ଭୁବନେଶ୍ୱର: ସେପ୍ଟେମ୍ବର ୨୭: ‘ବାତ୍ୟା ‘ଗୁଲାବ’ ରାଜ୍ୟରେ ବିଶେଷ ପ୍ରଭାବ ପକାଇନାହିଁ । ଏହା ପ୍ରଭାବରେ ସେତେ କ୍ଷୟକ୍ଷତି ହୋଇନାହିଁ ।’ ସାମ୍ବାଦିକ ସମ୍ମିଳନୀରେ ସ୍୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାତ୍ୟା ‘ଗୁଲାବ’ ଆଉ କମ ସମୟ ମଧ୍ୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ୪ଘଣ୍ଟା ମଧ୍ୟରେ ଏହା ପ୍ରଭାବ ଓଡ଼ିଶା ଉପରେ କମି ଯିବ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଲକାନଗିରିରେ କେନ୍ଦ୍ର ବିନ୍ଦୁ ରହିଛି । ବାତ୍ୟା ପ୍ରଭାବରେ କେଉଁଠି ଅଧିକ ପବନ ହୋଇଥିବାର ସୂଚନା ନାହିଁ । ଏସ୍ଆରସି ଆହୁରି କହିଛନ୍ତି, ବାତ୍ୟା ପ୍ରଭାବରେ କନ୍ଧମାଳ, ଗଜପତି, ରାୟଗଡ଼ା ଓ କୋରପୁଟ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । ତେବେ ଏହି ସବୁ ଜିଲ୍ଲାରେ ଅଳ୍ପ ବର୍ଷା ହେବା ସହ କମ୍ ପବନ ହୋଇଛି । ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ୮୩ ମିମି, ମୋହନାରେ ୭୦, ଆର. ଉଦୟ ଗିରିରେ ୬୯, ଗୁମ୍ମାରେ ୬୮, ରାୟଗଡ଼ାରେ ୬୬ ଓ ପାରଳାଖେମୁଣ୍ଡିରେ ୬୦ ମିମି ବର୍ଷା ହୋଇଛିଛ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ସବୁଠୁ ଅଧିକ ୧୪୫ ମିମି ବର୍ଷା ରେକର୍ଡ ହୋଇଛି । ସ୍୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ବର୍ଷା ଓ ପବନ ଯୋଗୁ ସେଭଳି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ । କିଛି ପାହାଡ଼ି ଝରଣାରୁ ପାଣି ଆସି ରାସ୍ତାରେ ଜମି ଥିଲା । ତେବେ ତାହା କମି ଯାଇଛି । ବିଜୟନଗରମରୁ କୋରାପୁଟ ରାସ୍ତାର ସୁଙ୍କି ଘାଟିରେ ଭୂÕଳନ ହୋଇଛି । ଫଳରେ ରାସ୍ତା ବନ୍ଦ ହୋଇଯାଇଛି । ସେଠାରେ ଏବେ ବର୍ଷା ହେଉଛି । ବର୍ଷା ଛାଡ଼ିବା ପରେ ରାସ୍ତା ସଫା ହୋଇଯିବ । ବାତ୍ୟା ପ୍ରଭାବରେ କିଛି ଅଘଟଣ ଘଟିନାହିଁ କି, ବଡ଼ ସମସ୍ୟା ହୋଇଥିବା ଖବର ଆମ ପାଖକୁ ଆସିନାହିଁ । ବାତ୍ୟା ପୂର୍ବରୁ ୪୬ ହଜାର ୭୫ ଜଣ ଲୋକଙ୍କୁ ୧୧୮୯ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ୫୩୩ ଜଣ ଗର୍ଭବତୀଙ୍କୁ ଆଶ୍ରୟସ୍ଥଳ, ପିଏଚସି ଓ ସିଏଚସି ନିଆଯାଇଥିଲା । ବାତ୍ୟା ‘ଗୁଲାବ’ ପ୍ରଭାବରେ କ’ଣ କ୍ଷୟକ୍ଷତି ହୋଇଛି, ତାର ରିପୋର୍ଟ ୫ ଦିନ ମଧ୍ୟରେ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ଏସ୍ଆରସି ଶ୍ରୀ ଜେନା କହିଛନ୍ତି ।
Comments are closed.