କେତେ ଫିଟ୍‌ ଅଛି ବାରବାଟୀ ? ପାଣିପାଗ ଠିକ୍‌ ରହିବ, ନା ଖରାପ କହି ହେବନି

କଟକ: ବାରବାଟୀ କେତେ ଫିଟ୍‌ ଅଛି, ସେ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ପ୍ରମାଣପତ୍ର ଦିଆଯାଇଛି । ପାଣିପାଗ ଠିକ୍‌ ରହିଲେ ଠିକ୍‌ ପାଗ ଖରାପ ହେଲେ କହି ହେବନି । ବିଭାଗ ପକ୍ଷରୁ ସାପ ମରିବନି କି ବାଡି ଭାଙ୍ଗିବନି ନ୍ୟାୟରେ ଏହିଭଳି ଏକ ବିଚିତ୍ର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବାରବାଟୀ ଷ୍ଟାଡିୟମ ସୁରକ୍ଷିତ କି ନୁହେଁ ଏହାର ପ୍ରମାଣପତ୍ର ପୂର୍ତ୍ତ ବିଭାଗ ଦେଇଥାଏ । ଏହି ପ୍ରମାଣପତ୍ର ମିଳିଲେ ଯାଇ ଦର୍ଶକ ଗ୍ୟାଲେରୀରେ ସୁରକ୍ଷିତ ଭାବେ ବସି ମ୍ୟାଚ ଦେଖିପାରିବେ । ଯଦି ପୂର୍ତ୍ତ ବିଭାଗ ନକରାତ୍ମକ ପ୍ରମାଣପତ୍ର ଦିଏ ତେବେ ଓଡ଼ିଶା କ୍ରିକେଟ ଆସୋସିଏନ ପାଇଁ ଅଡୁଆ ପରିସ୍ଥିତି ଉପୁଜି ଥାଏ । ତେଣୁ ମ୍ୟାଚ୍‌ ଆୟୋଜନ ପୂର୍ବରୁ ପୂର୍ତ୍ତ ବିଭାଗଠାରୁ ଏକ ପ୍ରମାଣପତ୍ର ନିହାତି ଜରୁରୀ ।

କେତେ ଫିଟ୍‌ ଅଛି ବାରବାଟୀ ? ପାଣିପାଗ ଠିକ୍‌ ରହିବ, ନା ଖରାପ କହି ହେବନି

ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦ.ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମର ଗ୍ୟାଲେରୀ ଗୁଡିକ ଦର୍ଶକଙ୍କ ପାଇଁ କେତେ ସୁରକ୍ଷିତ, ଏହାର ଯାଞ୍ଚ କରାଯାଇଥିଲା । ଗତ ୭ ତାରିଖ ଦିନ ଏ ନେଇ ପୂର୍ତ୍ତ ବିଭାଗ ବାରବାଟୀ ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ । ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ମାଝି ଓ ନିର୍ବାହୀ ଯନ୍ତ୍ରୀ ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ । ଷ୍ଟାଡିୟମର ସମସ୍ତ ଗ୍ୟାଲେରୀ, ବିଶେଷକରି ମରାମତି ହୋଇଥିବା ଗ୍ୟାଲେରୀ ଗୁଡିକର ସ୍ଥିତି ଯାଞ୍ଚ କରି ଗତକାଲି ସେମାନେ ଏକ ରିପୋର୍ଟ ଦେଇଛନ୍ତି । ରିପୋର୍ଟରେ ପୂର୍ତ୍ତ ବିଭାଗ ପାରମ୍ପରିକ ଭାବେ ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟରେ ଏକ ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟରେ ଷ୍ଟାଡିୟମ ଠିକ୍‌ ଅଛି ଅର୍ଥାତ୍‌ ପାଗ ସାଧାରଣ ରହିଲେ ଷ୍ଟାଡିୟମ ସୁରକ୍ଷିତ ।

କେତେ ଫିଟ୍‌ ଅଛି ବାରବାଟୀ ? ପାଣିପାଗ ଠିକ୍‌ ରହିବ, ନା ଖରାପ କହି ହେବନି

ମାତ୍ର ପାଗ ବିଗିଡିଲେ ବା ଖରାପ ପାଗ ହେଲେ କିଛି କହିହେବ ନାହିଁ ବୋଲି ପୂର୍ତ୍ତ ବିଭାଗ ପ୍ରମାଣପତ୍ର ଦେଇଛି । ଅର୍ଥାତ ଯଦି କେଣସି ପରିସ୍ଥିତିରେ ପାଗ ଖରାପ ହୁଏ ଆଉ ଅଘଟଣ ଘଟେ ତେବେ ଏଥିପାଇଁ ପୂର୍ତ୍ତ ବିଭାଗ ଦାୟୀ ରହିବ ନାହିଁ । ଏଭଳି ବିଚିତ୍ର ପ୍ରମାଣପତ୍ର ପ୍ରଦାନ କରିବା ଏକ ଔପଚାରିକତା ବୋଲି କୁହାଯାଉଛି । ପୂର୍ତ୍ତ ବିଭାଗ ଷ୍ଟାଡିୟମ ଯାଞ୍ଚ୍‌ କରିଛନ୍ତି, ମାତ୍ର ଷ୍ଟାଡିୟମର କଣ ଯାଞ୍ଚ କରାଗଲା, ଷ୍ଟାଡିୟମ କେଉଁଠି ଦୁର୍ବଳ ରହିଛି, କେଉଁ ଗ୍ୟାଲେରିରେ ସର୍ବାଧିକ କେତେ ଲୋକ ବସିବା କଥା ସେ ସଂପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉନାହିଁ । ଏ ନେଇ ଜଣେ ଯନ୍ତ୍ରୀଙ୍କ କହିବା କଥା ହେଉଛି ଯେ ଏଭଳି ଲେଖା ହେବା ଏକ ପରମ୍ପରା । ସିଧାସଳଖ ଷ୍ଟାଡିୟମ ପୂରା ଠିକ୍‌ କି ଅସୁରକ୍ଷିତ ଲେଖାଯାଇପାରିବ ନାହିଁ । ପାଗ, ବା ବର୍ଷା ପବନ ଓ ଅନ୍ୟ କୌଣସି ଦୁର୍ବିପାକକୁ ନେଇ ଆଗରୁ ପୂର୍ବାନୁମାନ କରିହେବ ନାହିଁ । ତେଣୁ ଏଭଳି ଲେଖାହେବା ଏକ ଔପଚାରିକତା ବୋଲି ସେ କହିଛନ୍ତି ।

Comments are closed.