ଖୋର୍ଦ୍ଧା : ୪ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ । ୧୦ବର୍ଷ ପରେ ଏହି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍ ୪ଜଣ ଅଭିଯୁକ୍ତଙ୍କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ବାଣପୁର ଅଞ୍ଚଳର ଆଶିଷ ବିଶ୍ବାଳ, ମାନସ ପାତ୍ର, ସନାତନ ବିଶ୍ୱାଳ ଓ ଆଲୋକ ବିଶ୍ୱାଳ। ଏଥିରେ ପୂର୍ବରୁ ଦୁଇ ଜଣ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ଶ୍ରୀନିବାସ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି।
ସୂଚନାନୁସାରେ,ଗାଁ ରାସ୍ତା ନିର୍ମାଣକୁ ନେଇ ୨୦୧୪ ଅକ୍ଟୋବର ୨୨ରେ ବାଣପୁର ଥାନା ହଳନ୍ତରା ଗ୍ରାମର ପ୍ରଶାନ୍ତ ବିଶୋଇଙ୍କୁ ଅଭିଯୁକ୍ତମାନେ ତାଙ୍କ ଘରେ ପଶି ବୋମାମାଡ କରି ହତ୍ୟା କରିଥିଲେ । ଏନେଇ ମୃତକଙ୍କ ମା’କନ୍ଧୁଣୀ ବିଶୋଇ ଥାନାରେ ଏତଲା ଦେଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ୩୦୨ ଦଫାରେ ଏକ ହତ୍ୟା ମାମଲା(ନଂ ୩୧୧/୧୪) ରୁଜୁ କରି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ତେବେ ମାମଲା ବିଚାରାଧୀନ ଥିବାବେଳେ ୨ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା । ଶୁକ୍ରବାର ଏହି ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍ ପ୍ରଥମ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଛନ୍ତି।