଚନରେ ମନମୋହନ ମାଥୁର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ୧୯୯୨ ମସିହାରେ ଦେବୀପ୍ରସାଦ ମିଶ୍ର ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ତୃତୀୟ ଥର ପାଇଁ ଅଧ୍ୟକ୍ଷ ପଦବି ନିମନ୍ତେ ନିର୍ବାଚନ ହେବ । ଜୁନାଗଡ ଏନ୍ଏସିରେ ୧୯୯୨ ମସିହାରେ ପାର୍ଥ ମହାଳିକ ପ୍ରତ୍ୟକ୍ଷ ନିର୍ବାଚନରେ ଅଧ୍ୟକ୍ଷ ହୋଇଥିଲେ । ସେହିଭଳି କେସିଙ୍ଗା ଏନ୍ଏସିରେ ୧୯୯୨ ମସିହାରେ କୁଞ୍ଜବିହାରୀ ସାହୁ ପ୍ରତ୍ୟକ୍ଷ ନିର୍ବାଚନରେ ଅଧ୍ୟକ୍ଷ ହୋଇଥିଲେ । ୩୦ ବର୍ଷ ପରେ ପୌରପରିଷଦର ଅଧ୍ୟକ୍ଷ ପଦବି ନିମନ୍ତେ ପ୍ରତ୍ୟକ୍ଷ ନିର୍ବାଚନ ହେବ । ଏଥି ଯୋଗୁଁ ସହରାଞ୍ଚଳ ଭୋଟରଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।
କହିରଖୁ କି, ପରିଷଦର ପ୍ରଥମ ଅଧ୍ୟକ୍ଷ ପର୍ଶୁରାମ ମୁଣ୍ଡ ନିର୍ବାଚିତ ହୋଇ ୧୯୫୧ ମସିହାରୁ ୧୯୫୩ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେହିଭଳି ୧୯୫୩ ରୁ ୧୯୫୬ ମସିହା ପର୍ଯ୍ୟନ୍ତ ବୀରକିଶୋର ଦେଓ ଦ୍ୱିତୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୧୯୫୬ ରୁ ୧୯୫୮ ମସିହା ପର୍ଯ୍ୟନ୍ତ ଡ. ନୁର ମହମ୍ମଦ, ୧୯୫୮ ରୁ ୧୯୬୧ ପର୍ଯ୍ୟନ୍ତ ଦୟାନିଧି ନାଏକ, ୧୯୬୧ ରୁ ୧୯୬୪ ମସିହା ପର୍ଯ୍ୟନ୍ତ ଜନାର୍ଦ୍ଦନ ଷଡଙ୍ଗୀ, ୧୯୬୪ ରୁ ୧୯୬୫ ମସିହା ପର୍ଯ୍ୟନ୍ତ ନୀଳାଦ୍ରିନାଥ ପଣ୍ଡା, ୧୯୬୬ ରୁ ୧୯୬୮ ମସିହା ପର୍ଯ୍ୟନ୍ତ ଅସରଫ ଅଲ୍ଲୀ ଖାଁ, ୧୯୬୮ ରେ କୃଷ୍ଣଚନ୍ଦ୍ର ମହାଖୁଡ କେବଳ ଗୋଟିଏ ବର୍ଷ ପାଇଁ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଥିଲେ ।
୧୯୬୯ ରୁ ୧୯୭୩ ମସିହା ପର୍ଯ୍ୟନ୍ତ ମାର୍କଣ୍ଡ ରଥ, ୧୯୭୩ ରୁ ୧୯୭୭ ମସିହା ପର୍ଯ୍ୟନ୍ତ ରାସବିହାରୀ ବେହେରା, ୧୯୭୯ ରୁ ୧୯୮୩ ମସିହା ପର୍ଯ୍ୟନ୍ତ ମନମୋହନ ମାଥୁର, ୧୯୮୪ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ବସନ୍ତ ଦାସ, ୧୯୯୨ ରୁ ୧୯୯୫ ଦେବୀପ୍ରସାଦ ମିଶ୍ର, ୧୯୯୭ ରୁ ୨୦୦୨ ମସିହା ପର୍ଯ୍ୟନ୍ତ ସୟଦ ସମିମ୍, ୨୦୦୩ ରୁ ୨୦୦୮ ମସିହା ପର୍ଯ୍ୟନ୍ତ ନିରଞ୍ଜନ ପ୍ରଧାନ, ୨୦୦୮ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ଲଳିତା ନାଏକ ଓ ୨୦୧୩ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ଆଦିତ୍ୟ ନନ୍ଦ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ ।
Comments are closed.