ଗୁଜରାଟ-ରାଜସ୍ଥାନ ଫାଇନାଲ, ଜାଣନ୍ତୁ କେତେ ସ୍କୋର କିଏ କଲା?

ଆଇପିଏଲ୍‌ କ୍ୱାଲିଫାୟର-୨

ଅହମ୍ମଦାବାଦ: ଆଇପିଏଲ୍‌-୧୫ତମ ସଂସ୍କରଣର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି । ରବିବାର ଖେଳାଯିବାକୁଥିବା ମହାମୁକାବିଲାରେ ନୂଆ କରି ସାମିଲ ହୋଇଥିବା ଗୁଜରାଟ ଟାଇଟନ୍ସ ଦଳ ଓ ଆଇପିଏଲ୍‌ ପ୍ରଥମ ସଂସ୍କରଣର ବିଜେତା ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । କ୍ୱାଲିଫାୟାର-୧ରେ ଗୁଜରାଟ ଜମାଣିଆ ବିଜୟ ସହ ଫାଇନାଲରେ ପ୍ରବେଶ କରିଥିଲା । କ୍ୱାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସ ୭ ୱିକେଟ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ଫାଇନାଲ ଟିକେଟ୍‌ ପାଇଛି । ଏହି ମ୍ୟାଚ୍‌ରେ ବାଙ୍ଗାଲୋର ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୫୭ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ୧୮.୧ ଓଭରରେ ୧୬୧/୩ ରନ୍‌ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା ।

ଗୁଜରାଟ-ରାଜସ୍ଥାନ ଫାଇନାଲ, ଜାଣନ୍ତୁ କେତେ ସ୍କୋର କିଏ କଲା?

ଫାଇନାଲରେ ସ୍ଥାନ ପMା କରିବା ନିମନ୍ତେ କ୍ୱାଲିଫାୟର-୨ ମୁକାବିଲାରେ ବାଙ୍ଗାଲୋର ଓ ରାଜସ୍ଥାନ ଅବତୀର୍ଣ୍ଣ ହୋଇଥିଲେ । ଟସ୍‌ ହାରିବା ପରେ ବାଙ୍ଗାଲୋର ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା । ବିରାଟ କୋହଲିଙ୍କ ସହ ଫାଫ ଡୁପ୍ଲେସିସ୍‌ ପାଳି ଆରମ୍ଭ କରିଥିଲେ । ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ ପୁଣି ନିରାଶ କରିଛନ୍ତି । ବିରାଟ ୮ ବଲ୍‌ରୁ ୭ ରନ୍‌ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲ୍‌ରେ ସାମସନଙ୍କ ହାତରେ ଧରାପଡିଥିଲା । ଏହାପରେ ଅଧିନାୟକ ଡୁପ୍ଲେସିସ୍‌ ୨୭ ବଲ୍‌ରୁ ୨୫ ରନ୍‌ କରି ଆଉଟ୍‌ ହୋଇଥିଲେ । ଭଲ ଫର୍ମରେ ଥିବା ରଜତ ପଟିଦାର ଜମାଣିଆ ଇନିଂସ ଖେଳିଥିଲେ । ସେ ୪୨ ବଲ୍‌ରୁ ୫୮ ରନ୍‌ କରିଥିଲେ । ଗ୍ଲେନ୍‌ ମ୍ୟାକ୍ସେୱଲ ୧୩ ବଲ୍‌ରୁ ୨୪ ରନ୍‌, ମହିପାଲ ଲୋମରର ୮, ଦିନେଶ କାର୍ତ୍ତିକ ୬, ଶାହାବାଜ ଅହମ୍ମଦ ଅପରାଜିତ ୧୨ ରନ୍‌ କରିଥିଲେ । ମଧ୍ୟମ ଓ ଶେଷ ଭାଗ ଖେଳାଳିଙ୍କ ପ୍ରଦର୍ଶନରେ ସ୍ଥିରତା ନଥିବା କାରଣରୁ ବାଙ୍ଗାଲୋର ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲା । ତେଣୁ ଦଳ ୨୦ ଓଭରରେ ୧୫୭/୮ ରନ୍‌ରେ ସୀମିତ ରହିଥିଲା । ବୋଲିଂରେ ରାଜସ୍ଥାନର ପ୍ରସିଦ୍ଧ କ୍ରିଷ୍ଣା ଓ ଓବେଡ ମ୍ୟାକୟ ୩ଟି ଲେଖାଏଁ, ଟ୍ରେଣ୍ଟ ବୋଲଫ ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ କରି ୱିକେଟ୍‌ ସଫଳତା ହାସଲ କରିଥିଲେ ।

ଗୁଜରାଟ-ରାଜସ୍ଥାନ ଫାଇନାଲ, ଜାଣନ୍ତୁ କେତେ ସ୍କୋର କିଏ କଲା?

୧୫୮ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରିଥିବା ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜଶଶଭି ଜୟଶ୍ୱାଲ ଓ ଜୋଶ ବଟ୍ଟଲାର ଧମାକାଦାର ଆରମ୍ଭ କରିଥିଲେ । ୫.୧ ଓଭରରେ ୬୧ ରନ୍‌ ଆଦାୟ କରି ସ୍ଥିତି ମଜଭୁତ କରିଥିଲେ ବଟ୍ଟଲର ଓ ଜୟଶ୍ୱାଲ । ଜୟଶ୍ୱାଲ ୧୩ ବଲ୍‌ରୁ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ୨୧ ରନ୍‌ କରି ହାଜଲେଉଡଙ୍କ ଶିକାର ହୋଇଥିଲେ । ବଟ୍ଟଲର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ବିଜୟ ମୁଣ୍ଡି ମାରିଥିଲେ । ସେ ୬୦ ବଲ୍‌ର ସମ୍ମୁଖୀନ ହୋଇ ୧୦ଟି ଚୌକା ଓ ୬ଟି ଛକା ସହାୟତାରେ ୧୦୬ ରନ୍‌ କରିଥିଲେ । ଦେବଦୂତ ପଡିକାଲ ୯ ରନ ଓ ସିମରନ୍‌ ହେଟମେୟାର ଅପରାଜିତ ୨ ରନ୍‌ କରିଥିଲେ । ତେଣୁ ରାଜସ୍ଥାନ ୧୮.୧ ଓଭରରେ ୧୬୧/୩ ରନ୍‌ କରି ଫାଇନାଲରେ ପ୍ରବେଶ କରିଛି ।

Comments are closed.