ହକି ଇଣ୍ଡିଆ ସଭାପତି ପଦ ଲାଗି ତ୍ରିମୁଖୀ ଲଢ଼େଇ

ଭୁବନେଶ୍ୱର : ହକି ଇଣ୍ଡିଆ ସଭାପତି ଦୌଡ଼ରେ ଅଲିମ୍ପିଆନ୍‌ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀଙ୍କ ସହ ୩ ଜଣ ସାମିଲ ହୋଇଛନ୍ତି । ରବିବାର ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ସୁଦ୍ଧା ସଭାପତି ପଦ ଲାଗି ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାଓ) ପକ୍ଷରୁ ଦିଲୀପ ତିର୍କୀ, ହକି ଉତ୍ତର ପ୍ରଦେଶର ରାକେଶ କଟିୟାଲ ଏବଂ ହକି ଝାଡ଼ଖଣ୍ଡର ଭୋଳାନାଥ ସିଂହ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦିଲୀପ ଦୁଇ ସେଟ୍‌ ବିଶିଷ୍ଟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗୋଟିଏରେ କେରଳ ହକିର ଭି ସୁନିଲ କୁମାର ଏବଂ ହକି ରାଜସ୍ଥାନର ଅରୁଣ କୁମାର ସାରସ୍ୱତ ପ୍ରସ୍ତାବକ ରହିଛନ୍ତି । ଅନ୍ୟଟିରେ ହକି ବିହାରର ପ୍ରଜ୍ଞା ଶର୍ମା ଏବଂ ହକି ଝାଡ଼ଖଣ୍ଡର ଆଶ୍ରିତା ଲାକ୍ରା ପ୍ରସ୍ତାବକ ଅଛନ୍ତି । ଅଧିକ ସମର୍ଥନ ଥିବାରୁ ଦିଲୀପଙ୍କ ପଲା ଏବେ ଭାରି ରହିଛି । ଭୋଳାନାଥ ଓ ରାକେଶ ଗୋଟିଏ ଲେଖାଏଁ ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ତେବେ ଭୋଳାନାଥ ସଭାପତି ସହ ମହାସଚିବ ପଦ ପାଇଁ ମଧ୍ୟ ପ୍ରର୍ଥିପତ୍ର ଦାଖଲ କରିବା ପରେ ଅକେଫାବର ପହିଲାରେ ହେବାକୁ ଥିବା ନିର୍ବାଚନ ଅଧିକ ରୋଚକ ହେବାର ସମ୍ଭାବନା ବଢ଼ିଛି । ମହାସଚିବ ପଦ ଲାଗି ତାଙ୍କୁ ଦିଲ୍ଲୀ ହକିର ହିତେଶ ସିନ୍ଦୱାନୀ ଓ ହକି ମହାରାଷ୍ଟ୍ରର ମନୋଜ ଭି ଭୋରେଙ୍କ ସହ ମୁକାବିଲା କରିବାକୁ ହେବ । ଅନ୍ୟପକ୍ଷରେ ଉପସଭାପତି ପଦ ଲାଗି ଦୁଇ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନେ ହେଲେ ହକି କର୍ଣ୍ଣାଟକର ଭିଏସ୍‌ ସୁବ୍ରମଣ୍ୟ ଗୁପ୍ତା ଏବଂ ହକି ଜମ୍ମୁ କାଶ୍ମୀରର ଅସୀମା ଅଲ୍ଲୀ । କୋଷାଧ୍ୟକ୍ଷ ପାଇଁ ନିର୍ବାଚନ ମଇଦାନରେ ଏକମାତ୍ର ପ୍ରାର୍ଥୀ ଭାବେ ରହିଛନ୍ତି ହକି ତାମିଲନାଡୁର ଶେକର ଜେ ମନମୋହନ । ଏଣୁ ସେ ନିଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି ।

ଅନ୍ୟପକ୍ଷରେ ଯୁଗ୍ମ ସଂପାଦକ ପଦ ଲାଗି ହକି ହରିୟାଣାର ରେଣୁ, ସୁନିଲ ମଲ୍ଲିକ ଏବଂ କେରଳ ହକିର ଭି ସୁନିଲ କୁମାରଙ୍କ ରୂପରେ ୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କାର୍ଯ୍ୟକାରିଣୀ ବୋର୍ଡ ସଦସ୍ୟ ଦୌଡ଼ରେ କେରଳ ହକିର ଭି ସୁନିଲ କୁମାର, ଆସାମ ହକିର କଲ୍ୟାଣୀ ଡେକା, ହକି ଝାଡ଼ଖଣ୍ଡର ଆଶ୍ରିତା ଲାକ୍ରା, ହକି ଆସାମର ତପନ କୁମାର ଦାସ, ହକି ରାଜସ୍ଥାନର ଅରୁଣ କୁମାର ସାରସ୍ୱତ ଏବଂ ଦିଲ୍ଲୀ ହକିର ଗୁରପ୍ରୀତ କୌର ସାମିଲ ରହିଛନ୍ତି ।
ପ୍ରାର୍ଥୀ ତାଲିକା ସହ ରିଟର୍ଣ୍ଣିଂ ଅଧିକାରୀ ଅଜୟ ନାୟକ ମଧ୍ୟ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏଥିରେ ହାଓ’ରୁ ଦିଲୀପ ଓ ଲୁସେଲା ଏMାଙ୍କ ସମେତ ମୋଟ ୫୪ ଜଣ ଭୋଟର ରହିଛନ୍ତି । ସୂଚନାଯୋଗ୍ୟ ଯେ ମଙ୍ଗଳବାର ସମସ୍ତ ପ୍ରାର୍ଥିପତ୍ରର ଯାଞ୍ଚ ହେବ । ବୁଧ ଓ ଗୁରୁବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ମିଳିବ । ୨୩ ତାରିଖ ଅର୍ଥାତ ଶୁକ୍ରବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

Comments are closed.