ପାକ୍‌ ସାମ୍ବାଦିକଙ୍କୁ ଡାକିଥିବା ଆରୋପକୁ ହମିଦ ଅନ୍‌ସାରୀଙ୍କ ଅସ୍ୱୀକାର

ନୂଆଦିଲ୍ଲୀ: ପାକିସ୍ତାନର ସାମ୍ବାଦିକ ନୁସରତ ମିର୍ଜା ଭାରତ ଗସ୍ତରେ ଆସି ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରିଥିବା ସ୍ୱୀକାର କରିଛନ୍ତି । ମିର୍ଜା ୨୦୦୭ରୁ ୨୦୧୦ ମଧ୍ୟରେ ଉପା ସରକାର ସମୟରେ ଦିଲ୍ଲୀ ଏବଂ ଆଲିଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମହମ୍ମଦ ହମିଦ ଅନ୍‌ସାରୀ ଭାରତର ଉପରାଷ୍ଟ୍ରପତି ଥିବା ସମୟରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ସେ ଘୋଷଣା କରିବା ପରେ ଏବେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ଗତକାଲି ମିର୍ଜାଙ୍କ ଏଭଳି ଖୁଲାସା ପରେ କଂଗ୍ରେସକୁ ଜବାବ ମାଗିଥିଲା ବିଜେପି ।

ମିର୍ଜାଙ୍କ ଖୁଲାସା ପରେ ହମିଦ ଅନ୍‌ସାରୀ ବିବାଦରେ ଛନ୍ଦି ହେଉଥିବା ଦେଖି ଏବେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସେ କେବେ ନୁସରତ ର୍ମିଜାଙ୍କୁ ଭାରତକୁ ଡାକି ନାହାଁନ୍ତି କିମ୍ବା ତାଙ୍କୁ କେବେ ଭେଟି ନାହାଁନ୍ତି । ଅନ୍‌ସାରୀ କହିଛନ୍ତି ଯେ ଗଣମାଧ୍ୟମର ଏକ ବିଭାଗ ଏବଂ ଭାରତୀୟ ଜନତା ପାର୍ଟି ମୁଖପାତ୍ର ମୋ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି ।

ପାକ୍‌ ସାମ୍ବାଦିକଙ୍କୁ ଡାକିଥିବା ଆରୋପକୁ ହମିଦ ଅନ୍‌ସାରୀଙ୍କ ଅସ୍ୱୀକାର
ପାକିସ୍ତାନର ସାମ୍ବାଦିକ ନୁସରତ ମିର୍ଜା

କୁହାଯାଉଛି ଯେ, ମୁଁ ଉପରାଷ୍ଟ୍ରପତି ଥିବାବେଳେ ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜାଙ୍କୁ ଡାକିଥିଲି । ନୂଆଦିଲ୍ଲୀରେ ଆତଙ୍କବାଦ ଉପରେ ଆୟୋଜିତ ଏକ ସମ୍ମିଳନୀରେ ନୁସରତଙ୍କୁ ଭେଟିଥିଲି । ଏହା ମଧ୍ୟ କୁହାଯାଉଛି ଯେ ଇରାନରେ ରାଷ୍ଟ୍ରଦୂତ ଥିବାବେଳେ ମୁଁ ଦେଶ ପ୍ରତି ବିଶ୍ୱାସଘାତକତା କରିଛି । ସମସ୍ତେ ଜାଣନ୍ତି ଯେ କେବଳ ସରକାରଙ୍କ ପରାମର୍ଶରେ ବିଦେଶୀ ବିଶେଷଜ୍ଞମାନଙ୍କୁ ଡକାଯାଏ ।

ସେ ଆହୁରି କହିିଛନ୍ତି ଯେ, ଡିସେମ୍ବର, ୧୧, ୨୦୧୧ ରେ ମୁଁ ଆତଙ୍କବାଦ ଉପରେ ହୋଇଥିବା ଆଲୋଚନାଚକ୍ରର ଉଦଘାଟନ କରିଥିଲି । ଡକାଯାଇଥିବା ଲୋକଙ୍କ ତାଲିକା ଆୟୋଜକମାନେ ନିଜେ ପ୍ରସ୍ତୁତ କରିଥିଲେ । ମୁଁ ନୁସରତଙ୍କୁ କେବେ ଡାକି ନାହିଁ କି ସାକ୍ଷାତ କରି ନାହିଁ । ଇରାନରେ ରାଷ୍ଟ୍ରଦୂତ ଭାବରେ କାମ କରୁଥିବା ବେଳେ ମୋର ସମସ୍ତ କାର୍ଯ୍ୟର ସୂଚନା ସରକାରଙ୍କ ପାଖରେ ରହୁଥିଲା । ମୁଁ ଦେଶର ସୁରକ୍ଷା ପ୍ରତି ପ୍ରତିବଦ୍ଧ । ତେହେରାନରେ ରାଷ୍ଟ୍ରଦୂତ ହେବା ପରେ ମୁଁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ହୋଇଥିଲି ଏବଂ ମୋର କାମ ବିଷୟରେ ସମସ୍ତେ ଭଲ ଭାବରେ ଜାଣନ୍ତି ।

Comments are closed.