ଗିରଫ ହେଲେ ଇଡ଼କୋ ଜୁନିଅର ମ୍ୟାନେଜର

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଗିରଫ ହେଲେ ଇଡ଼କୋ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟ ସିଂ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ପରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଉଦୟସିଂ ଙ୍କର ଏକକାଳୀନ ୬ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଉଦୟସିଂଙ୍କର ଆଖି ଖୋସି ହେବା ଭଳି ସମ୍ପତି ଦେଖି ତାଜୁବ ହୋଇଥିଲା ଭିଜିଲାନ୍ସ ।

ସୂଚନାନୁସାରେ,ବୁଧୁବାର ସକାଳେ ଉଦୟସିଂଙ୍କର ୬ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ସମୟରେ ତାଙ୍କର ପାଖାପାଖି ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ଠାବ କରାଯାଇଥିଲା । ବିଜୟ ଉଦୟସିଂଙ୍କର ସ୍ଥାବର ଅସ୍ଥାବର ସମ୍ପତି ମଧ୍ୟରେ ରହିଛି ଭୁବନେଶ୍ୱର ରାଜାରାଣୀ ମଉଜା ପ୍ଲଟ୍‌ ନମ୍ବର ୫୦୪ରେ ୪ ମହଲା ବିଶିଷ୍ଟ ଅତ୍ୟାଧୁନିକ ଶୈଳୀରେ ନିର୍ମିତ କୋଠାଘର । ଏହା ୭୫୦୦ ବର୍ଗଫୁଟ ଜମିରେ ନିର୍ମିତ ହୋଇଥିବାବେଳେ ଯାହାର ମୂଲ୍ୟ ୩ କୋଟି ୨୨ ଲକ୍ଷ ହେବ ବୋଲି ଆକଳନ କରାଯାଇଛି । ସେହିପରି ପୁରୀ ବାଲୁଖଣ୍ଡ ମଉଜାରେ ଏକ ଫ୍ଲାଟ୍, ଭୁବନେଶ୍ଵର ଓ ଖୋର୍ଦ୍ଧାରେ ୩ଟି ଘର ଠାବ କରାଯାଇଛି । ୫୫ ଲକ୍ଷର ବ୍ୟାଙ୍କ ଜମା ରାଶି ସହ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଭିଜିଲାନ୍ସ ଟିମକୁ ମିଳିଛି ।

ଚଢ଼ାଉରେ ତାଙ୍କ ବିଳାସମୟ ଏବଂ ଆଧୁନିକୀକରଣ ଘରକୁ ଦେଖି ତାଜୁବ ହୋଇଯାଇଥିଲେ ଅଧିକାରୀ । ସେ ଘରର ଗେଟ୍ ରିମୋଟ୍ ଦ୍ୱାରା ପରିଚାଳିତ ହେଉଥିଲା । ସେହିପରି ସମସ୍ତ କବାଟ୍ ଡିଜିଟାଲ ଲକ୍,୧୬ଟି ଏସି, ସେଣ୍ଟ୍ରାଲ୍ ଗିଜର ଆଦି ସହ ଅନ୍ୟାନ୍ୟ ବିଳାସମୟ ସାଜ ସରଞ୍ଜାମ ସବୁ ଦେଖିବାକୁ ମିଳିଥିଲା । ଜବତ ସମ୍ପତ୍ତି ବାବଦରେ ଅଧିକ ଖୋଳତାଡ଼ କରିବାକୁ ତାଙ୍କୁ ଅଟକ ରଖାଯାଇଛି । ଏହି ରେଡ୍ ରେ ଭିଜିଲାନ୍ସର ୮ ଜଣ ଡିଏସପି, ୮ ଜଣ ଇନସ୍ପେକ୍ଟର୍ ଏବଂ ଅନ୍ୟ ସହ କର୍ମଚାରୀ ସାମିଲ ଥିଲେ ।

Har Ghar Tiranga