ଦିଲ୍ଲୀ: ମେ ୨୦: ‘ସ୍ପେସ୍ଏକ୍ସ’ ଏବଂ ‘ଟେସ୍ଲା’ କମ୍ପାନୀର ସିଇଓ ଏଲନ ମସ୍କଙ୍କ ବିରୋଧରେ ଜଣେ ଏୟାର୍ ହୋଷ୍ଟେସ୍ ବା ବିମାନ ପରିଚାଳିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହିପରିକି ଘଟଣାକୁ ଦବାଇଦେବା ପାଇଁ ଏଲନ୍ଙ୍କ କମ୍ପାନୀ ତାଙ୍କୁ ୨ ଲକ୍ଷ ୫୦ ହଜାର ଡଲାର ଅର୍ଥ ଦେଇଛି ବୋଲି ସୂଚନା ରିହିଛି । ଘଟଣାକୁ ନେଇ କିଛି ଇ-ମେଲ୍ ଓ ଅନ୍ୟାନ୍ୟ ରେକର୍ଡକୁ ଆଧାର କରି ଏକ ଅଭିଯୋଗପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରାଯାଇଛି ବୋଲି ‘ବିଜ୍ନେସ୍ ଇନ୍ସାଇଡର’ ରିପୋର୍ଟ କରିଛି ।
‘ବିଜ୍ନେସ୍ ଇନ୍ସାଇଡର’ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ୨୦୦୬ରେ ‘ସ୍ପେସ୍ଏକ୍ସ’ କମ୍ପାନୀ ଅଧିନରେ ଥିବା ‘କର୍ପୋରେଟ୍ ଜେଟ୍ ଫ୍ଲିଟ୍’ରେ ଜଣେ ଚୁକ୍ତି ଭିତ୍ତିରେ ଚାକିରି କରୁଥିବା ବିମାନ ପରିଚାଳିକାଙ୍କୁ ଏଲନ୍ ‘ବଡି ମାସାଜ୍’ ପାଇଁ ନିଜ କୋଠରୀକୁ ଡକାଇଥିଲେ । ସେଠାରେ ଏଲନ୍ ତାଙ୍କୁ ଅସଦାଚରଣ କରିଥିଲେ ।
ପରିଚାଳିକାଙ୍କ ଅଭିଯୋଗ ଅନୁସାରେ, ମସ୍କ୍ ତାଙ୍କ ସମ୍ମୁଖରେ ପୋଷାକ ଓହ୍ଲାଇବା ସହ ବିନା ସମ୍ମତିରେ ତାଙ୍କ ଗୋଡ଼ରେ ଘଷି ହୋଇଥିଲେ । ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇଥିଲେ । ଏହାଛଡ଼ା, ତାଙ୍କୁ ଗୋଟାଏ ଘୋଡ଼ା କିଣି ଦେବେ ବୋଲି କହିଥିଲେ ।
ପରିଚାରିକାଙ୍କର ଜଣେ ବନ୍ଧୁଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଘୋଷଣାନାମାରେ ଉକ୍ତ ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତେବେ ଏଲନ୍ଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ମୀମାଂସା କରିବାକୁ ଯାଇ ‘ସ୍ପେସ୍ଏକ୍ସ’ କମ୍ପାନୀ ୨୦୧୮ରେ ଅସଦାଚରଣର ଶିକାର ହୋଇଥିବା ପରିଚାରିକାଙ୍କୁ ଅର୍ଥ ପ୍ରଦାନ କରିଥିଲା ।
Comments are closed.