ଦୃଷ୍ଟି ଶକ୍ତି ନଥିବା ବ୍ୟକ୍ତି ଙ୍କୁ ମିଳି ପାରୁନାହିଁ ସରକାରୀ ସହାୟତା

ସମୟ ଲାଇଭ,୬/୩: ଈଶ୍ୱର ତାଙ୍କୁ ଦୃଷ୍ଟି ଶକ୍ତି ଦେଇନାହାନ୍ତି। ଜନ୍ମରୁ ସେ ଅନ୍ଧ, ହେଲେ ହାରି ଯାଇନାହାନ୍ତି ସେ। ଜୀବନ ଯୁଦ୍ଧରେ ଜଣେ ଯୋଦ୍ଧା ଭଳି ଲଢ଼ି ସେ ହୋଇପାରିଛନ୍ତି ସକ୍ଷମ। ଅନ୍ୟ ଦୃଷ୍ଟି ବାଧିତ ମାନଙ୍କ ଭଳି ଭିକ୍ଷା ବୃତ୍ତି ନକରି ସେ ପରିଶ୍ରମ କରି ରୋଜଗାର କରି ଚଳାଇଛନ୍ତି ପରିବାର ଯାହାକି ଅନ୍ୟ ଦିବ୍ୟାଙ୍ଗ ମାନଙ୍କ ପାଇଁ ସାଜିଛି ଉଦାହରଣ।
ସକାଳ ହେଲେ ଖବର କାଗଜ ବିକ୍ରି ପାଇଁ କାନ୍ଧରେ ବ୍ୟାଗ ଝୁଲାଇ, ହାତରେ ବାଡ଼ି ଖଣ୍ଡିଏ ଧରି ବାହାରି ପଡନ୍ତି କେନ୍ଦ୍ରାପଡ଼ା ପୌର ପରିଷଦ ଅଧିନ ୨୧ନଂ ୱାର୍ଡ ଭ୍ରମରଦିଆପାଟଣା ଗାଁର ଦୃଷ୍ଟିବାଧିତ(ଦିବ୍ୟାଙ୍ଗ) ଆଦିତ୍ୟ ପ୍ରସାଦ ମଲ୍ଲିକ। ତିନିମୁହାଣୀ ଛକରେ ଥିବା ଖବରକାଗଜ ବିକ୍ରୟ କେନ୍ଦ୍ରରୁ ପ୍ରାୟ ୨୦୦ଖଣ୍ଡ ବିଭିନ୍ନ ଓଡ଼ିଆ, ଇଂରାଜୀ ଖବରକାଗଜ ଧରି କାକଟ ମଙ୍ଗଳା ପର୍ଯ୍ୟନ୍ତ ବିକ୍ରି ପାଇଁ ଯାଇଥାନ୍ତି। ପୂର୍ବରୁ ଗୀତ ଗାଇ ଆର୍ଥିକ ସାହାଯ୍ୟ ମାଗୁଥିବା ଆଦିତ୍ୟଙ୍କୁ କର୍ମ କରି ଆର୍ଥିକ ସ୍ୱଚ୍ଛଳ ହେବାକୁ ତାଙ୍କ ବନ୍ଧୁ ଓ ଖବରକାଗଜ ବିକ୍ରେତା ଅଜୟ ଷଣ୍ଢ ପରାମର୍ଶ ଦେବାପରେ ଆଜକୁ ୧୭ବର୍ଷ ଲଗାତାର ଭାବରେ ଖବରକାଗଜ ବିକ୍ରି କରି ସେ ଜୀବନ ନିର୍ବାହ କରୁଛନ୍ତି।ପରିବାର କହିଲେ,ସ୍ତ୍ରୀ ଆଉ ଦେଢ଼ ବର୍ଷର ପୁଅ।ଅଭାବ ଥିବା ସତ୍ତ୍ୱେ କେବେ ସେ ସ୍ଵଭାଵ ନଷ୍ଟ କରି ନାହାନ୍ତି କି କାହା ପାଖରେ ହାତ ପତେଇ ଭିକ୍ଷା ମାଗି ନାହାନ୍ତି।ସେ ଭିନ୍ନକ୍ଷମ ହେଲେ ମଧ୍ୟ ଜଣେ ମିଷ୍ଟଭାଷୀ ଓ କର୍ମଠ ମଣିଷ ହୋଇଥିବାରୁ ସକାଳୁ ଯେତେ ଖବରକାଗଜ ପଢିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଆଦିତ୍ୟର ଅପେକ୍ଷାରେ ଥାଆନ୍ତି ଆଦିତ୍ୟଙ୍କ ଠାରୁ ଖବରକାଗଜ କିଣୁଥିବା ବ୍ୟବସାୟୀ।ତେବେ ଦୈନିକ ମାତ୍ର ୩୦-୧୦୦ ଟଙ୍କା ଉପାର୍ଜ୍ଜନ ହେଉଥିବାରୁ ଏହାକୁ ନେଇ ଚିନ୍ତାରେ ପରିବାର।

ସ୍ୱାଭିମାନି ହୋଇଥିଲେ ହେଁ ଦୈନିକ ଜୀବନରେ ଚଳିବା ପାଇଁ ଯେଉଁ ଆବଶ୍ୟକତା ରହିଛି ତାହା ପୂରଣ କରିବା ପାଇଁ ସେ ଅସମର୍ଥ।ଏମିତିକି ପୁଅ ପାଇଁ ବିସ୍କୁଟ କିମ୍ବା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଅସମର୍ଥ ଆଦିତ୍ୟ।ସେପଟେ ସେ ରହୁଥିବା ଘର ଚାଳଛପର ଘର ସରକାରୀ ଜାଗାରେ ରହିଛି ଆଉ ଦିନରେ ସୂର୍ଯ୍ୟ ରାତିରେ ଜହ୍ନ ଦେଖିବା ସାର ହେଉଛି।ଜାଗା ଓ ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ ଏହା ଫଳଶୂନ୍ୟ ହୋଇଡିଛି ଏହି ସ୍ୱାଭିମାନି ଯୁବକ ଓ ତାଙ୍କ ପରିବାର କ୍ଷେତ୍ରରେ।ସେପଟେ ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିତ୍ୟଙ୍କ ପରିବାରକୁ NFSA ରେ ୮କିଲୋ ଚାଉଳ ସାଙ୍ଗକୁ ୨ କିଲୋ ଗହମ ଯୋଗା ଯାଉଥିବା କହିଛନ୍ତି।ଆହୁରିମଧ୍ୟ ସେ ମୁଦ୍ରା ଋଣ ନେଇ ନିଜେ ବ୍ୟବସାୟ ଆରମ୍ଭ କରିପାରିବେ ବୋଲି କହିଛନ୍ତି।ସେ ଭିନ୍ନକ୍ଷମ ନୁହନ୍ତି ସେ ସକ୍ଷମ ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ।

Comments are closed.