ଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା

ପୂରା ଭାରତରେ ଗଣେଶ ପୂଜା ସବୁ ସ୍ଥାନରେ ପାଳନ ହୋଇଥାଏ । ବିଭିନ୍ନ ରାଜ୍ୟରେ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରନ୍ତି । ଗଣେଶ ଚତୁର୍ଥୀର ଅନେକ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ମହାରାଷ୍ଟ୍ର, ଦିଲ୍ଲୀ, ଗୋଆ, କର୍ଣ୍ଣାଟକ ଭଳି ଅନେକ ସ୍ଥାନରେ ଶ୍ରଦ୍ଧାଳୁମାନେ ଏହାକୁ ଖୁବ୍‌ ଧୁମଧାମ୍‌ରେ ପାଳନ କରନ୍ତି । ତେବେ ଆସନ୍ତୁ ଜାଣିବା କେଉଁଠି କିଭଳି ପାଳନ ହୁଏ ଗଜାନନଙ୍କ ପୂଜା ।
ମହାରାଷ୍ଟ୍ର
ମହାରାଷ୍ଟ୍ରରେ ସବୁଠାରୁ ବେଶି ଧୁମ୍‌ଧାମରେ ଗଣେଶ ପୂଜା ପାଳନ ହୋଇଥାଏ । ଗଣେଶ ପୂଜାର ପ୍ରାୟ ୧୦ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଥାଏ । ମହାରାଷ୍ଟ୍ର ଅନେକ ସ୍ଥାନରେ ଗଣେଶଙ୍କର ବଡ ମୂର୍ତ୍ତି ସହ ବଡବଡ ମେଢ ବସିଥାଏ । ଏହି ସ୍ଥାନରେ ଖୁବ୍‌ ବଡବଡ ମୂର୍ତ୍ତି ପୂଜା ହୋଇଥାଏ । ସମସ୍ତେ ଶ୍ରଦ୍ଧା ଓ ଉତ୍ସାହର ସହ ପୂଜାର ମଜାନେଇଥାଆନ୍ତି । ଏହି ଦିନ ସିଦ୍ଧିବିନାୟକ ମନ୍ଦିରରେ ଭିଡ ପରିଲକ୍ଷିତ ହୋଇଥାଏ । ଶ୍ରଦ୍ଧାଳୁମାନେ ଗଣେଶଙ୍କୁ ପୂଜା କରିବା ସହିତ ନୃତ୍ୟରେ ନିଜର ଭକ୍ତି ପ୍ରଦର୍ଶନ କରନ୍ତି । ଏଠି ଗଣେଶଙ୍କର ପ୍ରିୟ ମୋଦକକୁ ପ୍ରସାଦ ଭାବେ ଦିଆଯାଇଥାଏ । ଏହାସହିତ ମହାରାଷ୍ଟ୍ରରେ ତିଆରି ହୋଇଥିବା ମେଢକୁ ପଟୁଆରରେ ନିଆଯାଇ ଭସାଣି ଦିନ ଭସାଣି କରାଯାଇଥାଏ । ଯାହାକୁ ଦେଖିବାକୁ ଅନେକ ଲୋକ ରାସ୍ତା କଡରେ ଭିଡ଼ କରିଥାନ୍ତି ।
ଦିଲ୍ଲୀ
ଦିଲ୍ଲୀର ଗଣେଶ ପୂଜା ନିଜର ବଡ଼ ଆକାରର ପାଳନ ପାଇଁ ପୂରା ଭାରତରେ ପରିଚିତ । ମହାରାଷ୍ଟ୍ର ପରେ ଦିଲ୍ଲୀରେ ହିଁ ଖୁବ୍‌ ଧୁମ୍‌ଧାମରେ ଗଣେଶ ପୂଜା ପାଳନ ହୋଇଥାଏ । ବଡବଡ ମୂର୍ତ୍ତି ପୂଜା ପାଇଁ ସ୍ଥାପନ କରାଯାଇଥାଏ । ଏହାସହ ସ୍ଥାନେସ୍ଥାନେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥାଏ । ବାହାରେ ମେଢ ସହିତ ସମସ୍ତ ମନ୍ଦିରରେ ମଧ୍ୟ ପୂଜା କରାଯାଇଥାଏ । ବିଭିନ୍ନ ସୁସ୍ୱାଦୁ ପ୍ରସାଦ ଭକ୍ତମାନଙ୍କୁ ବଣ୍ଟା ଯାଇଥାଏ ।
ଗୋଆ
ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି ଗୋଆରେ ମଧ୍ୟ ବେଶ୍‌ ଜାକଜମ୍‌ରେ ଗଣେଶ ପୂଜା ପାଳନ କରାଯାଇଥାଏ । ଗଣେଶ ପୂଜା ପୂର୍ବରୁ ଲୋକମାନେ ସେମାନଙ୍କ ଘର ସଫା କରିବା ଆରମ୍ଭ କରିଥାଆନ୍ତି । ପ୍ରତିଘରେ ଘରେ ଏହି ପୂଜାକୁ ପାଳନ କରାଯାଇଥାଏ । ଏହାସହ ସ୍ଥାନୀୟ କାରିଗରଙ୍କ ହାତରେ ପ୍ରସ୍ତୁତ ମୂର୍ତ୍ତିକୁ ପେଣ୍ଡାଲରେ ବସାଯାଇ ପୂଜା କରାଯାଇଥାଏ । ଗୋଆରେ ପ୍ରସ୍ତୁତ ପେଣ୍ଡାଲ ଗୁଡିକୁ ବିଭିନ୍ନ କଳାତ୍ମକ ସାମଗ୍ରୀ ଯେପରି ବାଉଁଶ, ନଡିଆ ଖୋଳ, ଆଖୁ ଆଦିରେ ସଜାଯାଇଥାଏ । ଏହାସହ ଏଠାରେ ଥିବା ମନ୍ଦିରରେ ମଧ୍ୟ ଗଣେଶଙ୍କୁ ପୂଜା କରାଯାଇଥାଏ ।
କର୍ଣ୍ଣାଟକ
କର୍ଣ୍ଣାଟକରେ ଗଣେଶ ପୂଜାକୁ ବିଭିନ୍ନ ପରମ୍ପରା ହିସାବରେ ପାଳନ କରାଯାଇଥାଏ । ଏଠାରେ ଗଣେଶ ପୂଜାକୁ ସ୍ଥାନୀୟ ଭାଷାରେ ଗଣେଶ ହ³ା ବୋଲି କୁହାଯାଇଥାଏ । ଏଠାରେ ଗଣେଶଙ୍କ ସହିତ ପାର୍ବତୀଙ୍କୁ ମଧ୍ୟ ପୂଜା କରାଯାଇଥାଏ ।
ତାମିଲନାଡୁ
ଗଣେଶପୂଜା ଦିନ ତାମୁଲନାଡୁରେ ଥିବା ସମସ୍ତ ମନ୍ଦିରରେ ପୂଜାର ଆୟୋଜନ କରାଯାଇଥାଏ । ଏଠାରେ ପୂଜା ଦିନ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମୋଦକର ବ୍ୟବସ୍ଥା କରାଯାଇଥାଏ । ସମସ୍ତଙ୍କୁ ପ୍ରସାଦ ବଣ୍ଟାଯାଇଥାଏ । ଅଲଗା ରାଜ୍ୟ ଭଳି ଏଠାରେ ମଧ୍ୟ ବଡବଡ ମୂର୍ତ୍ତିସହ ପେଣ୍ଡାଲ କରାଯାଇଥାଏ ।

Har Ghar Tiranga