ବନ ମହୋତ୍ସବ ସପ୍ତାହ

ବେଦରେ ବର୍ଣ୍ଣିତ ଅଛି ଶ୍ରେଷ୍ଠତମ କର୍ମଃ ଯଜ୍ଞ । ଏହି ସଂସାରର ସବୁଠାରୁ ଶ୍ରେଷ୍ଠତମ କର୍ମ ହେଉଛି ଯଜ୍ଞ । କାରଣ ଯଜ୍ଞ ବିନା ପୃଥିବୀରେ ମେଘ ସୃଷ୍ଟି ହୋଇ ପାରିବନାହିଁ । ମେଘ ନ ହେଲେ ଶସ୍ୟ ଅମଳ ହେବ ନାହିଁ । ବର୍ତ୍ତମାନ ପୃଥିବୀରେ ଅନେକ ସମସ୍ୟା ମୁଣ୍ଡ ଟେକି ଉଠିଛି । ଠିକ୍‌ ସମୟରେ ବର୍ଷା ନ ହେବା, ସମୁଦ୍ର ପତନ ବୃଦ୍ଧି ପାଇବା, ବାତ୍ୟା ବନ୍ୟା ଅତ୍ୟଧିକ ମାତ୍ରାରେ ହେବା ଇତ୍ୟାଦି । ଏ ସମସ୍ତ ସମସ୍ୟାର ଏକମାତ୍ର ସରଳ ସମାଧାନ ହେଉଛି ବୃକ୍ଷରୋପଣ । ପର୍ଯ୍ୟାପ୍ତ ବୃକ୍ଷର ଅଭାବରେ ତାପମାତ୍ରାର ଲଗାତାର ବୃଦ୍ଧି ଯୋଗୁଁ ଦେଶରେ ନାନା ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି ।

ବେଦରେ ବୃକ୍ଷକୁ ଦେବତା ବୋଲି କୁହାଯାଇଛି । ବୃକ୍ଷ ହିଁ ଜୀବନ । ବିନା ବୃକ୍ଷର ସହାୟତାରେ ଜୀବଜଗତ ତିଷ୍ଠି ପାରିବ ନାହିଁ । ତେଣୁ ଜୀବଜଗତର ମିତ୍ର ଭାବେ ବୃକ୍ଷକୁ ଗ୍ରହଣ କରାଯାଇଛି । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଚାର କଲେ ମଧ୍ୟ ଭାରତୀୟ ପରମ୍ପରାରେ ଅନେକ ବୃକ୍ଷକୁ ପୂଜା କରିବାର ବିଧି ରହିଛି । ବର, ଅଶ୍ୱ‹, ତୁଳସୀ, ନିମ୍ବ ଆଦି ବୃକ୍ଷ ଆମ ସଂସ୍କୃତିରେ ପବିତ୍ର । ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବର ଅଶ୍ୱ‹ ଭଳି ପ୍ରକାଣ୍ଡକାୟ ବୃକ୍ଷମାନେ ଶୀତଳ ଛାୟା ପ୍ରଦାନ କରିବା ସହ ଅନବରତ ଜୀବ ଜଗତକୁ ଅମ୍ଳଜାନ ଯୋଗାଇ ଥାଆନ୍ତିା ଏହିପରି ଅନେକ ବୃକ୍ଷ ଆମର ଉପକାର କରିଥାନ୍ତି । ତେଣୁ ଆମେ ଅଧିକ ଗଛ ଲଗାଇବା ଉଚିତ ।

ଚାଣକ୍ୟ ନୀତି ଶାସ୍ତ୍ରରେ କହିଛନ୍ତି- ‘ଦଶ ପୁତ୍ରୋ ସମ ଦ୍ରୁମ’ । ଅର୍ଥାତ୍‌ ଦଶଟି ପୁତ୍ର ଜନ୍ମ ଦେବା ଅପେକ୍ଷା ଗୋଟିଏ ବୃକ୍ଷରୋପଣ କରି ତାକୁ ବଞ୍ଚାଇବା ଶ୍ରେୟସ୍କର । ଗୋଟିଏ ବୃକ୍ଷ ତାର ଜୀବନକାଳ ଭିତରେ ବିଶେଷ କରି ମନୁଷ୍ୟକୁ ଅନେକ ସାହାଯ୍ୟ କରେ । ବର୍ଷକୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ଅମ୍ଳଜାନ, ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବର୍ଷା ଦିଏ । ମୃତ୍ତିକା ସଂରକ୍ଷଣ କରେ । ଚରକ ଓ ଶୁଶ୍ରୁତଙ୍କ ମତରେ ପୃଥିବୀରେ ଏପରି ଏକ ବୃକ୍ଷ ନାହିଁ ଯାହାର କି ଔଷଧୀୟ ଗୁଣ ନାହିଁ । ପୂର୍ବ କାଳରେ ପ୍ରତ୍ୟେକ ଗାଁ ଗଣ୍ଡାରେ ତୋଟା ମାନ ଦେଖିବାକୁ ମିଳୁଥିଲା । ଏହି ତୋଟା ଦ୍ୱାରା ଅନେକ ଉପକାର ସାଧିତ ହେଉଥିଲା । ବାତ୍ୟା ପବନରୁ ଏହି ଗଛ ହିଁ ସୁରକ୍ଷା ଦେଉଥିଲା । ବର୍ତ୍ତର୍ମାନ ଗାଁ ଗହଳିରେ ତୋଟା ଏକ ପ୍ରକାର ସ୍ୱପ୍ନ ପାଲଟି ଯାଇଛି । ବୃକ୍ଷହୀନତା କାରଣରୁ ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି ।

‘ପତ୍ର କୁସୁମ ଫଳ ଛାଇ, ମୂଳ ବକଳ ଦାରୁ ଦେଇ । କ୍ଷାର ଅଙ୍ଗାର ଭସ୍ମ ଅଠା, ଗୃହକୁ ସାଜି ବାଡ କଣ୍ଟା । ଏତେ ପ୍ରକାରେ ସେବା କରି, ନିତ୍ୟେ ଏ ପର ଉପକାରୀ ।’
ଆହୁରି ମଧ୍ୟ କୁହାଯାଇଛି ‘ପରୋପକାରାୟ ଫଳନ୍ତି ବୃକ୍ଷା’ । ସୁମିଷ୍ଟ ଫଳ, ସୁଶିତଳ ଛାୟା, କାଠ, ଅମ୍ଳଜାନ, ଜଳ ଆଦିକୁ ବୃକ୍ଷ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯୋଗାଇଥାଏ । ତେବେ ବର୍ତ୍ତମାନ ପୃଥିବୀରେ ଜନସଂଖ୍ୟାର ଯେପରି ଦ୍ରୁତ ବୃଦ୍ଧି ଚାଲିଛି । ତାର ଅନୁପାତରେ ବୃକ୍ଷର ଅଭାବ ପରିଲକ୍ଷିତ ହେଉଛି । ତେଣୁ ଆମକୁ ସଚେତନ ହେବାକୁ ପଡ଼ିବ । ଚାରଣ ଭୂମିରେ, ଅନାବାଦୀ ଜମିରେ ଗଛ ଲଗାଇବାକୁ ପଡ଼ିବ । ଉଜୁଡା ଜଙ୍ଗଲକୁ ସଜାଡିବାକୁ ପଡ଼ିବ । ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କରିବାକୁ ହେବ ଯଦ୍ୱାରା ପଥିକଟିଏ ଅନ୍ତତଃପକ୍ଷେ ଶୀତଳ ଛାୟା ଟିକେ ପାଇ ପାରିବେ ।
ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ ମାସର ଆରମ୍ଭ ସମୟ ହିଁ ବୃକ୍ଷରୋପଣର ପ୍ରକୃଷ୍ଟ ସମୟ । ମୌସୁମୀର ଆଗମନ ହେତୁ ଏହି ସମୟରେ ବର୍ଷା ଠିକ୍‌ ଭାବେ ହୁଏ, ଗଛଗୁଡ଼ିକ ଠିକ୍‌ ଭାବେ ପାଣି, ପବନ ପାଇଥାନ୍ତି । ତେଣୁ ଏହାକୁ ଲକ୍ଷ୍ୟକରି ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଏ । ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ସଂଗଠନ ଆଦି ପକ୍ଷରୁ ବୃକ୍ଷରୋପଣ କରାଯାଏ । ଅନେକ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । କିନ୍ତୁ ବାସ୍ତବରେ ତାହା ଫଳପ୍ରଦ ହୋଇପାରେ ନାହିଁ । ତେଣୁ ଆମକୁ ସଚେତନ ହେବାକୁ ପଡ଼ିବ । କେବଳ ଗଛଟିଏ ଲଗାଇ ଦେଲେ ହେବ ନାହିଁ, ତାର ଉପଯୁକ୍ତ ଯନି ନେଇପାରିଲେ ଯାଇ ଏ ମହାଯଜ୍ଞ ସଫଳ ହେବ । ଗୋଟିଏ ଗଛ ଲଗାଇବା ପାଇଁ ଦେଢ଼ ଫୁଟ ବ୍ୟାସ ଏବଂ ଦୁଇଫୁଟ ଗଭୀରର ଗାତ ଦରକାର । ସେଥିରେ କିଛି ଖତ ସାର ଦେଇ ଗଛଟିକୁ ପୋତିଲେ ତାହା ଉତ୍ତମ ଭାବରେ ବଢେ । ନିୟମିତ ଭାବେ ପାଣି ଦେବାକୁ ପଡେ ।
ସର୍ବାନ୍ତ କରଣରେ ଏତିକି କୁହାଯାଇପାରେ ପୃଥବୀରେ ଦୃଶ୍ୟମାନ ସମସ୍ୟାର ଏକମାତ୍ର ସମାଧାନ ହେଉଛି ବୃକ୍ଷରୋପଣ । ତେଣୁ ଆସନ୍ତୁ ଶପଥ ନେବା । ପୃଥିବୀକୁ ଏକ ସବୁଜ ବଳୟରେ ବେଢ଼ାଇବା । ଏଥିପାଇଁ ସରକାରଙ୍କ ତରଫରୁ ଆୟୋଜିତ ସାମାଜିକ ବନୀକରଣ, ପଥପ୍ରାନ୍ତ ବୃକ୍ଷରୋପଣ, ଉଜୁଡା ଜଙ୍ଗଲର ଉଦ୍ଧାର ଆଦି କାର୍ଯ୍ୟରେ ସହଯୋଗ କରିବା ।

Comments are closed.