କଟକ : ବାଦାମବାଡ଼ି ଅଞ୍ଚଳରେ ଅଭାବନୀୟ ଘଟଣା । ଘର ଭିତରୁ ଉଦ୍ଧାର ହେଲା ବାପା ଓ ଝିଅଙ୍କ ମୃତଦେହ । ଗୋଟିଏ କୋଠରୀରେ ବାପାଙ୍କ ମୃତଦେହ ପଙ୍ଖାର ଝୁଲୁଥିବାବେଳେ ଅନ୍ୟ ଏକ କୋଠରୀ ବିଛଣାରେ ପଡିଥିଲା ଝିଅର ମୃତଦେହ । ମୃତକ ହେଲେ ମାନସ ରଞ୍ଜନ ଦାସ (୫୨) ବର୍ଷ ଏବଂ ୧୭ ବର୍ଷିଆ ଦିବ୍ୟାଙ୍ଗ ଝିଅ ହରଶ୍ରିତା ହେମାଙ୍ଗିନି ଇ ଉଭୟେ ଗତ ୨ ବର୍ଷ ହେବ କଟକ ବାଦାମବାଡ଼ି ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରହି ଆସୁଥିଲେ । ପୂର୍ବରୁ ମାନସ ରଞ୍ଜନଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରଥମେ ଦିବ୍ୟାଙ୍ଗ ଝିଅକୁ ହତ୍ୟା କରିବା ପରେ ମାନସ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖବର ପାଇ ବାଦାମବାଡ଼ି ଥାନା ପୋଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧାନ ଜାରି ରଖିଛି ।
ସୂଚାନୁସାରେ,ଗତ ୨ ବର୍ଷ ହେଲା କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ସ୍ନେହଲତା ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଥିବା ଫ୍ଲାଟ୍ ନଂ ୧/୨ ଏ୩’ରେ ଦୁଇଟି ଘର ଭଡ଼ା ନେଇ ରହି ଆସୁଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୁଣୁପୁର ଗ୍ରାମର ମାନସ ରଞ୍ଜନ ଦାସ ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅ ହରଶ୍ରିତା । ଝିଅ ଜନ୍ମ ହେବାର ୨୮ ଦିନ ପରେ ମାନସଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ସେବେଠାରୁ ମାନସ ଦିବ୍ୟାଙ୍ଗ ଝିଅର ଦେଖାଶୁଣା କରିଆସୁଥିଲେ। ଝିଅ ମାନସିକ ଦିବ୍ୟାଙ୍ଗ ସହିତ ଠିକ୍ରେ କଥାବାର୍ତ୍ତା କରି ପାରୁନଥିଲା। ମାନସ ଭୁବନେଶ୍ବରରେ ଏକ ଘରୋଇ କମ୍ପାନିରେ କାମ କରୁଥିବା ସୂଚନା ମିଳିଛି । ତେବେ ମାନସ ଶୁକ୍ରବାର ଦିନ ଘର ଛାଡିବ ବୋଲି ଘର ମାଲିକଙ୍କ ଠାରୁ ସମସ୍ତ ହିସାବ ତୁଟାଇଥିଲେ । ତେବେ ଆଜି ବିଳମ୍ବିତ ସମୟ ଯାଏଁ ଘରର କବାଟ ନଖୋଲିବାରୁ ଘର ମାଲିକ ଜଣକୁ ମାନସଙ୍କ ଘରକୁ ପଠାଇଥିଲେ । ସେ ବେଲ ମାରିବା ପରେ ମଧ୍ୟ ମାନସ ଘରର କବାଟ ନଖୋଲିବାରୁ ତାଙ୍କ ମନରେ ସନ୍ଦେହ ହୋଇଥିଲା । ସେ ବାହାରପଟୁ ଝରକା ଫାଙ୍କରୁ ଏହି ଘଟଣା ଦେଖି ତୁରନ୍ତ ଯାଇ ସ୍ନେହଲତା ଆପାର୍ଟମେଣ୍ଟର ମାଲିକ ପ୍ରସନ୍ନ ମହାନ୍ତିଙ୍କୁ ଜଣାଇଥିଲେ । ଘର ମାଲିକ ଘଟଣା ସମ୍ପର୍କରେ ବାଦାମବାଡ଼ି ଥାନା ପୋଲିସକୁ ଖବର ଦେବାରୁ ପୋଲିସ କବାଟ ଭାଙ୍ଗି ଭିତରେ ପଶିବା ସହ ଦୁଇ ଜଣଙ୍କ ଶବ ଉଦ୍ଧାର କରିଥିଲା। ଗୋଟିଏ ବଖରାରେ ମାନସ ବେକରେ ଧୋତି ବାନ୍ଧି ଫ୍ୟାନ୍ରେ ଝୁଲିପଡ଼ିଥିବା ବେଳେ ଆଉ ଏକ ବଖରାରେ ଥିବା ଖଟ ଉପରେ ଝିଅର ମୃତଦେହ ପଡ଼ିଥିଲା। ପରିପାର୍ଶ୍ଵିକ ପରିସ୍ଥିତିରୁ ମାନସ ପ୍ରଥମେ ଝିଅକୁ ବିଷ ଦେଇ କିମ୍ବା ମୁହଁକୁ ତକିଆରେ ଚାପି ହେଉ କିମ୍ବା ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।