ନୂଆଦିଲ୍ଲୀ: ଜୁନ ୯: ଦେଶରେ ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହେଉଛି । ଚଳିତବର୍ଷ ୧୪୫୬ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ସିଟ୍ ଖାଲି ପଡ଼ିଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଡାକ୍ତରମାନଙ୍କ ଭବିଷ୍ୟତ ସହ ଖେଳୁଛ ବୋଲି କହି କୋର୍ଟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କାହିଁକି ମେଡିକାଲ ପିଜି ସିଟ ଗୁଡ଼ିକ ଖାଲି ପଡ଼ିଛି । ୭ ଦିନ ଭିତରେ ଏକ ସତ୍ୟପାଠରେ ତାହା ଜଣାଇବା ପାଇଁ କୋର୍ଟ କେନ୍ଦ୍ର ସରକାର ଓ ମେଡିକାଲ କାଉନ୍ସେଲିଂ କମିଟି (ଏମ୍ସିସି)କୁ କହିଛନ୍ତି । ଡାକ୍ତରମାନଙ୍କ ଜୀବନ ଓ ଭବିଷ୍ୟତ ସହ ଖେଳ ଖେଳିଥିବାରୁ କୋର୍ଟ ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇପାରେ ବୋଲି ଚେତାବନି ଦେଇଛନ୍ତି । ପିଜି ସିଟକୁ ନେଇ ସାତ ଜଣ ଡାକ୍ତର କରିଥିବା ଆବେଦନର ଶୁଣାଣି କରିଥିଲେ ଜଷ୍ଟିସ୍ ଏମ୍.ଆର୍. ଶାହ ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ । ନିଟ୍-ପିଜି ଚୟନ ପ୍ରକ୍ରିୟାର ମପ୍ଅପ୍ ରାଉଣ୍ଡ ମେ ୭ରୁ ସରିଥିବା ବେଳେ ଖାଲି ଥିବା ସିଟଗୁଡ଼ିକୁ ଏଯାବତ ପୂର୍ଣ୍ଣ କରାଯାଇନାହିଁ । ଏହାଦ୍ୱାରା ଉଭୟ ଛାତ୍ର ଏବଂ ଅଭିଭାବକମାନେ ଚାପଗସ୍ତ ହେଉଛନ୍ତି ବୋଲି କୋର୍ଟ କହିଛନ୍ତି । ପାଖାପାଖି ୧୪୫୬ଟି ସିଟ୍ ଖାଲି ପଡ଼ିଥିବା ବେଳେ ସରକାର ଏ ଦିଗରେ ତତ୍ପରତା ଦେଖାଉ ନ ଥିବା ଅଭିଯୋଗ ରହିଛି । ଦେଶରେ ଅଧିକ ଡାକ୍ତର ଆବଶ୍ୟକ ଥିବା ବେଳେ ତାହା ପୂରଣ ନକରିବା କେନ୍ଦ୍ରର ଦାୟିତ୍ୱହୀନତାକୁ ସୂଚାଉଛି ବୋଲି କୋର୍ଟ କହିଛନ୍ତି ।
Comments are closed.