ଗଜପତି: ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ପୁଣି ଘଟିଲା ଅଘଟଣ । ପରୀକ୍ଷା ସ୍ଥଳରେ ଜଣେ ଯୁବକ ଟଳି ପଡିବା ସହିତ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗାଁର ସୁଲନ୍ତ ମିଶାଲ।
ସୂଚନା ଅନୁସାରେ ଆଜି ସକାଳୁ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିଲୋମିଟର ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବା ବେଳେ ଦୈାଡରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ସୁଲନ୍ତ ମିଶାଲ । ମାତ୍ର କିଛି ସମୟ ପରେ ହଠାତ୍ ତଳେ ପଡିଯାଇ ଗୁରୁତର ହେବାରୁଆ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମାନ ପରିସ୍ଥିତିରେ ଅନ୍ୟ ୭ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।
ଏହି ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଏବଂ ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।