କଲମ୍ବୋ: ଦେଶ ଛାଡି ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଯିବା ପରେ ଶ୍ରୀଲଙ୍କାର ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି । ରାଜଧାନୀ କଲମ୍ବୋଠୁ ଆରମ୍ଭ କରି ବିଭିନ୍ନ ପ୍ରାନ୍ତରେ କେବଳ ଆଉ କେବଳ ହିଂସା, ପ୍ରତିବାଦ, ବିକ୍ଷୋଭ ଓ ପୋଡାଜଳା ଜାରି ରହିଛି । ସୁନାର ଲଙ୍କାରେ ଲାଗିଛି ସଙ୍କଟ ଓ ଆକ୍ରୋଶର ନିଆଁ । ଦେଶର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ପ୍ରଧାନମନ୍ତ୍ରୀ ଆବାସ, ରାଷ୍ଟ୍ରପତି ଭବନ, ସଂସଦ ଭବନକୁ କବଜା କରିଛନ୍ତି । ସ୍ଥିତି ଦିନକୁ ଦିନ ଆୟତ୍ତ ବାହାରକୁ ଚାଲିଯାଉଥିବା ଦେଖି କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ସେନା ହାତରେ ଶାସନ ଭାର ଦେଇଛନ୍ତି । ଆବଶ୍ୟକ ପଡିଲେ ପ୍ରଦର୍ଶନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦିଆଯାଇଛି ।

ବୁଧବାରଠୁ ଶ୍ରୀଲଙ୍କା ସେନା ଆକ୍ସନ ମୋଡକୁ ଆସିଛି । ଜଳ, ସ୍ଥଳ ଓ ଆକାଶପଥରେ ଘୁରିବୁଲୁଛି ସେନା । ସେପଟେ ରାସ୍ତାରେ ପଇଁତରା ମାରୁଛି ସେନା ଗାଡି । ନିଜ ପରିବାର ସହ ଦେଶ ଛାଡିଯିବା ପରେ ଗୋଟବାୟା ପ୍ରଥମେ ମାଲଦ୍ୱୀପ ଓ ଏବେ ସିଙ୍ଗାପୁରରେ ପହଁଞ୍ଚିଥିବା ଜଣାପଡିଛି । ସାଉଦିଆରବରୁ ସିଙ୍ଗାପୁରରେ ପହଞ୍ଚିିଥିବା ସୂଚନା ରହିଛି । ସବୁଠୁ ବଡ କଥା ହେଉଛି ମାଳଦ୍ୱୀପ ଓ ସିଙ୍ଗାପୁରରେ ଥିବା ଶ୍ରୀଲଙ୍କାବାସୀ ଗୋଟବାୟାଙ୍କୁ ବିରୋଧ କରୁଛନ୍ତି । ସେପଟେ ଭାଇ ବାସିଲ ରାଜପକ୍ଷେ ଆମେରିକା ଚାଲିଯାଇଥିବା କୁହାଯାଉଛି । ପୂର୍ବର ଭାଇ ମହିନ୍ଦ୍ରା ରାଜପକ୍ଷେ ଶ୍ରୀଲଙ୍କା ଛାଡି କେଉଁଠି ଆତ୍ମଗୋପନ କରିଛନ୍ତି ତାର କୌଣସି ସୁରାକ ଏଯାଏଁ ମିଳୁନି । ଦେଶ ଛାଡି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଯିବା ପରେ ଆଗକୁ କଣ ହେବ ଶ୍ରୀଲଙ୍କାର ଭବିଷ୍ୟତ ସେକଥା ହୁଏତ ଏବେ କହିବା ସମ୍ଭବ ନୁହେଁ । କାରଣ ପ୍ରତିମୁହୁର୍ତରେ ଏଠାରେ ସ୍ଥିତି ବଦଳୁଛି । ସେପଟେ ଦେଶର ଆଗାମୀ ରାଷ୍ଟ୍ରପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରେସରେ ସବୁଠୁ ଆଗରେ ରହିଛନ୍ତି ରାନିଲ ବିକ୍ରମସିଂଘେ,ଅନୁରା କୁମାରା ଦିଶାନାଏକ, ଦୁଲ୍ଲାସା ଓ ବିରୋଧୀ ନେତା ପ୍ରେମଦାସ ରହିଛନ୍ତି ।
Comments are closed.