ଭୁବନେଶ୍ୱର : ଆଜି ଘରେ ଘରେ ପାଳିତ ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହା ସହିତ ଆଜି ମଧ୍ୟ ହେଉଛି ପବିତ୍ର ହନୁମାନ ଜୟନ୍ତୀ। ସହର ଠାରୁ ପୁର ପଲ୍ଲୀ ସବୁଠାରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ । ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକତାର ସହିତ ଧୁମଧାମରେ ହନୁମାନ ଜୟନ୍ତୀ ପାଳନ କରାଯାଉଛି। ହନୁମାନ ମନ୍ଦିରଗୁଡ଼ିକରେ ସକାଳୁ ସକାଳୁ ଭିଡ଼ ଲାଗିଲାଣି। ଶ୍ରଦ୍ଧାଳୁମାନେ ପୂଜାପାଠ କରୁଛନ୍ତି। ମନ୍ଦିର ମାନଙ୍କରେ ୧୦୮ ହନୁମାନ ଚାଳିଶା ପାଠ ହେବ ସହ ସୁନ୍ଦରାକାଣ୍ଡ ପାଠ କରାଯିବ ।
କେତେକ ସ୍ଥାନରେ ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ବାହାରିବାର ପରମ୍ପରା ରହିଛି। ସମ୍ଵଲପୁରରେ ବିରାଟ ଶୋଭାଯାତ୍ରା ବାହାରେ। ଏଥିପାଇଁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଯେଉଁ ସ୍ଥାନ ଦେଇ ଶୋଭାଯାତ୍ରା ଯିବ, ସେହି ରାସ୍ତାରେ ପୋଲିସ ପକ୍ଷରୁ କଡ଼ା କଡ଼ି ଚେକିଂ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସହର ସାରା ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଏସପି, ମହାନଗର ନିଗମର କମିଶନର ବୁଲି ସ୍ଥିତି ଯାଞ୍ଚ କରୁଛନ୍ତି l ସହର ସାରା ୩୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲା ପୋଲିସ ସହିତ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ମୁତୟନ କରାଯାଇଛି । ସିସିଟିଭି ନଜରରେ ରହିଛି ପୁରା ସହର । ଶାନ୍ତି ଶୃଙ୍ଖଳାରେ ହନୁମାନ ଜୟନ୍ତୀ ପାଳନ ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।
ସେହିପରି ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନବବର୍ଷର ଆରମ୍ଭ । ସେଥିପାଇଁ ସୋମବାରଠାରୁ ଚାଲିବ ନୂଆ ପାଞ୍ଜି । ଏହି ସଂକ୍ରାନ୍ତି ପରଠୁ ସୂର୍ଯ୍ୟଙ୍କ ଉତ୍ତାପ ବଢୁଥିବାରୁ ଲୋକମାନେ ଚଉଁରାରେ ବାନ୍ଧିବେ ମାଟି ଠେକି । ଏହି ଦିନ ଏକ ଛୋଟ ମାଠିଆ ବା ଠେକିରେ କଣା କରି, ତା’ ଭିତରେ ପଣା ରଖି ତୁଳସୀ ଚଉରା ଉପରେ ବାନ୍ଧିଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ। ଏହି ଠେକିକୁ ବସୁନ୍ଧରା ଠେକି ବା ଘଡି ବୋଲି କୁହାଯାଏ।
ଏହି ଦିନ ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ।
Comments are closed.