ନୂଆଦିଲ୍ଲୀ : ସୁନା ବଜାରରେ ନିଆଁ । ଆହୁରି ମହଙ୍ଗା ହେଲା ସୁନା । ଏଣିକି କିଣିବା ତ ଦୂରର କଥା ସୁନା ଦର ଶୁଣିଲେ ଲାଗୁଛି ଛାନିଆଁ । ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଆଉ କେଇଦିନ ଭିତରେ ଲକ୍ଷେ ଟଙ୍କା ପହଞ୍ଚିବ ବୋଲି ଆକଳନ କରାଯାଉଛି । ଚଳିତବର୍ଷ ସୁନା ଦର ଯେଉଁ ଗତିରେ ବୃଦ୍ଧି ପାଉଛି ନିକଟ ଭବିଷ୍ୟତରେ ସେଥିରେ ବ୍ରେକ୍ ଲାଗିବାର ସମ୍ଭାବନା କମ୍। ନୂଆଦିଲ୍ଲୀର ସ୍ପଟ୍ ଏବଂ ଫ୍ୟୁଚର ବଜାରରେ ସୁନା ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ସୁନାଦର। ଆଜି ୨୪ କ୍ୟାରେଟ ସୁନାଦର ୮୭ ହଜାର ୯୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାଦର ୮୦ ହଜାର ୬୦୦ ଟଙ୍କା ରହିଛି। ଏଥିସହ ଆଜି ୨୪ କ୍ୟାରେଟ୍ ୮୭୦ ଓ ୨୨ କ୍ୟାରେଟ୍ ସୁନା ୮୦୦ ଟଙ୍କା ବୃଦ୍ଧି ପାଇଛି।
ବିଶେଷଜ୍ଞ ମାନଙ୍କ ଆକଳନ ଅନୁସାରେ ଦୀପାବଳି ସୁଦ୍ଧା ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ଛୁଇଁପାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ସମସ୍ତ ଇସ୍ପାତ ଏବଂ ଆଲୁମିନିୟମ ଆମଦାନୀ ଉପରେ ୨୫ ପ୍ରତିଶତ ନୂତନ ଶୁଳ୍କ ଘୋଷଣା କରିବା ପରେ ଏହି ଦର ବଢିଛି । ବିଶ୍ୱ ସ୍ତରରେ ସ୍ପଟ୍ ବଜାରରେ ମୂଲ୍ୟବାନ ଧାତୁ ଆଉନ୍ସ ପ୍ରତି ୨୯୦୦ଡଲାରର ରେକର୍ଡ ସ୍ତର ଅତିକ୍ରମ କରିଛି । ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଅଧିକ ଦୁର୍ବଳ ହେବା ଯୋଗୁ ଦେଶକୁ ଆମଦାନୀ ମହଙ୍ଗା ହୋଇଛି। ଫଳସ୍ବରୂପ ସୁନା ମହଙ୍ଗା ହୋଇଛି। ଆହୁରିମଧ୍ୟ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟୁଥିବାବେଳେ ସାରା ବିଶ୍ବର ସେୟାର ବଜାରରେ ଅନିଶ୍ଚିତତା ଦେଖିବାକୁ ମିଳିଛି। ଏହି କାରଣରୁ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍ୟମ ଭାବେ ବିବେଚନା କରୁଛନ୍ତି। ଯାହା ଫଳରେ ସୁନା ଚାହିଦା ବଢ଼ିବା ଯୋଗୁ ମୂଲ୍ୟ ବୃଦ୍ଧି ହେଉଛି। ଅନ୍ୟପକ୍ଷରେ, ଟଙ୍କା ତୁଳନାରେ ଡଲାରର ମୂଲ୍ୟ ବୃଦ୍ଧି ମଧ୍ୟ ସୁନା ମୂଲ୍ୟ ବୃଦ୍ଧିର ଏକ ପ୍ରମୁଖ କାରଣ। ଚଳିତ ବର୍ଷ, ସୁନା ମୂଲ୍ୟ ରକେଟ୍ ପରି ବୃଦ୍ଧି ପାଉଛି।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)