ଆମେରିକା: ସେପ୍ଟେମ୍ବର ୧୮: ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ଲୋକଙ୍କର ଭିନ୍ନ ଭିନ୍ନ ମତ ରହୁଛି । ହେଲେ ଆମେରିକାରେ ଏହି ସୋସିଆଲ ମିଡିଆ ଜଣେ ମାଆ-ଝିଅକୁ ଏକାଠି କରିବାରେ ସହଯୋଗ କରିଛି । ଖବର ଅନୁଯାୟୀ ଫ୍ଲୋରିଡାର ଜ୍ୟାକଲିନ ହର୍ନାଡେଜ୍ ୧୪ ବର୍ଷ ପରେ ଆମେରିକା-ମେକ୍ସିକୋ ସୀମାରେ ନିଜ ମାଆ ଏଞ୍ଜିଲେକାଙ୍କୁ ଭେଟିଛନ୍ତି । ଦୀର୍ଘ ୧୪ ବର୍ଷ ପରେ ମାଆ-ଝିଅ ଏକାଠି ହୋଇ ଆତ୍ମହରା ହୋଇଯାଇଥିଲେ । ଜ୍ୟାକଲିନ ୬ ବର୍ଷ ବୟସ ହୋଇଥିବା ବେଳେ ହଠାତ୍ ଦିନେ ନିଖୋଜ ହୋଇଯାଇଥିଲେ । ୨୦୦୭ରେ ଜ୍ୟାକଲିନଙ୍କ ପିତା ହିଁ ତାଙ୍କୁ ଅପହରଣ କରିନେଇଥିବା କୁହାଯାଏ । ଏହାପରେ ଜ୍ୟାକଲିନ ମାଆ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ଝିଅର କୌଣସି ସନ୍ଧାନ ପାଇନଥିଲେ । କିନ୍ତୁ ହଠାତ୍ ୧୪ ବର୍ଷ ପରେ ଏଞ୍ଜିଲେକାଙ୍କୁ କେହି ଜଣେ ଫେସବୁକ ଜରିଆରେ ସମ୍ପର୍କ କରି ନିଜ ଝିଅ ହେବାର ଦାବି କରିଥିଲା । ଏଞ୍ଜିଲେକା ଏସମ୍ପର୍କରେ ପୋଲିସକୁ ଚଳିତ ମାସ ସେପେଫମ୍ବରରେ ଜଣାଇଥିଲେ । ଯାହା ପରେ ଫ୍ଲୋରିଡା ଏବଂ ଟେକ୍ସାସର ପୋଲିସ ମିଳିତ ପ୍ରଚେଷ୍ଟାରେ ଏଞ୍ଜିଲେକା ଓ ଜ୍ୟାକଲିନ ଏକାଠି ହୋଇପାରିଛନ୍ତି । ଫେସବୁକରେ ଗୋଟିଏ ଛୋଟିଆ ମେସେଜ ହିଁ ବିଚ୍ଛିନ୍ନ ମା-ଝିଅକୁ ଏକାଠି କରିବାରେ ଲକ୍ଷମ ହୋଇଛି । ଏହାପରେ ଫେସବୁକରେ ହିଁ ମାଆଝିଅ ସମ୍ପର୍କ କରି ଟେକ୍ସାସର ଲାରେଡୋର ବର୍ଡରରେ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲେ । ୧୦ ସେପେଫମ୍ବରକୁ ଅଧିକାରୀମାନେ ଅପହୃତ ମହିଳା ଜ୍ୟାକଲିନର ପରିଚୟକୁ ନିଶ୍ଚିତ କରିବା ପରେ ଏଞ୍ଜିଲେକା ସହ ଭେଟ କରାଇଥିଲେ । ପୋଲିସର କହିବା ଅନୁଯାୟୀ ଅପହରଣ କରିଥିବା ପିତାର ଏବେ ବି ସନ୍ଧାନ ଜାରି ରହିଛି ।
Comments are closed.