କୋରାପୁଟ/ନବରଙ୍ଗପୁର : କେନ୍ଦ୍ର ସରକାରଙ୍କ ‘ଭାରତମାଳା’ ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଓ ନବରଙ୍ଗପୁର ମଧ୍ୟରେ ୨୪୫କିମି ରାସ୍ତାକୁ ୪ଲେନ୍ ବିଶିଷ୍ଟ କରାଯିବ । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଜୟପୁର ସହରରୁ ଆସନ୍ତା ୩ମାସ ମଧ୍ୟରେ ବ୍ୟବସାୟିକ ବିମାନ ଚଳାଚଳ ସେବା ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି ।
ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟ ସଚିବ କୋରାପୁଟ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟ ରାସ୍ତା ନିର୍ମାଣ କାର୍ଯ୍ୟ ଚଳିତ ମୌସୁମୀ ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରି ଯେତେ ଶୀଘ୍ର ସମ୍ଭବ ଜାତୀୟ ରାଜପଥକୁ ଜମି ହସ୍ତାନ୍ତର କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୨୪୫କିମି ରାସ୍ତା ଛତିଶଗଡ଼ର ରାୟପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସଂଯୋଗ କରୁଛି । ଏହି ରାସ୍ତା ମଧ୍ୟରେ ହାଲ୍ ଓ ନାଲକୋ ଭଳି ବିଭିନ୍ନ ଅର୍ଥନୀତିକ ହବ୍ ଓ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ରହିଛି ।
ସେ ଆହୁରୀ ମଧ୍ୟ ଦେଓମାଳି ଗସ୍ତ କରି ସେଠାରେ ରହୁଥିବା ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପ୍ରାକୃତିକ ପରିବେଶକୁ ସୁରକ୍ଷିତ ଓ ସ୍ୱଚ୍ଛ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଇକୋ-ରିଜର୍ଭ ପାଇଁ ସ୍ଥାନ ଚିହ୍ନଟ କରିବାକୁ ସେ କୋରାପୁଟ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜୟପୁର ସହରରୁ ବାଣିଜି୍ୟକ ବିମାନ ଚଳାଚଳ ସେବା ଖୁବଶୀଘ୍ର ଆରମ୍ଭ ହେବ । ବାଣିଜି୍ୟକ ବିମାନ ଚଳାଚଳ ପାଇଁ ଭିତ୍ତିଭୂମି ବିକାଶ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିିଛି । ବିମାନ ଚଳାଚଳ ଆସନ୍ତା ୩ମାସ ମଧ୍ୟରେ ହେବାର ଆଶା କରାଯାଉଛି ।
ସେହିପରି ଜିଲ୍ଲା ମୁଖ୍ୟାଳୟରେ ୩୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆସନ୍ତା ୧୮ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେବା ସହ ୨୦୦ବର୍ଷ ପୁରୁଣା ଜଗନ୍ନାଥ ସାଗରକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ଓ ପୁନରୁଦ୍ଧାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ବ୍ୟତୀତ କୋଟିଆ ଗ୍ରାମପୁଞ୍ଜ ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ କାର୍ଯ୍ୟକାରୀ କରିବା ଜୀବିକା ସୁଯୋଗ ସୃଷ୍ଟି, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ସଡ଼କ ଓ ପୋଲ ନିର୍ମାଣ କାର୍ଯ୍ୟ ଆଦିକୁ ତ୍ୱରାନ୍୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତବେଳେ ଶ୍ରୀ ମହାପାତ୍ର ଜୟପୁର, କୋରାପୁଟ, କୋଟିଆ, ନାରାୟଣପାଟଣା ଓ ବନ୍ଧୁଗାଁ ଗସ୍ତ କରିବା ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସଙ୍ଗେ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ।
Comments are closed.