ମାସେ ହେବ ଗ୍ରାମରେ ଉପଦ୍ରବ କରୁଛନ୍ତି ହାତୀପଲ: ଖାଉଛନ୍ତି ଅମଳକ୍ଷମ ଧାନ, ନଷ୍ଟ କରୁଛନ୍ତି ଫସଲ

ଦେବଗଡ : ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମ ପଞ୍ଚାୟତରେ ଉପଦ୍ରବ କରୁଛନ୍ତି ହାତୀପଲ । ଗତ ଅକେଫାବର ମାସ ୧୭ ତାରିଖ ଠାରୁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଙ୍ଗଲୀ ହାତୀ ହାତୀ ପଶି ଉପଦ୍ରବ ଘଟାଉଛନ୍ତି । ଏଥିରେ ବହୁ ଫସଲ ନଷ୍ଟ ହେବା ସହିତ ଲୋକ ବାହାରକୁ ବାହାରିବା ପାଇଁ ଡ଼ରୁଛନ୍ତି । ଅମଳକ୍ଷମ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ଖବର ଅନୁସାରେ, ସେହି ପଲରେ ପ୍ରାୟ ୪୦ ଜଣ ହାତୀ ରହିଛନ୍ତି । ସନ୍ଧ୍ୟା ହେଲେ ଏହି ପଲ ଗ୍ରାମରେ ପଶି ଚାଷ ଜମିରୁ ଧାନ ଖାଇଦେଇ ସକାଳ ହେଲେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଉଛନ୍ତି ।

ସେପଟେ ହାତୀଙ୍କୁ ଘଉଡାଇବା ପାଇଁ ଜଙ୍ଗଲ ବିଭାଗ କର୍ମଚାରୀମାନେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଫୋକ୍‌ସଲାଇଟ, ସାଇରନ, ମଶାଲ ଧରି ବାଣଫଟକା ଫୁଟାଇ ସାଥୀମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ଅପର ପକ୍ଷରେ ସୁଗୁଡା ଗ୍ରାମବାସୀମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଫସଲ ସୁରକ୍ଷା ପାଇଁ ହାତୀମାନଙ୍କୁ ଘଉଡାଇବା ପାଇଁ ଲାଗିପଡିଛନ୍ତି । ଗ୍ରାମର ପୁରୁଷ ମହିଳା ନିଜ ଜୀବନକୁ ବାଜି ଲଗାଇ ରାତିରେ ଉଜାଗର ରହି ନିଜ ଫସଲକୁ ଜଗି ବସୁଛନ୍ତି । ହାତୀଙ୍କ ଯୋଗୁଁ ଚଳିତ ବର୍ଷ ଏହି ଅଞ୍ଚଳର ଚାଷୀ ନିଜ ଜମିରୁ ଧାନ ଅମଳ ଆଶା ଛାଡିସାରିଲେଣି । ଏଭଳି ସ୍ଥିତିରେ ଚାଷୀମାନଙ୍କ ପାଇଁ ସରକାରୀ ସାହାଯ୍ୟ ଏକମାତ୍ର ଭରଷା ପାଲଟିଛି ।

Comments are closed.