ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଖୁବଶୀଘ୍ର ଆନନ୍ଦ ଏଲ ରାୟଙ୍କ ଫିଲ୍ମ ‘ଗୋରଖା’ରେ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟ ଗୋରଖା ଅଫିସର ମେଜର ଜେନେରାଲ ଇୟାନ କାର୍ଡୋଜୋଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ଘୋଷଣା କରିବା ସହ ନିର୍ମାତା ଏକ ପୋଷ୍ଟର ରିଲିଜ୍ କରିଛନ୍ତି । ତେବେ ପୋଷ୍ଟର ସାମ୍ନାକୁ ଆସିବା ମାତ୍ରେ ହିଁ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଏଥିରେ ନଜର ଆସୁଥିବା ତ୍ରୁଟି ସମ୍ବନ୍ଧରେ ଖୁଲାସା କରିଛନ୍ତି । ସେନା ଅଧିକାରୀ ମାନିକ ଏମ୍ ଜୋଲି ଟ୍ୱିଟର ଜରିଆରେ କହିଛନ୍ତି ଯେ, ପୋଷ୍ଟରରେ ଭୁଲ୍ ଧାରୁଆ ଛୁରୀର ବ୍ୟବହାର କରାଯାଇଛି । ମାନିକଙ୍କ କହିବା ଅନୁଯାୟୀ ଗୋରଖା ଅଫିସରମାନେ ବ୍ୟବହାର କରୁଥିବା ଛୁରୀର ଆଗ ଧାରୁଆ ଅଂଶ ମୋଡ଼ି ହୋଇରହିଥାଏ । କେବଳ ସେତିକି ନୁହେଁ ଉଦାହରଣ ପାଇଁ ସେ ଏକ ଫଟୋ ମଧ୍ୟ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।
ଏହାର ଜବାବରେ ଅକ୍ଷୟ କୁମାର ସେନା ଅଧିକାରୀ ମାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାର ମହାନ ଯୁଦ୍ଧ ନାୟକ ମେଜର ଜେନେରାଲ ଇୟାନ କାର୍ଡୋଜୋଙ୍କ ରୋଲ୍ରେ ନଜର ଆସିବେ । ଜେନେରାଲ ଇୟାନ ୧୯୬୨, ୧୯୬୫ର ଯୁଦ୍ଧ ଏବଂ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧରେ ବିଶେଷ ଭୂମିକା ନିର୍ବାହ କରିଥିଲେ । ଗୋରଖା ଫିଲ୍ମର ନିର୍ଦ୍ଦେଶନା ରାଷ୍ଟ୍ରୀୟ ପୁରସ୍କାର ବିଜେତା ସଞ୍ଜୟ ପୁରନ ସିଂହ ଚୌହାନ ଦେବେ ।
Comments are closed.